ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ଦିନକୁ ଦିନ ସୀମା ବିବାଦ ତେଜୁଥିବା ସମୟରେ ଆଜି ଉଦ୍ଧବ ଠାକ୍ରେ ଗୋଷ୍ଠୀର ଶିବସେନା ନେତା ସଞ୍ଜୟ ରାଉତ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଚୀନ୍ ଭାରତରେ ପ୍ରବେଶ କଲା ଭଳି ଆମେ କର୍ଣ୍ଣାଟକରେ ପ୍ରବେଶ କରିବୁ।
ସାମ୍ବାଦିକମାନଙ୍କ ସହିତ ଆଲୋଚନା କରିବା ବେଳେ ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି, କେତେ ଦଶନ୍ଧି ପୁରାତନ ଏହି ସୀମା ବିବାଦର ସମାଧାନ ଆଲୋଚନା ମାଧ୍ୟମରେ କରିବାକୁ ଆମେ ଚାହୁଁଛୁ। କିନ୍ତୁ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ବିବାଦ ବଢ଼ାଉଛନ୍ତି।
ଚୀନ୍ ଯେମିତି ଭାରତରେ ପଶିଛି, ଆମେ ବି ସେମିତି କର୍ଣ୍ଣାଟକରେ ପଶିବୁ। ଆମେ କାହର ଅନୁମତି ଲୋଡୁନାହୁଁ। ଆମେ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚାହୁଁଥିବା ବେଳେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସମସ୍ୟାକୁ ଜଟିଳ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ଦୁଇ ରାଜ୍ୟ ମଧ୍ୟରେ ସୀମାରେଖାକୁ ନେଇ ଉତ୍ତେଜନା ବୃଦ୍ଧି ପାଉଥିବା ସମୟରେ ସାସଂଦ ସଞ୍ଜୟ ରାଉତ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଏହି ମାମଲା ସୁପ୍ରିମ୍ କୋର୍ଟରେ ମଧ୍ୟ ପହଞ୍ଚି ସାରିଛି। ଏଥିପାଇଁ ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ସରକାର ମଧ୍ୟ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଚାଲିଥିବା ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନରେ ମଧ୍ୟ ବିରୋଧୀ ଦଳ ଏ ପ୍ରସଙ୍ଗ ଉଠାଇଛନ୍ତି।
