ପୋରବନ୍ଦର: ଗୁଜରାଟ ପୋରବନ୍ଦରରେ ମୁତୟନ ଭାରତୀୟ ରିଜର୍ଭ ବଟାଲିୟନ (ଆଇଆରବି) ଜବାନଙ୍କ ମଧ୍ୟରେ ଘଟିଛି ହିଂସା କାଣ୍ଡ । ଜବାନମାନେ ପରସ୍ପର ମଧ୍ୟରେ ଯୁକ୍ତିତର୍କ ପରେ ପରସ୍ପର ଉପରକୁ ଏକେ-୫୬ ରାଇଫଲରୁ ଗୁଳି ଚାଳନା କରିଛନ୍ତି। ଫଳରେ ୨ ଜଣ ଜବାନ ପ୍ରାଣ ହରାଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।
ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ପୋରବନ୍ଦର ଜିଲ୍ଲାଧିକାରୀ ଏ.ଏମ. ଶର୍ମାଙ୍କ ଅନୁସାରେ ହିଂସାରେ ସାମିଲ ଜବାନମାନେ ଆଇଆରବି ମଣିପୁରର। ଗୁଜରାଟ ନିର୍ବାଚନ ଲାଗି କେନ୍ଦ୍ର ଗୃହମନ୍ତ୍ରାଳୟ ଆଇଆରବି ବଟାଲିୟନକୁ ଗୁଜରାଟ ଟ୍ରାନସଫର କରିଛନ୍ତି। ଜବାନମାନେ ନିର୍ବାଚନ ଡ୍ୟୁଟି ଲାଗି ପୋରବନ୍ଦରରେ ଅବସ୍ଥାନ କରୁଛନ୍ତି।
ସୂଚନା ଅନୁସାରେ ଶନିବାର ଡ୍ଯୁଟି ସରିବା ପରେ ଜବାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ପରସ୍ପର ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଜଣେ ଜବାନ ତାଙ୍କ ଏକେ-୫୬ ରାଇଫଲରୁ ଅନ୍ଧାଦୁନିଆ ଗୁଳି ଚାଳନା କରିଥିଲେ। ଫଳରେ ୨ ଜଣ ଜବାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଆହତ ହୋଇଛନ୍ତି। ତେବେ ଏହି ଘଟଣା କେଉଁ କାରଣକୁ ନେଇ ହୋଇଛି ସେ ସମ୍ପର୍କରେ ସ୍ପଷ୍ଟ ଜଣାପଡି ନାହିଁ। ତେବେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଗୁଜରାଟରେ ୨ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ୧ ଡିସେମ୍ବରରେ ହେବାକୁ ଥିବା ବେଳେ ବର୍ତ୍ତମାନ ଆଇଆରବି ଜବାନଙ୍କ ଡ୍ୟୁଟିକୁ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ। ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଡିସେମ୍ବର ୫ ତାରିଖରେ ହେବ ଓ ୮ ତାରିଖରେ ଭୋଟ ଗଣନା ହେବ।
