ଭୁବନେଶ୍ୱର: ଆକ୍ସନରେ ଥିବା ଗଣଶିକ୍ଷା ମନ୍ତ୍ରୀ ଗଣିଲେ ତଣ୍ଡ । ଟ୍ରାଫିକ ନିୟମ ଭାଙ୍ଗିବା ନେଇ ତଣ୍ଡ ଗଣିଛନ୍ତି। ବିନା ହେଲମେଟ୍ରେ ବାଇକରେ ଯାଉଥିବାରୁ ଉଭୟଙ୍କୁ ଲାଗିଲା ଜରିମାନା। ଟ୍ରାଫିକ ଥାନାରେ ପହଞ୍ଚି ୧ ହଜାର ଟଙ୍କା ଫାଇନ୍ ଦେଲେ ବିଧାୟକ ସ୍ୱରୂପ ଦାସ।
ପ୍ରକୃତରେ ଆଜି ସକାଳୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ମର୍ଣ୍ଣିଂ ୱାକ୍ରେ ଯାଇଥିଲେ। ପରେ କିଛି ସ୍କୁଲକୁ ଅଚାନକ ଗସ୍ତରେ ଯିବା ପାଇଁ କହିଥିଲେ ଗଣଶିକ୍ଷା ମନ୍ତ୍ରୀ। ଏହାପରେ ଉଭୟ ବିଧାୟକ ଓ ମନ୍ତ୍ରୀ ଏକ ବାଇକ୍ ଯୋଗେ ବିଭିନ୍ନ ସ୍କୁଲ ପରିଦର୍ଶନରେ ବହାରିଥିଲେ, କିନ୍ତୁ ଉଭୟଙ୍କ ମୁଣ୍ଡରେ ହେଲମେଟ୍ ନଥିଲା।
ବାଲେଶ୍ୱର ହେମକାପଦା ଛକରେ ଜଣେ ସାଧାରଣ ବ୍ୟକ୍ତି ଉଭୟ ମନ୍ତ୍ରୀ ଓ ବିଧାୟକଙ୍କୁ ଅଟକାଇ ହେଲମେଟ୍ ନପିନ୍ଧି କେମିତି ଯାଉଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ। ପରେ ଟ୍ରାଫିକ ପୁଲିସ ତରଫରୁ ମଧ୍ୟ ଉଭୟଙ୍କୁ ହେଲମେଟ୍ ପିନ୍ଧିନଥିବା ନେଇ ଫୋନ୍ ଆସିଥିଲା। ଏହାପରେ ବିଧାୟକ ଓ ମନ୍ତ୍ରୀ ନିଜ ଭୁଲ୍କୁ ସ୍ୱୀକାର କରିଥିଲେ ଓ ଟ୍ରାଫିକ୍ ପୁଲିସ ଥାନାକୁ ଯାଇ ଏକ ହଜାର ଟଙ୍କା ଫାଇନ୍ ଦେଇଥିବା ବିଧାୟକ ସ୍ୱରୂପ ଦାସ କହିଛନ୍ତି। ଉକ୍ତ ଚାଲାଣଟି ବାଇକ୍ ମାଲିକ ପଙ୍କଜ ଅଗ୍ରୱାଲଙ୍କ ନାଁରେ କଟାଯାଇଥିଲା ।
