ସରକାରୀ ଶିକ୍ଷାନୁଷ୍ଠାନରେ ଡିଜିଟାଲ ପେମେଣ୍ଟ କେବେ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସମୟ ବଦଳିବା ସଙ୍ଗେ ସଙ୍ଗେ ଡିଜିଟାଲ ଉପରେ ସମସ୍ତଙ୍କ ନିର୍ଭରତା ଦିନକୁ ଦିନ ବୃଦ୍ଧି ପାଉଛି। ବିଶେଷ କରି କରୋନା କାଳରେ ଡିଜିଟାଲ ପେମେଣ୍ଟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ବିଶେଷକରି କଲେଜଗୁଡିକରେ ଡିଜିଟାଲ ପେମେଣ୍ଟ କାରବାର ବୃଦ୍ଧି ପାଇପାରୁ ନାହିଁ । ଆଡମିସନ ସାଙ୍ଗକୁ ଓ ଅନ୍ୟାନ୍ୟ ଦେୟ ପଇଠ ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଏବେ ବି ଲମ୍ବା ଲାଇନରେ ଛିଡା ହୋଇ ନଗଦ ଟଙ୍କା ପଇଠ କରିବାକୁ ପଡୁଛି।

ସାରା ରାଜ୍ୟରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିବା ବେଳେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ର ଓ ଛାତ୍ରୀ ମାନଙ୍କର ରିଆଡମିଶନ ପ୍ରକ୍ରିୟା ଚାଲିଛି । ଆଉ ଏଥିପାଇଁ ନିଜ ନିଜ କଲେଜରେ ନଗଦ ଟଙ୍କା ପଇଠ କରିବାକୁ ପଡୁଛି। କିନ୍ତୁ ଅଧିକଂଶ କଲେଜରେ ଡିଜିଟାଲ ପେମେଣ୍ଟର ବ୍ୟବସ୍ଥା ନାହିଁ । ଅନ୍‍ଲାଇନ୍‍ରେ ଅର୍ଥ ପଇଠ ହୋଇପାରୁ ନଥିବାରୁ ଏବେ ବି ସେହି ପୁରୁଣା ଢାଞ୍ଚାରେ କଲେଜଗୁଡିକରେ ନଗଦ ଅର୍ଥ ରଖାଯିବା ସହିତ ଲମ୍ବା ରସିଦ ଦିଆଯାଉଛି । ଏବଂ ଛାତ୍ରଛାତ୍ରୀମାନେ ଅର୍ଥ ପଇଠ କରିବାକୁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେଉଛନ୍ତି । ଯେଉଁମାନେ ଧାର୍ଯ୍ୟ ଅର୍ଥ ନେଉନାହାନ୍ତି ସେମାନେ ଫେରସ୍ତ ପାଇଁ ବି ଆଉ କିଛି ସମୟ ଅପେକ୍ଷା କରୁଛନ୍ତି ।

ଅନ୍ୟ ପକ୍ଷରେ ଯେଉଁ ଶିକ୍ଷାନୁଷ୍ଠାନ ଗୁଡିକରେ ନଗଦ ଅର୍ଥ ବଦଳରେ ବ୍ୟାଙ୍କ ଚାଲାଣ ବ୍ଯବସ୍ଥା ରହିଛି ସେଠାକାର ଅବସ୍ଥା ଅବସ୍ଥା ଆହୁରି ଦୟନୀୟ । ଛାତ୍ରଛାତ୍ରୀ ହୁଅନ୍ତୁ କିମ୍ବା ଅଭିଭାବକ ଘଣ୍ଟା ଘଣ୍ଟା ଧରି ବ୍ୟାଙ୍କ କାଉଣ୍ଟରରେ ଧାଡି ଲଗାଇବା ସହିତ ଚାଲାଣ ପାଇଁ ଲମ୍ବା ଲମ୍ବା ଫର୍ମ ପୂରଣ କରିବାକୁ ପଡୁଛି । ବ୍ୟାଙ୍କ୍‍ରେ ଅର୍ଥ ଜମା କରିବା ପରେ ସେହି ରସିଦକୁ ଆଣି ପୁଣିଥରେ କଲେଜରେ ଦାଖଲ କରିବାକୁ ପଡୁଛି ।

ଯେହେତୁ ସରକାର ଏବେ ସବୁ ସ୍ଥାନରେ ଡିଜିଟାଲ ଓ ଅନ୍‍ଲାଇନ୍‍ ପେମେଣ୍ଟ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଉଛନ୍ତି ତେଣୁ ଶିକ୍ଷାନୁଷ୍ଠାନ ଗୁଡିକରେ କାହିଁକି ପୂର୍ବଭଳି ନଗଦ ଆଦାୟ ହେଉଛି ତାହାକୁ ନେଇ ଏବେ ଅନେକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଅନ୍‍ଲାଇନ୍‍ରେ ପାଠ ପଢାଯାଉଥିବାବେଳେ ଫି ଜମା କରିବାକୁ ଧାଡିରେ ଛିଡା ହେବାକୁ ପଡୁଛି ।

ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡିକରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ମାସିକ ଫି ଏବଂ ଅନ୍ୟାନ୍ୟ ଦେୟ ଅନ୍‍ଲାଇନ୍‍ରେ ପଇଠ କରୁଛନ୍ତି । କିନ୍ତୁ ରାଜ୍ୟ ସରକାର ଏ ଦିଗରେ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନେଇ ନାହାନ୍ତି । ଏହି କାରଣରୁ କେଉଁ ଶିକ୍ଷାନୁଷ୍ଠାନ କେତେ ପରିମାଣରେ ଫି ନେଉଛି ତାହା ସରକାରଙ୍କ ନଜରକୁ ଆସୁନଥିବାବେଳେ ଆଦାୟ ହେଉଥିବା ଟଙ୍କା ତିନି ଚାରିଦିନ ପରେ ରାଜକୋଷକୁ ଆସୁଛି ।

ପ୍ରାୟ ଦେଢବର୍ଷ ତଳୁ ରାଜ୍ୟର ଦୁଇ ଜିଲ୍ଲା କଟକ ଓ ବଲାଙ୍ଗିରରେ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଡିଜିଟାଲ ପେମେଣ୍ଟ ଆରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ କାର୍ଯ୍ୟକାରୀ କରିବାର ଯୋଜନା ଥିଲା । ବର୍ତ୍ତମାନ ଅନଲାଇନ ପେମେଣ୍ଟ ଦିଗରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ତୁରନ୍ତ ଦୃଷ୍ଟିଦେବା ଆବଶ୍ୟକ ବୋଲି ଦାବି ଉଠିଛି । 

Related Posts