(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ପୁରୀ କୋଣାର୍କ ଟ୍ରେନ୍ ଚଳାଚଳ ପାଇଁ ବାଟ ଫିଟିଛି। ଗଲା ଅଗଷ୍ଟ ମାସରେ ପୂର୍ବତଟ ରେଳପଥ ପୁରୀ-କୋଣାର୍କ ରେଳପଥର ଚୂଡ଼ାନ୍ତ ସର୍ଭେ ରିପୋର୍ଟ ରେଲ୍ୱେ ବୋର୍ଡକୁ ପ୍ରଦାନ କରିଛନ୍ତି। ପୂର୍ବରୁ ସିଆର୍ଜେଡ୍କୁ ନେଇ ସମସ୍ୟା ଦେଖା ଦେଇଥିବା ବେଳେ ବନ ବିଭାଗ ପକ୍ଷରୁ ଏ ନେଇ ଆପତ୍ତି ଉଠାଯାଇଥିଲା। ତେଣୁ ବିକଳ୍ପ ରାସ୍ତା ଖୋଜିଛି ପୂର୍ବତଟ ରେଳବାଇ। ଫଳରେ ଦୁଇଦଶନ୍ଧି ଧରି ଦାବି ଉଠି ଆସୁଥିବା ପୁରୀ-କୋଣାର୍କ ରେଳ ଚଳାଚଳ ସ୍ବପ୍ନ ସାକାର ହେବାକୁ ଯାଉଛି। ଏହାଦ୍ବାରା କୋଣାର୍କକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବା ସାଙ୍ଗକୁ ଆର୍ଥିକ ସ୍ଥିତି ମଜବୁତ୍ ହେବ।
ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହି ସମୟରେ ପୁରୀ-କୋଣାର୍କ ରେଳପଥ ପ୍ରସଙ୍ଗ ଉଠିଥିଲା। ସେ ସମୟରେ ପୁରୀ-କୋଣାର୍କ ରେଳପଥ ସର୍ଭେ କାମ ଚାଲିଛି ବୋଲି ରେଳମନ୍ତ୍ରୀ ସୂଚନା ଦେଇଥିଲେ । ଏହି ରେଳପଥ ଉପରେ ପୁରୀ ବିକାଶ ପରିଷଦକୁ ଲେଖିଥିବା ଚିଠିରେ ରେଳବାଇ ବୋର୍ଡକୁ ପୁରୀ-କୋଣାର୍କ ରେଳପଥର ଚୂଡ଼ାନ୍ତ ସର୍ଭେ ରିପୋର୍ଟ ପ୍ରଦାନକରିଥିବା ପୂର୍ବତଟ ରେଳପଥ ଉପମୁଖ୍ୟ ଇଂଜିନିୟର ଜି. କେ. ରାଓ କହିଛନ୍ତି।
ଇଂ. ରାଓ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ପୁରୀ-କୋଣାର୍କ ରେଳପଥ ଭାୟା ରାମଚଣ୍ଡୀ ଦେଇ ଯିବାକୁ ଯୋଜନା କରାଯାଇଛି। ପୂର୍ବରୁ ବନ ବିଭାଗ ସର୍ଭେ ରିପୋର୍ଟକୁ ନେଇ ଆପତ୍ତି ଉଠାଇଥିଲା। ପ୍ରସ୍ତାବିତ ପ୍ରକଳ୍ପ ପୁରୀ-କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟର ସମ୍ବେଦନଶୀଳ(ଇକୋ ସେନ୍ସିଟିଭ୍ ଜୋନ୍) ଅଞ୍ଚଳ ସହ ସିଆର୍ଜେଡ୍ ନିୟମକୁ ଉଲ୍ଲଂଘନ କରୁଥିବାରୁ ବନ ବିଭାଗ ଆପତ୍ତି ଉଠାଇଥିଲା। ପରେ ପୁନର୍ବାର ଏହାର ସର୍ଭେ କରାଯାଇଥିଲା ଓ ଆଉ ଏକ ନୂଆ ରିପୋର୍ଟ ପ୍ରସ୍ତୁତ ହୋଇଥିଲା।
ବର୍ତ୍ତମାନ ସେହି ଆପତ୍ତିଜନକ ଅଞ୍ଚଳକୁ ବାଦ୍ ଦେଇ ବିକଳ୍ପ ରାସ୍ତା ଖୋଜାଯାଇ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇଛି। ଅଗଷ୍ଟ ୨୧ ତାରିଖରେ ରେଲ୍ୱେ ବୋର୍ଡକୁ ପ୍ରଦାନ(ଚିଠି ସଂଖ୍ୟା-୨୦୨୦/ଡବ୍ଲୁ-୨/ଇଷ୍ଟକୋଷ୍ଟ ରେଲ୍ୱେ/୦୩/୩୮/୨୩/୬/୨୦୨୧) କରାଯାଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଇଂ. ରାଓ । ଏ ସମ୍ପର୍କରେ ପୁରୀ ବିକାଶ ପରିଷଦର ସଭାପତି ଜଗନ୍ନାଥ ବସ୍ତିଆ କହିଛନ୍ତି ଯେ ପୁରୀ-କୋଣାର୍କ ରେଳପଥ ଉପରେ ତାଙ୍କ ସଂଗଠନ ଗତ ୧୯ ତାରିଖରେ ରେଳମନ୍ତ୍ରୀଙ୍କ ଗସ୍ତ ସମୟରେ ଏକ ଦାବିପତ୍ର ଦେଇଥିଲା। ଏହା ପୂର୍ବରୁ ଗତ ଜାନୁଆରି ୨୮ରେ ସଂଗଠନ ପକ୍ଷରୁ ତତ୍କାଳୀନ ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ବି ଦାବିପତ୍ର ଦିଆଯାଇଥିଲା।
ସୂଚନାଯୋଗ୍ୟ, ପୁରୀରୁ କୋଣାର୍କ ମଧ୍ୟରେ ୩୫ କିମି ରେଳପଥ ନିର୍ମାଣ ପାଇଁ ୩୦୦ କୋଟି ଟଙ୍କାର ଅର୍ଥରାଶି ଖର୍ଚ୍ଚ ହେବ। ଏହି ପ୍ରକଳ୍ପର ୫୦% ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ୪ ବର୍ଷ ତଳେ ଘୋଷଣା କରିଥିଲେ। ପୁରୀରୁ କୋଣାର୍କ ଟ୍ରେନ୍ ଚଳାଚଳ କରିବା ଦ୍ବାରା ପର୍ଯ୍ୟଟନ ଓ ଅର୍ଥନୈତିକ ବିକାଶ ହେବ ।
