ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲାରେ ହୋଇଥିବା ବିସ୍ଫୋରଣ ସମଗ୍ର ଦେଶକୁ ଦୋହଲାଇ ଦେଇଛି। ସଦ୍ୟ ପ୍ରାପ୍ତ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ନଅ ଜଣଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରକ ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତା (IPC)ର ବିଭିନ୍ନ ଧାରା ଅନୁଯାୟୀ ଏକ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି। ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ଏବଂ ଦଣ୍ଡ ସହିତ ଜଡିତ UAPA ଧାରା 16 ଏବଂ 18 ଅଧୀନରେ ଏହି ଏଫଆଇଆର ରୁଜୁ କରାଯାଇଛି। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ମାମଲାର ତଦନ୍ତ କରୁଛି। ଅଞ୍ଚଳରୁ ନମୁନା ସଂଗ୍ରହ କରାଯାଇଛି ଏବଂ ଏକ ଫୋରେନସିକ୍ ଦଳ ଘଟଣାସ୍ଥଳ ଯାଞ୍ଚ କରିଛି।
ଦିଲ୍ଲୀ ପୋଲିସ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA)ର ଧାରା ୧୬ ଏବଂ ୧୮ ବ୍ୟବହାର କରିଛି। ଧାରା ୧୬ ଅନୁଯାୟୀ ମୃତ୍ୟୁ ଘଟିଲେ ଆଜୀବନ କାରାଦଣ୍ଡ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ଅଛି। ଧାରା ୧୮ ଆତଙ୍କବାଦୀ କାର୍ଯ୍ୟ ଯୋଜନା କିମ୍ବା ସହାୟତା କରିବା ସହିତ ଜଡିତ।
ସେପଟେ ଏହି ବିସ୍ଫୋରଣ ପରେ ଦିଲ୍ଲୀରେ ‘ହାଇ ଆଲର୍ଟ’ ଜାରି କରାଯାଇଛି। ବିମାନବନ୍ଦର, ରେଳ ଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡରେ କଡ଼ା ଯାଞ୍ଚ କରାଯାଉଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ, କୋତୱାଲି ପୋଲିସ ଷ୍ଟେସନରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA), ବିସ୍ଫୋରକ ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତା (IPC) ଧାରା ଅନୁଯାୟୀ ଏକ ଏଫଆଇଆର ରୁଜୁ କରାଯାଇଛି।





