ଫନୀ ପରେ ରତ୍ନଭଣ୍ଡାର ଠିକ୍ ଅଛି ତ ?

ସତ୍ୟପାଠ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଏବେ ବି ଅନ୍ଧାରରେ ଲୋକେ । ଭଣ୍ଡାର ଖୋଲିବା ପାଇଁ ଅନୁମତି ମିଳିବା, ଅଧା ଖୋଲା ହେବା, ଭିତର ଭଣ୍ଡାରର ଚାବି ହଠାତ ହଜିଯିବା , ଚାବି ଖୋଜିବାକୁ କମିଶନ ବସାଯିବା ଆଉ ଆକଷ୍ମିକ ଭାବେ ପୁଣି ଚାବି ମିଳିବା … ଏ ତମାମ ଘଟଣା ପୁରା ପ୍ରସଙ୍ଗକୁ କେବଳ ପ୍ରହେଳିକାମୟ କରି କୋଟି କୋଟି ଜଗନ୍ନାଥ ପ୍ରେମୀ ଏବଂ ଓଡିଶାବାସୀଙ୍କୁ ଅନ୍ଧାରରେ ରଖାଗଲା । ଯାହା ଏବେ ବି ଏକ ପ୍ରହେଳିକା ହୋଇ ରହି ଯାଇଛି । କିନ୍ତୁ ରତ୍ନଭଣ୍ଡାର ଖୋଲାଯାଇ ଭଣ୍ଡାରର ସମ୍ପତ୍ତି ସାର୍ବଜନୀନ କରିବାକୁ ପୁଣି ଦାବୀ ଉଠିଛି ।

୧୯୭୮ ମସିହାରେ ଶେଷ ଥର ପାଇଁ ଖୋଲିଥିଲା ରତ୍ନଭଣ୍ଡାର । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଓ ଆଇନମନ୍ତ୍ରୀ ବିଶ୍ୱଭୁଷଣ ହରିଚନ୍ଦନଙ୍କ ପ୍ରଚେଷ୍ଟାରେ ଏହା ଖୋଲା ଯାଇଥିବା କୁହାଯାଏ । ସେହି ସମୟର ହିସାବ କୁହେ, ସେତେବେଳେ ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାରରେ ୧୨,୮୩୮ ଭରି ଏକଅଣା ଓଜନର ମୂଲ୍ୟବାନ ପଥର ସହିତ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଏବଂ ୨୨,୧୫୩ ଭରି ରୂପ ବାସନକୁସନ ଓ ପୂଜା ସାମଗ୍ରୀର ତାଲିକା ପ୍ରସ୍ତୁତ ହୋଇଥିଲା । ଭିନ୍ନ ଭିନ୍ନ କାରଣରୁ ୧୪ଟି ସୁନା ଓ ରୁପା ଜିନିଷର ଓଜନ କରାଯାଇ ନଥିବାରୁ ତାହାର ପରିମାଣ କେତେ ସେ ସମ୍ପର୍କରେ କିଛି ନିର୍ଦ୍ଧାରଣ କରାଯାଇ ନଥିଲା ।
କିନ୍ତୁ ଦୁଇବର୍ଷ ତଳେ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ କମିଟି ଭିତରକୁ ଯିବା ବେଳେ ଭିତରର ଭଣ୍ଡାରର ଚାବି ମିଳି ନଥିଲା । ସରକାରୀ ଟ୍ରେଜେରୀରୁ ଚାବି ଗାଏବ ହୋଇଯାଇଥିବା ଜଣାପଡିବା ପରେ ଏହାକୁ ଖୋଜିବା ଓ ଏ ବାବଦରେ ତଦନ୍ତ କରିବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କମିଶନ ବସାଇଥିଲେ ସରକାର । ପରବର୍ତ୍ତୀ ସମୟରେ ନକଲି ଚାବି ମିଳିଥିବା ତକ୍ରାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଥିଲେ । କିନ୍ତୁ ଅସଲି ଚାବି ଖୋଜିବା ପାଇଁ କମିଶନଙ୍କ ପିଛା ୨୬ଲକ୍ଷ ଟଙ୍କା ସରକାର ଖର୍ଚ୍ଚ କରିଥିବା ବେଳେ କମିଶନ କିନ୍ତୁ ଚାବି ପାଇନଥିଲେ ।
ଏହାରି ଭିତରେ ବଡ ପ୍ରଶ୍ନ ହେଉଛି, ଗଲା ୪୧ବର୍ଷ ହେଲା ଭଣ୍ଡାର ଘର ଖୋଲା ଯାଇନି । କେବଳ ଶ୍ରୀଜିଉଙ୍କ ଦୈନନ୍ଦିନ ସେବା ପୂଜା ଓ ନୀତିକାନ୍ତି ପାଇଁ ବାହାର ଭଣ୍ଡାରରୁ ଯେତିକି ଗହଣା ଓ ବାସନକୁସନ ଆସେ । କିନ୍ତୁ ଭିତର ଭଣ୍ଡାର ଖୋଲାଯାଇ ନଥିବାରୁ ଭଣ୍ଡାର ଘର ଭିତରର ସ୍ଥିତି ଓ ସମ୍ପତ୍ତିର ଅବସ୍ଥା କିଭଳି ରହିଛି ତାହା ପ୍ରଶ୍ନ ହୋଇ ରହି ଯାଇଛି । ଯେଉଁ କମିଟି ଦୁଇବର୍ଷ ତଳେ ରତ୍ନଭଣ୍ଡାର ଖୋଲିବାକୁ ଯାଇଥିଲେ ସେମାନେ କଣ ରିପୋର୍ଟ ଦେଲେ ଓ ତା ପରର ସ୍ଥିତି କଣ ତାହା ବି କାହାକୁ ଜଣାନାହିଁ ।

ଆଇନ୍ ବିଶେଷଜ୍ଞମାନେ କହୁଛନ୍ତି ଯେ ପ୍ରାୟ ୪୧ ବର୍ଷ ଧରି ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାରରେ ଥିବା ସାମଗ୍ରୀର ସ୍ଥିତି ପରଖା ଯାଇପାରୁନଥିବା ବେଳେ ଆଇନ୍ଗତ ବ୍ୟବସ୍ଥା ଅନୁଯାୟୀ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଇନ୍ଭେଣ୍ଟ୍ରି କରି ତାଲା ଭାଙ୍ଗି ଗଚ୍ଛିତ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିପାରିବେ ।
ଏଥିପାଇଁ କୌଣସି ଆଇନ୍ଗତ ପ୍ରତିବନ୍ଧକ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ଏ ସଂକ୍ରାନ୍ତରେ ସରକାରଙ୍କ କାର‌୍ୟ୍ୟାନୁଷ୍ଠାନ ପାଇଁ ଅପେକ୍ଷା କରିଥିବା ବେଳେ ଆଇନ୍ ବିଭାଗରୁ କିନ୍ତୁ ସବୁଜ ସଙ୍କେତ ଏଯାବତ୍ ମିଳିନାହିଁ । ଏ ପରିପ୍ରକ୍ଷୀରେ ଲୀଳାମୟ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାରର ସମ୍ପତ୍ତି ପ୍ରହେଳିକା ପରି ରହିଛି ।

Related Posts