ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଇରାନର ୧୦ ସର୍ତ୍ତ ଆଗରେ ମୁଣ୍ଡ ନୁଆଁଇଲେ ଟ୍ରମ୍ପ । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ପାକିସ୍ତାନର ଅସ୍ଥାୟୀ ଯୁଦ୍ଧବିରତି ଅନୁରୋଧକୁ ଗ୍ରହଣ କରିଛନ୍ତି। ଇରାନ ମଧ୍ୟ ଏକ ୧୦-ସୂତ୍ରୀ ପ୍ରସ୍ତାବ ରଖିଛି, ଯାହାକୁ ଆଲୋଚନା ପାଇଁ ଆଧାର ଭାବରେ ବିବେଚନା କରାଯାଉଛି। ଇରାନ ସର୍ତ୍ତ ଆଗରେ ଟ୍ରମ୍ପ ମୁଣ୍ଡ ନୁଆଁଇଛନ୍ତି । ଆମେରିକା ସହିତ ଦୁଇ ସପ୍ତାହର ଅସ୍ତ୍ରବିରତି ପାଇଁ ରାଜି ହେବା ପରେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନି ନିଜର ସମସ୍ତ ସାମରିକ ୟୁନିଟକୁ ଗୁଳିଚାଳନା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ତେହେରାନ ସ୍ପଷ୍ଟ କରିଛି ଯେ, ଏହା ଯୁଦ୍ଧର ଶେଷ ନୁହେଁ। ରାଷ୍ଟ୍ରାୟତ୍ତ ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ୍ ବ୍ରଡକାଷ୍ଟିଂ (ଆଇଆର୍ଆଇବି)ରେ ଏହି ଖବର ପ୍ରସାରିତ କରିଛି। ଇରାନ ‘ହ୍ୟାଣ୍ଡସ୍ ଅନ୍ ଟ୍ରିଗର’ ଚେତାବନୀ ଦେଇଛି। ଇରାନ ସ୍ପଷ୍ଟ କରିଛି ଯେ ଅସ୍ତ୍ରବିରତି ଯୁଦ୍ଧର ଅନ୍ତକୁ ବୁଝାଉ ନାହିଁ। ଶତ୍ରୁ ପକ୍ଷ ସେ ଆମେରିକା କିମ୍ବା ଇସ୍ରାଏଲ ହୁଅନ୍ତୁ ଯେକୌଣସି ପ୍ରକାର ଉଲ୍ଲଂଘନ କାର୍ଯ୍ୟ କଲେ ଆମ ସେନାର ହାତ ଟ୍ରିଗର ଉପରେ ରହିବ। ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ଏକ ବିବୃତିରେ ପରିସ୍ଥିତିକୁ ଏକ ପ୍ରମୁଖ କୂଟନୈତିକ ସଫଳତା ଭାବରେ ବର୍ଣ୍ଣନା କରି କହିଛି ଯେ, ଆମେ ଆମେରିକାକୁ ଆମର ସର୍ତ୍ତାବଳୀ ଉପରେ ଆଲୋଚନା କରିବାକୁ ବାଧ୍ୟ କରିଛୁ। ଇରାନର ଜାତୀୟ ଟେଲିଭିଜନ ମଧ୍ୟ ରିପୋର୍ଟ କରିଛି, ଟ୍ରମ୍ପ ପ୍ରଶାସନ ଇରାନର ୧୦-ସୂତ୍ରୀ ଯୋଜନାକୁ ଗ୍ରହଣ କରିଛନ୍ତି, ତେବେ ଇରାନର ୧୦ ସର୍ତ୍ତ ହେଉଛି –
-ଭବିଷ୍ୟତରେ ଆମେରିକା ଇରାନ ଉପରେ ଆକ୍ରମଣ କରିବ ନାହିଁ
-ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ବଜାୟ ରଖିବ
-ଇରାନକୁ ୟୁରାନିୟମ ସମୃଦ୍ଧି ଜାରି ରଖିବାକୁ ଅନୁମତି ଦିଆଯିବ
-ସମସ୍ତ ପ୍ରାଥମିକ ଅର୍ଥନୈତିକ କଟକଣା ଉଠାଇ ଦିଆଯିବ
-ସମସ୍ତ ଦ୍ୱିତୀୟ ପ୍ରତିବନ୍ଧକ ମଧ୍ୟ ହଟାଇ ଦିଆଯିବ
-ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ପ୍ରସ୍ତାବକୁ ରଦ୍ଦ କରାଯିବ
-ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିର ବୋର୍ଡ ଅଫ୍ ଗଭର୍ଣ୍ଣର୍ସଙ୍କ ପ୍ରସ୍ତାବଗୁଡ଼ିକୁ ରଦ୍ଦ କରାଯିବ
-ଯୁଦ୍ଧରେ ଇରାନର ହୋଇଥିବା କ୍ଷତିର କ୍ଷତିପୂରଣ ଦିଆଯିବ
-ଆମେରିକା ସୈନ୍ୟବାହିନୀ ଏହି ଅଞ୍ଚଳରୁ ପ୍ରତ୍ୟାହାର କରିବ
-ହେଜବୁଲ୍ଲା ସମେତ ପ୍ରତ୍ୟେକ ମୋର୍ଚ୍ଚା ବିରୋଧରେ ଯୁଦ୍ଧ ଶେଷ ହେବ
