ଉଚ୍ଚଶିକ୍ଷା ବିଭାଗର ବିକଳ ଚିତ୍ର !

ଖାଲି ପଡିଛି ପଦବୀ, ସରକାର ନୀରବ

ସତ୍ୟପାଠ ବ୍ୟୁରୋ : ରାଜ୍ୟ ଉଚ୍ଚଶିକ୍ଷା ବିଭାଗରେ ଖାଲି ପଡିଛି ପଦବୀ । ବିଶ୍ୱବିଦ୍ୟାଳୟ ଗୁଡିକରେ ପ୍ରାୟ ୮୦୦ ଶିକ୍ଷକ ପଦବୀ ଖାଲି ଥିବା ବେଳେ ୧୩୦୦ ଅଣଶିକ୍ଷକ ପଦବୀ ଖାଲି ପଡିଛି । ଯାହା କେବଳ ନିଯୁକ୍ତି ନୁହେଁ ବରଂ ସରକାରୀ ଉଦାସୀନତାର ଆଉ ଏକ ଉଦାହରଣ ବୋଲି କୁହାଯାଇପାରେ ।

ଉଚ୍ଚଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଏ ହେଉଛି ବିକଳ ଚିତ୍ର । ଶିକ୍ଷକ ନାହାଁନ୍ତି ବୋଲି ପାଠପଢ଼ା ଓ ଗବେଷଣା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ସରକାରୀ ତଥ୍ୟ ମୁତାବକ ଗତ ସେପ୍ଟେମ୍ବର ମାସ ସୁଦ୍ଧା ୧୦ଟି ସରକାରୀ ବିଶ୍ୱବିଦ୍ୟାଳୟର ୧୩୭୫ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ମଧ୍ୟରୁ ଅଧାରୁ ଅଧିକ ଅର୍ଥାତ୍ ୭୪୮ଟି ଖାଲି ପଡ଼ିଥିଲା ।
ବିଭିନ୍ନ ବିଭାଗ ପାଇଁ ଥିବା ୧୯୭ଟି ପ୍ରଫେସର ପଦବୀ ମଧ୍ୟରୁ ଏହି ସମୟସୁଦ୍ଧା ୧୨୭ଟି ଖାଲି ପଡ଼ିଥିବା ବେଳେ ୩୯୩ଟି ସହଯୋଗୀ ପ୍ରଫେସର ପଦବୀ ମଧ୍ୟରୁ ୨୩୧ଟି ଓ ୭୮୫ଟି ସହକାରୀ ପ୍ରଫେସର ପଦବୀ ମଧ୍ୟରୁ ୩୯୦ଟି ଖାଲି ରହିଥିଲା । ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ଏଥିଲାଗି କୌଣସି ଶିକ୍ଷକ କିମ୍ବା ଅଣଶିକ୍ଷକ ପଦବୀ ମଞ୍ଜୁର କରାଯାଇନାହିଁ । ଏହି ସରକାରୀ ତଥ୍ୟ ମୁତାବକ ଓଡ଼ିଶାର ଗର୍ବ ଓ ଗୌରବ ବୋଲି କୁହାଯାଉଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉକ୍ତ ସମୟ ସୁଦ୍ଧା ୨୪ଟି ପ୍ରଫେସର ୪୧ଟି ସହଯୋଗୀ ପ୍ରଫେସର ଓ ୧୦୩ଟି ସହକାରୀ ପ୍ରଫେସର ପଦବୀ ଖାଲି ପଡ଼ିଥିଲା ।
ଉକ୍ରଳ ବିଶ୍ୱବିଦ୍ୟାଳୟରେ ୨୮ଟି ପ୍ରଫେସର ସମେତ ୧୦୦ରୁ ଅଧିକ ଶିକ୍ଷକ ପଦବୀ ଗତ ସେପ୍ଟେମ୍ବର ସୁଦ୍ଧା ଖାଲିଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୭ଟି ପ୍ରଫେସର ପଦବୀ ସମେତ ୪୪ଟି ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୧୦ଟି ପ୍ରଫେସର ପଦବୀ ସମେତ ୬୫ଟି ଶିକ୍ଷକ ପଦବୀ ଖାଲିଥିଲା ।
ଗଙ୍ଗାଧର ମେହେର, ରମାଦେବୀ, ଖଲ୍ଲିକୋଟ, ଫକୀର ମୋହନ, ଉତ୍ତର ଓଡ଼ିଶା ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ମଧ୍ୟ ବ୍ୟାପକ ସଂଖ୍ୟକ ଶିକ୍ଷକ ପଦବୀ ଖାଲି । ସେପ୍ଟେମ୍ବରରୁ ଜୁନ୍ ମଧ୍ୟରେ ଆଉ କେତେକ ଶିକ୍ଷକ ଓ ଅଣଶିକ୍ଷକ ଅବସର ଗ୍ରହଣ କରିସାରିଥିବାରୁ ଖାଲି ପଦବୀ ସଂଖ୍ୟା ନିଶ୍ଚୟ ବଢ଼ିଥିବ ।
ଏହାଛଡ଼ା ସ୍ୱାସ୍ଥ୍ୟଗତ ଓ ଅନ୍ୟାନ୍ୟ କାରଣରୁ ଏବଂ ଗବେଷଣା ଆଦି ପାଇଁ ବିଶ୍ୱବିଦ୍ୟାଳୟର ଅନେକ ଶିକ୍ଷକ ବହୁ ସମୟରେ ବାହାରେ ବୁଲିବା କାରଣରୁ ବି ଶିକ୍ଷକ ମରୁଡ଼ି ଅବସ୍ଥା ସାଙ୍ଘାତିକ ହୋଇପଡ଼ୁଛି । ୧୦ଟି ଯାକ ସରକାରୀ ବିଶ୍ୱବିଦ୍ୟାଳୟ ପାଇଁ ୨୭୦୪ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ଗତ ସେପ୍ଟେମ୍ବର ଶେଷ ସୁଦ୍ଧା ଖାଲିଥିଲା ୧୨୪୩ । ଏହି ସମୟସୁଦ୍ଧା କେବଳ ଉକ୍ରଳ ବିଶ୍ୱବିଦ୍ୟାଳୟର ହଜାରେଟି ମଞ୍ଜୁରପ୍ରାପ୍ତ ଅଣଶିକ୍ଷକ ପଦବୀ ମଧ୍ୟରୁ ୫୫୭ଟି ଖାଲି ପଡ଼ିଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩୭ଟିରୁ ୧୨୮ଟି ଅଣଶିକ୍ଷକ ପଦବୀ ଖାଲିଥିଲା । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଧାରୁ ଅଧିକ ଅଣଶିକ୍ଷକ ପଦବୀ ମଧ୍ୟ ଖାଲି । ବ୍ରହ୍ମପୁର, ଉତ୍ତର ଓଡ଼ିଶା, ଶ୍ରୀ ଜଗନ୍ନାଥ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ଆଦିରେ ବ୍ୟାପକ ସଂଖ୍ୟକ ଅଣଶିକ୍ଷକ କର୍ମଚାରୀ ପଦବୀ ଖାଲି ରହିଛି ।

ସବୁଠୁ ବଡ କଥା ହେଲା, ସରକାର ସବୁବେଳେ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା କହୁଛନ୍ତି । ସେହି ଅନୁସାରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ବି ବଢ଼ୁଛି । କିନ୍ତୁ ପାଠ ପଢ଼ାଇବା ପାଇଁ ଶିକ୍ଷକ ନିଯୁକ୍ତି କଥା ଭୁଲି ଯାଇଛନ୍ତି ସରକାର । ଅତି ବେପରୁୱା ଭାବେ ଠିକା ଶିକ୍ଷକଙ୍କ ଉପରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଗବେଷଣା କାର୍ଯ୍ୟ ଛାଡି ଦିଆଯାଉଛି । ଯାହାର ପ୍ରଭାବ ସିଧାସଳଖ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି ।

Related Posts