ଆମେରିକା ଡେପୁଟି ଏନଏସଏଙ୍କ ଭାରତକୁ ପରୋକ୍ଷ ଧମକ: ଯଦି କୌଣସି ରାଷ୍ଟ୍ର ଋଷ ନିକଟରୁ ତୈଳ କିଣନ୍ତି, ତେବେ ପରିଣାମ ଭୟାବହ ହୋଇପାରେ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆମେରିକାର ଡେପୁଟି ଏନଏସଏ(ଜାତୀୟ ସୁରକ୍ଷା ଉପପରାମର୍ଶଦାତା) ଦଲିପ ସିଂହ | ଭାରତ ଗସ୍ତରେ ଆସିଥିବା ବେଳେ, ଋଷ ସହ ଭାରତର ବାଣିଜ୍ୟିକ ସମ୍ପର୍କକୁ ନେଇ ପରୋକ୍ଷ ଚେତାବନୀ ଦେଇଛନ୍ତି । ମାସାଧିକାଳ ଧରି ୟୁକ୍ରେନ୍ ଉପରେ ଯୁଦ୍ଧ ଅବ୍ୟାହତ ରଖିଥିବାରୁ ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଋଷ ବିରୋଧରେ ଏକାଧିକ କଟକଣା ଲାଗୁ କରିସାରିଛନ୍ତି ।

ଏହି ପରିପେକ୍ଷିରେ ଯଦି କୌଣସି ରାଷ୍ଟ୍ର ଏଭଳି କଟକଣାକୁ ଖାତିର କରି ଋଷ ନିକଟରୁ ତୈଳ କିଣନ୍ତି , ତେବେ ପରିଣାମ ଭୟାବହ ହୋଇପାରେ ବୋଲି ଦଲିପ କହିଛନ୍ତି । ଏପରିକି ଭାରତ ମଧ୍ୟ ଆମେରିକାର ଆକ୍ରୋଶରୁ ବର୍ତ୍ତିବ ନାହିଁ ବୋଲି ସେ ରୋକଠୋକ୍ ଶୁଣାଇଛନ୍ତି । ତେଲ କିଣା ପ୍ରସଙ୍ଗରେ ଋଷ ସହ ଟଙ୍କା –ରୁବଲ ମେକାନିଜିମକୁ କାର୍ଯ୍ୟକାରୀ କରାଗଲେ ଏହା ଆମେରିକା ପ୍ରତି ଶତ୍ରୁତାଭାବେ ପରିଗଣିତ ହେବ ବୋଲି ମଧ୍ୟ ସେ କହିଛନ୍ତି ।

ଆମେରିକା ଲାଗୁ କରିଥିବା କଟକଣା କେତେଦୂର ଯଥାର୍ଥ ତାହା ପ୍ରତିପାଦନ କରିବାକୁ ସେ ଭାରତ ଗସ୍ତରେ ଆସିଥିବା କହିଛନ୍ତି । ଭାରତ ଭଳି ଏକ ବିକାଶଶୀଳ ରାଷ୍ଟ୍ର ସହ ସୁସମ୍ପର୍କ ରଖିବାକୁ ଆମେରିକା ସର୍ବଦା ଅଗ୍ରହୀ । ଏବେ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଭାରତ ସମେତ ଅନ୍ୟ କୌଣସି ରାଷ୍ଟ୍ର ଯଦି ଋଷ ନିକଟରୁ ତେଲ କ୍ରୟ କରନ୍ତି ତେବେ ସେମାନେ ଏହି କଟକଣାର ଗୁରୁତ୍ୱକୁ ଅପମାନିତ କରୁଥିବା ବୁଝିବାକୁ ପଡିବ, ବା ଆମେରିକାର କଟକଣାକୁ ଭାଙ୍ଗିବାକୁ ଷଡଯନ୍ତ୍ର କରାଯାଉଛି ବୋଲି ବୁଝିବାକୁ ପଡିବ ବୋଲି ଦଲୀପ ସିଂହ କହିଛନ୍ତି ।

ସେପଟେ ପ୍ରତ୍ୟେକ ଦେଶର ରୁଷ୍‌ ସହ ନିଜସ୍ବ ସମ୍ପର୍କ ରହିଛି ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସେ ସମ୍ପର୍କରେ କୌଣସି ପ୍ରକାର ପରିବର୍ତ୍ତନ କରିବାକୁ ଚାହୁଁନାହିଁ ବୋଲି ଗୁରୁବାର ଦିନ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି।

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଚାଲିଥିବା ବ‌େଳେ ଗତକାଲି ରୁଷ୍‌ର ବୈଦେଶିକ ମନ୍ତ୍ରୀ ସେର୍ଗେ ଲାଭ୍‌ରୋଭ୍‌ଙ୍କ ଦିଲ୍ଲୀ ଗସ୍ତକୁ ପ୍ରସଙ୍ଗ କରି ନେଡ୍‌ କହିଛନ୍ତି, ରୁଷୀୟ ରାଷ୍ଟ୍ରସଂଘ ସହିତ ଭିନ୍ନ ଭିନ୍ନ ଦେଶମାନଙ୍କର ନିଜସ୍ବ ସମ୍ପର୍କ ରହିଛି। ଏହା ଇତିହାସର ଓ ଭୂଗୋଳର ବାସ୍ତବତା। ଆମେ ସେଥିରେ କୌଣସି ପରିବର୍ତ୍ତନ ଚାହୁଁନାହୁଁ। ଏହା ଭାରତ ପରିପ୍ରେକ୍ଷୀରେ ହେଉ କି, ବିଶ୍ବର ଅନ୍ୟ କୌଣସି ମିତ୍ର ରାଷ୍ଟ୍ର କ୍ଷେତ୍ରରେ ହେଉ ଆନ୍ତର୍ଜାତିକ ସମୁଦାୟ ମିଳିତ ଭାବେ ଯାହା କହୁଛନ୍ତି ସେମାନ‌େ ତାହା ଅନୁସରଣ କରନ୍ତୁ ବୋଲି ଆମର ଏକାନ୍ତ ଇଚ୍ଛା।

Related Posts