ଭୁବନେଶ୍ୱର,୨୪/୪(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନକୁ ବିଦେଶରୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ‘ଉଦୟ’ ନାମକ ଚିତା ବାଘର ମୃତ୍ୟୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ କୁନୋରେ ଏହା ଦ୍ୱିତୀୟ ଚିତା ବାଘର ମୃତ୍ୟୁ। ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ କୁନୋ ନ୍ୟାସନାଲ ପାର୍କକୁ ମୋଟ ୨୦ଟି ଚିତା ବାଘ ଅଣାଯାଇଥିଲା। ତେବେ ଦୁଇଟିର ମୃତ୍ୟୁ ହେବା ପରେ ଏବେ ୧୮ଟି ବଞ୍ଚିଛନ୍ତି।
ତେବେ ରୋଗାକ୍ରାନ୍ତ ଥିବା ଉଦୟର ଚିକିତ୍ସା ହେଉଥିଲା। ରବିବାର ସକାଳେ ସେ ଅସୁସ୍ଥ ହୋଇପଡ଼ିବା ଦେଖି ବନ ବିଭାଗ କର୍ତ୍ତୃପକ୍ଷ ତାହାର ଚିକିତ୍ସା ଆରମ୍ଭ କରିଥିଲେ। ଡାକ୍ତରଖାନାରେ ଚିକିତ୍ସା ଚାଲିଥିବେ ବେଳେ ଅପରାହ୍ନ ୪ଟାରେ ତାର ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ ଯେ, ଉଦୟକୁ ଚଳିତ ବର୍ଷ ଫେବୃଆରୀ ୧୮ ତାରିଖରେ ଅନ୍ୟ ୧୧ ଚିତାଙ୍କ ସହ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଅଣାଯାଇଥିଲା। ଏପ୍ରିଲ ମାସରେ କ୍ୱାରେଣ୍ଟାଇନ ପିରିୟଡ ସମାପ୍ତ ହେବା ପରେ ଆଫ୍ରିକୀୟ ଚିତାଙ୍କୁ ଜଙ୍ଗଲକୁ ଛାଡି ଦିଆଯାଇଥିଲା। ଦକ୍ଷିଣ ଆଫ୍ରିକାରୁ ଗତ ଫେବୃଆରୀ ୧୮ ତାରିଖରେ ଅଣାଯାଇଥିବା ୧୨ଟି ଚିତା ବାଘ ମଧ୍ୟରୁ ୩ଟି ଅଣ୍ଡିରା ଚିତାଙ୍କୁ ଏପ୍ରିଲ ୧୭ ତାରିଖ ଦିନ କ୍ୱାରେଣ୍ଟାଇନରୁ ଛଡାଯାଇଥିଲା। ଏହା ପରେ ଅର୍ଥାତ ଏପ୍ରିଲ ୧୮ ଓ ୧୯ ତାରିଖରେ ବଳକା ୯ ଚିତା ବାଘଙ୍କୁ ବଡ ବାଡାରେ ଛଡା ଯାଇଥିଲା। ବଡ଼ ବାଡାରେ ଛଡାଯାଇଥିବା ଚିତା ସେଠାରେ ସେମାନେ ନିଜେ ଶିକାର କରୁଥିଲେ। ଏହି ବଡ ବାଡାରେ ବହୁ ପରିମାଣରେ ହରିଣ, ବିଲୁଆ, ଠେକୁଆ ଓ ଅନ୍ୟ ବଣ୍ୟପ୍ରାଣୀ ଅଛନ୍ତି।
ଏଠାରେ ଚିତା ପ୍ରକଳ୍ପ ପର୍ଯ୍ୟାୟକ୍ରମେ ଆଗକୁ ବଢୁଛି। ଏଥିରେ ନାମିବ୍ୟାରୁ ଆସିଥିବା ଚିତାବାଘ ଜଙ୍ଗଲରେ ସ୍ୱଭାବିକ ଜୀବନଚର୍ଯ୍ୟା କଲେଣି। ଏଣୁ ୪ଟି ଚିତା ବାଘଙ୍କୁ ଖୋଲା ଜଙ୍ଗଲକୁ ଛାଡି ଦିଆଯାଇଛି। ଡିପାର୍ଟମେଣ୍ଟ ଅଫ ଆନିମଲ ହଜବେଣ୍ଡରୀ ଏଣ୍ଡ ଡାୟରୀ (ଡିଏଏଚଡି) ଅନୁମତିରେ ଗତ ୨ ଦିନରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ସମସ୍ତ ୧୨ଟି ଜାକ ଚିତାଙ୍କୁ ବଡ଼ ବାଡାକୁ ସିଫ୍ଟ କରିଦିଆଯାଇଥିଲା।





