ବିରାଟ ଶ୍ରେଷ୍ଠ ଅଧିନାୟକ

ସତ୍ୟପାଠ ସ୍ପୋର୍ଟ୍ସ ଡେକ୍ସ: ରେକର୍ଡ ହୋଇଥାଏ କେବଳ ଭାଙ୍ଗିବା ପାଇଁ । କ୍ରିକେଟ୍‌ ଖଳରେ ତ ଏହା ସାଧାରଣ କଥା । ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ପୁଣି ଥରେ ଇତିହାସ ରଚିଛନ୍ତି । ସେ ବିଶ୍ୱର ୩ ଜଣ ଶ୍ରେଷ୍ଠ ଟେଷ୍ଟ ଅଧିନାୟକ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି । ଅକ୍ଟୋବର ୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି । ଯଦି ସବୁକିଛି ଠିକଠାକ୍ ଚାଲେ, ତେବେ ବିରାଟ କୋହଲି ଏହି ଶୃଙ୍ଖଳା ଜିତି ୩୦ ଟେଷ୍ଟ ମ୍ୟାଚ ବିଜୟୀ ହେବାରେ ପ୍ରଥମ ଭାରତୀୟ ଅଧିନାୟକ ହୋଇପାରିବେ । କୋହଲି ଏଯାଏ ୨୮ଟି ଟେଷ୍ଟ ମ୍ୟାଚ ଜିତିଛନ୍ତି । ଏହା ହେଉଛି ଯେକୌଣସି ଭାରତୀୟ ଅଧିନାୟକଙ୍କଠାରୁ ଅଧିକ । ମହେନ୍ଦ୍ର ସିଂହ ଧୋନି ୨୭ଟି ଟେଷ୍ଟ ମ୍ୟାଚ ଜିତି ଦ୍ୱିତୀୟ ସଫଳ ଅଧିନାୟକ ହୋଇପାରିଛନ୍ତି । ଏହା ପଛକୁ ଅଛନ୍ତି ସୌରଭ ଗାଙ୍ଗୁଲି ।

୩୦ଟି ଟେଷ୍ଟ ମ୍ୟାଚରେ ଅଧିନାୟକତ୍ୱ କରିଥିବା ବିଶ୍ୱର ଶ୍ରେଷ୍ଠ ୫ ଜଣ ଟେଷ୍ଟ ଅଧିନାୟକଙ୍କୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଛି କ୍ରିକ୍ ଇନଫୋ । ରିପୋର୍ଟରେ ଭାରତର ଅଧିନାୟକ ବିରାଟ କୋହଲି ୫୮.୩ ପ୍ରତିଶତ ମ୍ୟାଚ ଜିତିଥିବା ସ୍ପଷ୍ଟ ହୋଇଛି । ସେ ପ୍ରତିଶତ ଆଧାରରେ ମ୍ୟାଚ ଜିତିବା କ୍ଷେତ୍ରରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କୋହଲିଙ୍କ ଆଗରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ୱ ଓ ରିକି ପଣ୍ଟିଂ । ଷ୍ଟିଭ ୱଙ୍କ ନେତୃତ୍ୱରେ ଅଷ୍ଟ୍ରେଲ୍ରିଆ ୭୧.୯ ପ୍ରତିଶତ ଓ ପଣ୍ଟିଂଙ୍କ ଅଧିନାୟକତ୍ୱରେ ୬୨.୩ ପ୍ରତିଶତ ମ୍ୟାଚ ଜିତିଛି । ଏହି ତିନି ଜଣଙ୍କ ପରେ ଇଂଲଣ୍ଡର ମାଇକ ବ୍ରେୟଲି ୫୮.୧ ପ୍ରତିଶତ, ୱେଷ୍ଟଇଣ୍ଡିଜର ଭିଭିଆନ ରିଚାଡ୍ସ ୫୪.୦ ପ୍ରତିଶତ ମ୍ୟାଚ ଜିତିଛନ୍ତି ।

Related Posts