ରେଙ୍ଗାଳିରେ ଭୟଙ୍କର ସ୍ଥିତି, ବ୍ୟବହାର କରିବାକୁ ବି ପାଣି ନାହିଁ

ସତ୍ୟପାଠ ବ୍ୟୁରୋ : ପାଣି ବିନା ଯେମିତି ରାଜ୍ୟରେ ହାହାକାର ସ୍ଥିତି ଉପୁଜିବାକୁ ଯାଉଛି । ଉପରମୁଣ୍ଡରେ ବର୍ଷା ନହେବା କାରଣରୁ ହୀରାକୁଦ ସ୍ଥିତି ସଂଗୀନ ଥିବା ବେଳେ ଏବେ ଏହାଠାରୁ ଭୟଙ୍କର ଚିତ୍ର ଆସିଛି ରେଙ୍ଗାଳିରୁ । ସ୍ଥିତି ଏମିତି ହୋଇଛି ଯେ, ରେଙ୍ଗାଳି ଡ୍ୟାମରେ ବ୍ୟବହାର କରିବାକୁ ବି ଆଉ ମିଟରେ ଉଚ୍ଚାର ବି ପାଣି ନାହିଁ । ଗତକାଲି ସଂଧ୍ୟା ସୁଦ୍ଧା ଜଳ ଭଣ୍ଡାରରେ ମାତ୍ର ୭୭ ସେମି ଉଚ୍ଚାର ବ୍ୟବହାର ଉପଯୋଗୀ ପାଣିଥିବା ଜଣାପଡିଛି । ଶ୍ରାବଣ ତ ଦୂରର କଥା ନିକଟ ଅତୀତରେ ଖରାଦିନେ ବି ଏମିତି ସ୍ଥିତି ହୋଇନଥିଲା ଯାହା ଏବେ ଦେଖାଦେଇଛି ।

ରେଙ୍ଗାଳି ବନ୍ୟା ନିୟନ୍ତ୍ରଣ କକ୍ଷ ସୂତ୍ର ମୁତାବକ, ଜଳଭଣ୍ଡାରର ଜଳସ୍ତର ଆଜି ରହିଛି ୧୧୦.୫୩ମିଟର। ଗତବର୍ଷ ଠିକ୍ ଆଜିର ଦିନରେ ଡ୍ୟାମ୍ରେ ଆଉ ଦୁଇ ମିଟର ଅଧିକ ଉଚ୍ଚତାର ପାଣି ଥିଲା। ଅର୍ଥାତ୍ ୧୧୨ମିଟର ଜଳସ୍ତର ରେକର୍ଡ କରାଯାଇଥିଲା। ନିୟମ ମୁତାବକ, ଜଳଭଣ୍ଡାରର ଡେଡ୍ ଷ୍ଟୋରେଜ୍ ଲେଭଲ ହେଉଛି ୧୦୯.୭୬ମିଟର। ଅର୍ଥାତ୍ ଜଳସ୍ତର ଏତିକି ତଳକୁ ଖସିଲେ ସେ ପାଣି ସାଧାରଣତଃ ବ୍ୟବହାର ଉପଯୋଗୀ ହୋଇ ପାରିବ ନାହିଁ। ବର୍ତ୍ତମାନ ଜଳଭଣ୍ଡାରରେ ଥିବା ୭୭ସେଣ୍ଟିମିଟର ଜଳସ୍ତରରୁ ହିଁ ଯାହା କିଛି ବ୍ୟବହାର କରାଯାଇ ପାରିବ। ସ୍ବଳ୍ପ ଜଳରୁ ସମଲ ବ୍ୟାରେଜକୁ ଜଳ ଛଡ଼ାଯାଉଛି।

ବିଦ୍ୟୁତ୍ ଉତ୍ପାଦନ ପୂରା ନିମ୍ନଗାମୀ ହୋଇଛି। ଡ୍ୟାମ୍ର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ହେଉଛି ୨୫୦ମେଗାୱାଟ୍। ୫ଟି ଟରବାଇନ୍ ସେଥିରେ ଖଞ୍ଜାଯାଇଛି। କିନ୍ତୁ, ଜଳାଭାବ ଯୋଗୁ ଗତ ୬ଘଣ୍ଟା ହେଲା ଟରବାଇନ୍ ବନ୍ଦ ରଖାଯାଇଥିବା ବେଳେ ହାରାହାରି ବିଦ୍ୟୁତ୍ ଉତ୍ପାଦନ ବର୍ତ୍ତମାନ ୨୫୦ ମେଗାୱାଟ୍ରୁ ୪୬.୮୫ମେଗାୱାଟ୍କୁ ଖସି ଆସିଥିବା ଡ୍ୟାମ୍ ସୂତ୍ରରୁ ଜଣାପଡ଼ିଛି। ଧାରା ଶ୍ରାବଣରେ ଯେଉଁଠି ୫ଟି ଯାକ ଟରବାଇନ୍ ଘୂରିବା କଥା, ସେଇଠି ବର୍ତ୍ତମାନ ହାରାହାରି ଦିନକୁ ଏବେ ଗୋଟିଏ କିମ୍ବା ଦୁଇଟି ଟରବାଇନ୍ ୪/୫ଘଣ୍ଟା ପାଇଁ ଚାଲୁ କରାଯାଉଛି। ଅନ୍ୟଗୁଡ଼ିକ ସବୁ ବନ୍ଦ ପଡ଼ିଥିବା ଜଣାପଡ଼ିଛି।

ବିଦ୍ୟୁତ୍ ଉତ୍ପାଦନରେ ୧୭୩.୯୩ଘନ ମିଟର ପାଣି ଡ୍ୟାମ୍ରୁ ନିଷ୍କାସନ କରାଯାଉଥିବା ବେଳେ ଉପର ମୁଣ୍ଡରେ ବର୍ଷା ନ ଥିବାରୁ ଡ୍ୟାମ୍ରେ ପାଣି ଭର୍ତ୍ତି ହେଉଛି ମାତ୍ର ୨୪.୯୬ଘନ ମିଟର। ଅର୍ଥାତ୍ ଡ୍ୟାମରେ ଏକ ଗୁଣ ପାଣି ଗଚ୍ଛିତ ରହୁଥିବା ବେଳେ ୭ଗୁଣ ଖର୍ଚ୍ଚ ଚାଲିଛି। ରେଙ୍ଗାଳିେର ଏମିତି ସଂକଟଜନକ ସ୍ଥିତି ନିକଟ ଅତୀତରେ କେବେ ହୋଇ ନ ଥିଲା। ଏତେ ତଳକୁ ଜଳସ୍ତର କେବେ ଖସି ନ ଥିଲା, ଯାହା ଚଳିତ ବର୍ଷର ଶୁଖିଲା ଶ୍ରାବଣ ଯୋଗୁ ହୋଇଛି ବୋଲି ଡ୍ୟାମ୍ ନିର୍ବାହୀ ଯନ୍ତ୍ରୀ ଅଜିତ ଜେନା କହିଛନ୍ତି। ଆଗାମୀ ଦିନରେ ବର୍ଷାକୁ ଆମେ ଅପେକ୍ଷା କରିଛୁ। ଅଗଷ୍ଟ ବେଳକୁ ଦୁଇ/ତିନି ଦିନ ମୂଷଳ ଧାରାରେ ବର୍ଷିଲେ ଡ୍ୟାମ୍ର ସଂକଟ ଟଳିଯିବ। ପାଣି ରହିଯିବ। କିନ୍ତୁ, ନିକଟ ଭବିଷ୍ୟତରେ ଆଦୌ ବର୍ଷା ନ ହେଲେ ସ୍ଥିତି ଆହୁରି ସଂଗିନ ହେବ ବୋଲି ଶ୍ରୀ ଜେନା ଆଶଙ୍କା ବ୍ୟକ୍ତ କରିଛନ୍ତି।

Related Posts