ଇତିହାସ ରଚିବ ଭାରତ : ଆଜି ରାତିରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଓହ୍ଲାଇବ ଲ୍ୟାଣ୍ଡର ବିକ୍ରମ

ମହାକାଶ ବିଜ୍ଞାନରେ ଇତିହାସ ରଚିବାକୁ ଯାଉଛି ଇସ୍ରୋ, ଯାହାକୁ ଅପେକ୍ଷା କରିଛି ସାରା ବିଶ୍ୱ । ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୨ । ବିଶ୍ୱର ମାତ୍ର ୩ଟି ଦେଶ – ଆମେରିକା, ରୁଷ ଓ ଚୀନ ଯେଉଁ ସଫଳତାର ସ୍ୱାଦ ଚାଖିଛନ୍ତି, ଚତୁର୍ଥ ରାଷ୍ଟ୍ର ଭାବେ ସେହି ବିରଳ ସଫଳତା ପାଇବାକୁ ଯାଉଛି ଭାରତ । କେବଳ ଏତିକି ନୁହେଁ, ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁର ରହସ୍ୟ ଖୋଲିବ ଚନ୍ଦ୍ରଯାନ-୨ । ପ୍ରାୟ ୩୫ କିଲୋମିଟର ନିକଟ ଓ ୧୧୦ କିଲୋମିଟର ଦୂର ଅଣ୍ଡାକାର କକ୍ଷପଥରେ ଚନ୍ଦ୍ର ଚାରିପଟେ ଘୁରୁଛି ବିକ୍ରମ ଲାଣ୍ଡର । ଲାଣ୍ଡର ଓ ପ୍ରଜ୍ଞାନ ରୋଭରର ଯନ୍ତ୍ରାଂଶ ଯାଂଚ କରିଛନ୍ତି ଇସ୍ରୋର ବୈଜ୍ଞାନିକ ।

୬ ଓ ୭ ତାରିଖ ମଧ୍ୟ ରାତିରେ ଚନ୍ଦ୍ରର ମାଟି ଉପରେ ଧୀର ଅବତରଣ କରିବ ବିକ୍ରମ ଲାଣ୍ଡର । ୩୫ କିଲୋମିଟର ଉପରୁ ଚନ୍ଦ୍ରପୃଷ୍ଠକୁ ଯେତେବେଳେ ଲାଣ୍ଡର ବିକ୍ରମ ଖସିବା ଆରମ୍ଭ କରିବ, ସେହି ୧୫ ମିନିଟ୍ ଉପରେ ନିର୍ଭର କରିବ ଇସ୍ରୋର ଏହି ମହତ୍ୱାକାଂକ୍ଷୀ ମିସନର ସଫଳତା । ପ୍ରତି ସେକେଣ୍ଡରେ ୨ ମିଟର ବେଗରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଧୀରେ ଧୀରେ ଅବତରଣ କରିବ ଲାଣ୍ଡର । ଯାହାକୁ ସଫ୍ଟ ଲ୍ୟାଣ୍ଡିଂ ବୋଲି କୁହାଯାଉଛି । ଆଉ ଲାଣ୍ଡର ବିକ୍ରମ ଭିତରେ ଥିବା ୬ ଗୋଡ଼ ବିଶିଷ୍ଟ ରୋଭର ପ୍ରଜ୍ଞାନ ବାହାରକୁ ଆସିବ । ଏହା ସହ ଭାରତ ମହାକାଶ ବିଜ୍ଞାନ ଗବେଷଣାର ସବୁଠୁ ବଡ଼ ସଫଳତା ଅଭିମୁଖେ ଆରମ୍ଭ ହେବ ଯାତ୍ରା ।

ସୋଲାର ପ୍ୟାନେଲରୁ ଶକ୍ତି ନେଇ ପ୍ରତି ସେକେଣ୍ଡ ମାତ୍ର ୧ ସେଂଟିମିଟର ଗତିରେ ରୋଭର ପ୍ରଜ୍ଞାନ ଅନୁଧ୍ୟାନ କରିବ । ୧୪ ଦିନରେ ୫୦୦ ମିଟର ପର୍ଯ୍ୟନ୍ତ ଗତି କରିବା ସହ ଇସ୍ରୋକୁ ରୋଭର ପଠାଇବ ଫଟୋ । ଚନ୍ଦ୍ରର ମୃତିକା ପରୀକ୍ଷଣ ସହ ଚନ୍ଦ୍ରପୃଷ୍ଠରେ ଜଳ କଣିକା ଅଛି କି ନାହିଁ, ପରୀକ୍ଷା ନିରୀକ୍ଷା କରି ତଥ୍ୟ ପଠାଇବ ରୋଭର ପ୍ରଜ୍ଞାନ । ଇସ୍ରୋର ଏହି ଚନ୍ଦ୍ର ମିସନ୍ ସଫଳ ହେଲେ ମହାକାଶ ବିଜ୍ଞାନରେ ନୂଆ ଇତିହାସ ରଚିବ ଦେଶ ।

Related Posts