ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ? ପ୍ରତି ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପ୍ରଶ୍ନ ପ୍ରାୟ ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟେ । ଠିକ୍ ସେହିପରି ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ରାଜ୍ୟରେ ବିଜେପି ଜିତିଲେ ଦଳର ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି। ହେଲେ ଓଡ଼ିଶାରେ ବିେଜପିର ମଙ୍ଗ ଧରିଥିବା ଧର୍ମେନ୍ଦ୍ର ପ୍ରଧାନ ପରୋକ୍ଷରେ କହିଦେଇଛନ୍ତି ଯେ ଏଥର ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେେହରାରେ ନିର୍ବାଚନ ଲଢ଼ିବ, ଆଉ ଜିତିବ।
ଶନିବାର ଭୁବନେଶ୍ବରର ହୋଟେଲ ମେ’ ଫେୟାରରେ ଇଂରାଜୀ ଖବରକାଗଜ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍’ର ‘ଓଡ଼ିଶା ଲିଟେରାରି ଫେଷ୍ଟିଭାଲ୍’ରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା ପ୍ରଶ୍ନ ପଚାରିଥିଲେ ଯେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ବିଜେପି ଏବେ ଠାରୁ ନିଜର ଫର୍ମୁଲା କହିବନି। ମହାରାଷ୍ଟ୍ର ଓ ହରିୟାଣାରେ ବି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ଜିତିଛି। ଅନ୍ୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ବିନା ବିଜେପି ଜିତିଛି। ଓଡ଼ିଶାରେ ମଧ୍ୟ ବିଜେପି ଜିତିବ। ସେହିପରି ୨୦୨୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନ୍ଡିଏ ନିର୍ବାଚନ ଲଢ଼ିବ। ଆଉ ଲୋକସଭାରେ ୩୫୦ରୁ ଅଧିକ ଆସନ ପାଇ କେନ୍ଦ୍ରରେ ସରକାର ଗଢିବ ବୋଲି ଧର୍ମେନ୍ଦ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।





