ନୂଆଦିଲ୍ଲୀ : ଜାତିସଂଘ ସାଧାରଣ ପରିଷଦର ୭୭ ତମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱ ନେତାଙ୍କୁ ଜାତିସଂଘ ମହାସଚିବ ଚେତାବନୀ ଦେଇଛନ୍ତି । ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ବିଶ୍ୱ ନେତାଙ୍କୁ ବିଭିନ୍ନ ସମସ୍ୟା ନେଇ ଚେତାବନୀ ଦେଇଛନ୍ତି ।
ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ସଙ୍କଟ, ରୁଷିଆ-ୟୁକ୍ରେନ ବିବାଦ ଏବଂ ଶକ୍ତି ସଙ୍କଟ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ମାନବଜାତି ଏବଂ ପୃଥିବୀର ଭବିଷ୍ୟତ ପ୍ରତି ବିପଦ ଥିବା ବଡ଼ ସମସ୍ୟାର ମୁକାବିଲା କରିବାକୁ କୌଣସି ଦେଶ ପ୍ରସ୍ତୁତ ନୁହଁନ୍ତି। ଦାରିଦ୍ର୍ୟ ଦୂରୀକରଣ ଏବଂ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ମିଳିତ ଜାତିସଂଘ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ ଦିଗରେ ଆଶା କରାଯାଉଥିବା ଅଗ୍ରଗତି ହୋଇପାରିନାହିଁ।
ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ବିପଦରେ ଅଛି ଏବଂ ଆମେ ସ୍ଥାଣୁରେ ପରିଣତ ହେଉଛୁ। ଏହାର ମୁକାବିଲା ପାଇଁ ସହଯୋଗ ଏବଂ ଆଲୋଚନା ହେଉଛି ଏକମାତ୍ର ଉପାୟ। ଜାତିସଂଘ ସାଧାରଣ ସଭାରେ ଉପସ୍ଥିତ ଥିବା ସମସ୍ତ ଦେଶର ପ୍ରତିନିଧିଙ୍କୁ ଏକାଠି କାମ କରିବାକୁ ଆହ୍ବାନ ଦେଇଛନ୍ତିି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ।
