ସାମ୍ନାକୁ ଆସିଲା ଆମେରିକାର ଚାଲ୍: ଅନ୍ୟ ଦେଶକୁ ଋଷଠାରୁ ତେଲ କିଣିବାକୁ ମନା କରି ନିଜେ ପ୍ରତିଦିନ କିଣୁଛି ଏକ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ: ରୁଷ ଅଧିକାରୀ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଯୁଦ୍ଧ ବନ୍ଦ କରିବା ନେଇ ଋଷ ଉପରେ ଅନେକ କଟକଣା ଲଗାଇଛି । ୟୁକ୍ରେନ ଉପରେ ରୁଷର ଆକ୍ରମଣର ଦ୍ଵାହି ଦେଇ ରୁଷଠୁ ତେଲ ନକିଣିବାକୁ ଅନ୍ୟ ସମସ୍ତ ଦେଶ ଉପରେ ଚାପ ପକାଉଛି ଆମେରିକା। ମାତ୍ର ନିଜେ ବ୍ୟାପକ ମାତ୍ରାରେ ତେଲ କିଣି ନିଜର ତେଲ ଭଣ୍ଡାର ବଢାଉଛି । ଆମେରିକା ବିରୋଧରେ ଏହିଭଳି ସଂଘିନ ଅଭିଯୋଗ ଆଣିଛନ୍ତି ରୁଷ ସୁରକ୍ଷା ପରିଷଦର ଉପ ସଚିବ ମିଖାଇଲ ପୋପୋଭ । ରବିବାର ରୁଷ ମିଡିଆକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଆମେରିକା ଗତ ଏକ ସପ୍ତାହରେ ରୁଷଠୁ ଅଶୋଧିତ ତୈଳ କ୍ରୟରେ ୪୩ ପ୍ରତିଶତ ବୃଦ୍ଧି କରିଛି। ଅର୍ଥାତ ଆମେରିକା ରୁଷଠୁ ପ୍ରତିଦିନ ଏକ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ କିଣୁଛି।

ଚୀନର ଖବରକାଗଜ ଗ୍ଲୋବାଲ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ରୁଷ ଅଧିକାରୀ କହିଛନ୍ତି ୟୁରୋପୀୟ ଦେଶ ଆମେରିକାର ଏହି ଧରଣର ଆଭିମୁଖ୍ୟ ପ୍ରତି ଅବଗତ ହେବା ଉଚିତ୍। ପୋପୋଭ କହିଛନ୍ତି, କେବଳ ଏତିକି ନୁହେଁ ଆମେରିକା ନିଜ କମ୍ପାନୀଗୁଡିକୁ ରୁଷଠୁ ଖଣିଜ ଉର୍ବରକ କିଣିବାକୁ ଅନୁମତି ପ୍ରଦାନ କରିଛି। ଏହାକୁ ଜରୁରୀକାଳୀନ ବସ୍ତୁ ଭାବେ ମାନ୍ୟତା ଦିଆଯାଇଛି। ୟୁରୋପୀୟ ଦେଶ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ପାଇଁ ରୁଷ ଉପରେ ନିର୍ଭରଶୀଳ। ଏହାକୁ ଜାଣି ମଧ୍ୟ ଆମେରିକା ଏବଂ ଏହାର ୟୁରୋପୀୟ ସହଯୋଗୀ ଦେଶ ରୁଷଠୁ ତୈଳ କ୍ରୟ ଉପରେ କଟକଣା ଲଗାଇବା କଥା କହୁଛନ୍ତି। ନର୍ମାଲ ୟୁନିଭର୍ସିଟିରେ ସେଣ୍ଟର ଫର ରୁଷିୟନ ଷ୍ଟଡିଜ୍ ଅଫ ଇଷ୍ଟ ଚାଇନାର ସହାୟକ ଗବେଷକ କୁଇ ହେଙ୍ଗ ଗ୍ଲୋବାଲ ଟାଇମ୍ସକୁ କହିଛନ୍ତି, ରୁଷକୁ ନେଇ ଆମେରିକାର ନୀତିର ଦୁଇଟି ଦିଗ ପ୍ରତି ଆଧାରିତ। ପ୍ରଥମଟି ହେଉଛି ରୁଷର ମୁକାବିଲା ପାଇଁ ଉଦାରବାଦ ଏବଂ ଆମେରିକା ହିତର ରକ୍ଷା ପାଇଁ ବ୍ୟବହାରିକ ଆଭିମୁଖ୍ୟ ଆପଣେଇବା। ହେଙ୍ଗ କହିଛନ୍ତି, ଆମେରିକା ରୁଷଠୁ ଅଧିକ ମାତ୍ରାରେ ତେଲ କିଣି ତୈଳ ବଜାରକ ନିୟନ୍ତ୍ରଣ କରିବାକୁ ଚାହୁଁଛି।

ଆମେରିକା ରୁଷଠୁ ଶସ୍ତା ମୂଲ୍ୟରେ ତେଲ କିଣୁଛି ଏବଂ ନିଜ ହିତ ରକ୍ଷା ପାଇଁ ଉଚିତ୍ ମୂଲ୍ୟରେ ୟୁରୋପ ଦେଶଗୁଡିକୁ ତେଲ ବିକୁଛି। ବିଶେଷ କରି ୟୁରୋପ ଏହାର ଶିକାର ହେଉଛି। ୟୁରୋପର ଅର୍ଥ ଆମେରିକାକୁ ଯାଉଛି ଏବଂ ୟୁରୋ ତୂଳନାରେ ଡଲାର ମଜବୁତ ହେବାରେ ଲାଗିଛି।

ବିଶ୍ଳେଷକଙ୍କ ଅନୁଯାୟୀ, ରୁଷ-ୟୁକ୍ରେନ ସଙ୍କଟ ଏବଂ ରୁଷ ଉପରେ କଟକଣାରୁ ସବୁଠୁ ଅଧିକ ଲାଭବାନ ହେଉଛି ଆମେରିକା। କୁହାଯାଉଛି ଆମେରିକା ରୁଷଠୁ ତେଲ କିଣି ନିଜର ୟୁରୋପୀୟ ସହଯୋଗୀଙ୍କୁ ଫସାଉଛି। ଅନ୍ୟ ଦେଶକୁ ରୁଷଠୁ ତେଲ କିଣିବାକୁ ମନା କରୁଛି, ଅଥଚ ନିଜେ ରୁଷଠୁ ତେଲ କିଣିବାରେ ଲାଗିଛି।

Related Posts