ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଲନ ମସ୍କଙ୍କ ହାତକୁ ସୋସିଆଲ ମିଡ଼ିଆ କମ୍ପାନୀ ଟ୍ୱିଟରର ମାଲିକାନା ଯିବାପରେ ସେ ଦେୟଯୁକ୍ତ ଭେରିଫିକେସନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଅନ୍ୟ ଦେଶ ଗୁଡିକରେ ଏହି ବ୍ୟବସ୍ଥା ଲାଗୁ ହୋଇ ସାରିଥିବା ବେଳେ ଏବେ ଏହି ଭାରତରେ ଆରମ୍ଭ ହୋଇଛି। କମ୍ପାନୀର ପେଡ୍ ବ୍ଲ୍ୟୁ ଟିକ୍ ସର୍ଭିସ ଗୁରୁବାର ଠାରୁ ଭାରତରେ ଲଞ୍ଚ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଆମେରିକାରେ ଏହି ସେବାର ଦାମ ୮ ଡଲାର ଥିବା ବେଳେ ଭାରତରେ ଏହା ଅଧିକ ମହଙ୍ଗା ରହିଛି। ଏହି ନିୟମ ଦ୍ୱାରା ଭାରତରେ ବ୍ଲୁ ଟିକ୍‌ ଭେରିଫିକେସନ ଟ୍ୟାଗ ପାଇଁ ଜଣେ ଆକାଉଣ୍ଟଧାରୀଙ୍କୁ ମାସିକ ୭୧୯ ଟଙ୍କା ଦେବାକୁ ପଡ଼ିବ।

ଭାରତରେ ଥିବା କିଛି ଟ୍ୱିଟର ଆକାଉଣ୍ଟଧାରୀଙ୍କୁ ଟ୍ୱିଟର ବ୍ଲୁ ବ୍ୟବସ୍ଥାକୁ ସବସ୍କ୍ରାଇବ କରିବାକୁ ନୋଟିଫିକେସନ ଆସିଛି। ତେବେ କେବେଳ ଆଇଫୋନଧାରୀଙ୍କ ପାଇଁ ବର୍ତ୍ତମାନ ଏହି ବ୍ୟବସ୍ଥାକୁ ଲାଗୁ କରାଯାଇଛି। ପରବର୍ତ୍ତୀ ଅବସ୍ଥାରେ ସମସ୍ତ ପାଇଁ ଏହା ଆରମ୍ଭ ହେବ।

ତେବେ ଟ୍ୱିଟର ବ୍ଲୁକୁ ସବସ୍କ୍ରାଇବ କରୁଥିବା ଆକାଉଣ୍ଟଧାରୀମାନେ ବିନା କୌଣସି ଭେରିଫିକେସନରା ବ୍ଲ୍ୟୁ ଟିକ୍‌ ଲାଭ କରିବେ। ସବସ୍କ୍ରାଇବଧାରୀଙ୍କୁ ଏହି ମାଇକ୍ରୋ ବ୍ଲଗିଂରେ ଅଗ୍ରାଧିକାର ଦିଆଯିବ। ସେମାନଙ୍କ ଟ୍ୱିଟ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କମ୍ପାନୀ କରିବ ବୋଲି ମସ୍କ କହିଛନ୍ତି।

ସୂଚନାଯୋଗ୍ୟ, ମସ୍କ ଟ୍ୱିଟରର ମାଲିକ ହେବା ପରେ ତୁରନ୍ତ ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ୪ ବରିଷ୍ଠ ଅଧିକାରୀଙ୍କୁ ବିଦା କରିଥିଲେ। ସେହିପରି ସେ କମ୍ପାନୀରେ ଛଟେଇ ମଧ୍ୟ ଆରମ୍ଭ କରିଛନ୍ତି। ଏହାକୁ ନେଇ ଅନେକ ତାଙ୍କୁ ସମାଲୋଚନା କରୁଛନ୍ତି।