କଲେଜ ଅଧ୍ୟକ୍ଷଙ୍କ ଠାରୁ ୫ କୋଟିରୁ ଅଧିକ ସଂପତ୍ତି ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରର ହୀରାନୀଳା କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ରେଡ ମାରିଥିଲା । ଏହା ମଧ୍ୟରେ ତାଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସଂପତ୍ତିର ଆକଳନ କରାଯାଇଛି। ଠାବ ସଂପତ୍ତିର ମୂଲ୍ୟ ୫ କୋଟିରୁ ଅଧିକ ବୋଲି ଜଣାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ୪ଗୋଟି ଟିପ୍ପର,୨ଗୋଟି ଜେସିବି, ଦୁଇଟା ଏସୟୁଭି କାର, ଚାରିଗୋଟି ଦୁଇଚକିଆ,୨୬ଗୋଟି ପ୍ଲଟ ଖୋର୍ଦ୍ଧା ଏବଂ କଟକ ଓ ଗୋଟିଏ ପ୍ଲଟ ବିଶ୍ୱନାଥପୁରେ, ଦୁଇଗୋଟି କୋଠାଘର, ଭୁବନେଶ୍ୱର ବାସଭବନରୁ ନଗଦ ୧ଲକ୍ଷ୯୪ହଜାର ଟଙ୍କା ଜବତ କରାଯାଇଥିବା ଜଣାଯାଇଛି।

ତାଙ୍କର ସମୁଦାୟ ଅନୁମାନିକ ୫କୋଟି ୩୬ହଜାର ୧୯୩ଟଙ୍କା ସମ୍ପତ୍ତି ରହିଥିବା ଆକଳନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏତିକି ସମ୍ପତ୍ତି ଜବତ ହୋଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି। ଏପଟେ ବିଶ୍ୱନାଥପୁର ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଦେଇଥିବା ବେଳେ ହୀରାନୀଳା ସଂଗ୍ରାମ ସମିତି ଦୁର୍ନୀତିଖୋର ରମେଶ ସାହୁଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଦୀର୍ଘଦିନର ଅଭିଯୋଗ ପରେ ରମେଶ ସାହୁଙ୍କର କଳାକାରନାମା ପର୍ଦ୍ଦାଫାସ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ହେଲେ ଅନେକ ଲୋକଙ୍କ ଠାରୁ ଚାକିରୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ବେଳେ ସେହି ଗରିବ ନିରିହଙ୍କ ଟଙ୍କା ଫେରି ପାଇବେ କି ନାହିଁ ସେ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

Related Posts