ଶ୍ରୀନଗର:ଜମ୍ମୁ-କାଶ୍ମୀର ବିଧାନସଭାରେ ଶୁକ୍ରବାର ଅଭୂତପୂର୍ବ ହଙ୍ଗାମା ଦେଖିବାକୁ ମିଳିଛି। ସଭା ଆରମ୍ଭ ହେବା ସହିତ ଇସ୍ରାଏଲ-ଆମେରିକା-ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷକୁ ନେଇ ନ୍ୟାସନାଲ କନ୍ଫରେନ୍ସ , ପିଡିପି ଓ କଂଗ୍ରେସ ବିଧାୟକମାନେ ଭାରୀ ବିରୋଧ ପ୍ରଦର୍ଶନ କରିଥିଲେ।ବିଧାୟକମାନେ ଅଲି ଖାମେନେଇଙ୍କ ଫଟୋ ଧରି ଇସ୍ରାଏଲ ବିରୋଧରେ ଜୋରଦାର ନାରାବାଜି କରିଥିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମଧ୍ୟ ସ୍ଲୋଗାନ୍ ଦେଇଥିଲେ। ଏହାର ପ୍ରତିକ୍ରିୟାରେ ବିଜେପି ବିଧାୟକମାନେ ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତରମ୍’ ନାରା ଦେଇଥିଲେ।ଏହି ସମୟରେ ପରିସ୍ଥିତି ଅତ୍ୟଧିକ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ବିଜେପି ବିଧାୟକ ଯୁଦ୍ବୀର ସେଠୀ ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ‘ପପ୍ପୁ’ ବୋଲି କହିବା ପରେ କଂଗ୍ରେସ ବିଧାୟକ ଇରଫାନ ହାଫିଜ୍ ଲୋନ୍ ଆପତ୍ତି ଜଣାଇ ଦୁଇଜଣଙ୍କ ମଧ୍ୟରେ ଧକ୍କାମୁକ୍କି ଓ ହାତାହାତି ଘଟିଥିଲା।ହଙ୍ଗାମା ଏତେ ବଢ଼ିଯାଇଥିଲା ଯେ, ସଭାରେ ଶାନ୍ତି ବଜାୟ ରଖିବା ପାଇଁ ମାର୍ଶାଲ୍ମାନଙ୍କୁ ଡାକିବାକୁ ପଡ଼ିଥିଲା। ପରିସ୍ଥିତି ନିୟନ୍ତ୍ରଣରେ ଆଣିବା ପାଇଁ ସଭାକୁ କିଛି ସମୟ ପାଇଁ ସ୍ଥଗିତ କରାଯାଇଥିଲା।ଅନ୍ୟପଟେ କଂଗ୍ରେସ ବିଧାୟକ ତନଭୀର ସାଦିକ କହିଥିଲେ ଯେ, ଦଳ ଓ ଜମ୍ମୁ-କାଶ୍ମୀର ସରକାର ଇରାନ ସହ ଏକତା ପ୍ରକାଶ କରୁଛନ୍ତି। ସେ କହିଥିଲେ, କୌଣସି ଦେଶ ଅନ୍ୟ ଦେଶ ଉପରେ ଆକ୍ରମଣ କରିବା ଉଚିତ୍ ନୁହେଁ ଓ ଏହାକୁ ନେଇ ଭାରତର ଶୀର୍ଷ ନେତୃତ୍ୱ ନିନ୍ଦା କରିବା ଉଚିତ୍।





