ସତ୍ୟପାଠ ବ୍ୟୁରୋ : ୧୨ ବର୍ଷ ତଳେ ପବିତ୍ର ଜନ୍ମାଷ୍ଟମୀ ତିଥୀରେ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା । ତେଣୁ ପ୍ରତିବର୍ଷ ଜନ୍ମାଷ୍ଟମୀରେ ପଡ଼ୁଥିବା ତାଙ୍କ ତିରୋଧନା ଦିବସରେ ସ୍ୱାମୀଙ୍କୁ ମନେପକାଇବା ପାଇଁ କନ୍ଧମାଳ ଜିଲ୍ଲାର ଜଳେଶପଟ୍ଟା ଓ ଚକାପଦା ଆଶ୍ରମରେ ବଡ଼ଧରଣର ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମ ହୋଇଥାଏ । ଏଥିସହ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ମଧ୍ୟ ସ୍ମୃତିସଭା ଆୟୋଜିତ ହୋଇଥାଏ । ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ ଆଶ୍ରମରେ ନିରାଡ଼ମ୍ବର ସହକାରେ ସ୍ୱାମୀଜୀଙ୍କ ତିରୋଧନା ଦିବସ ପାଳିତ ହୋଇଛି ।
୨୦୦୮ ଅଗଷ୍ଟ ୨୩ ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଥିବା ବେଳେ ଜଳେଶପଟ୍ଟା ଆଶ୍ରମ ଭିତରେ ପଶି ସ୍ୱାମୀଜୀଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଥିଲା । ସ୍ୱାମୀଜୀଙ୍କୁ ରକ୍ଷା କରିବାକୁ ଯାଇ କେତେଜଣ ଭକ୍ତ ଓ ଅନୁଗାମୀ ବି ଆକ୍ରମଣା ଶିକାର ହୋଇଥିଲେ । ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ସ୍ୱାମୀଜୀ ଓ ତାଙ୍କର ଚାରି ଜଣ ଅନୁଗତ ବି ଆଖି ବୁଜିଥିଲେ । ଏହାକୁ ନେଇ କନ୍ଧମାଳରେ ସାମ୍ପ୍ରଦାୟିକ ହିଂସା ହୋଇଥିଲା । ପାଖାପାଖି ବହୁ ମାସ ଧରି ହିଂସା ଲାଗି ରହିଥିଲା । ଏଥିରେ ବହୁ ଲୋକ ମୃତାହାତ ହୋଇଥିଲେ । ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିଲା । ସ୍ୱାମୀଜୀଙ୍କ ହତ୍ୟା ଘଟରାକୁ ପ୍ରଥମେ ପୁଲିସ୍ ତଦନ୍ତ କରିଥିବା ବେଳେ ପରେ ଏହାକୁ କ୍ରାଇମ୍ବ୍ରାଂଚକୁ ଦିଆଯାଇଥିଲା । କ୍ରାଇମବ୍ରାଂଚ ତଦନ୍ତ କରି ପ୍ରଥମ ପର୍ଯ୍ୟାୟରେ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୮ ଜଣଙ୍କ ମଧ୍ୟରୁ ୭ଜଣଙ୍କୁ କୋର୍ଟ ଦଣ୍ଡ ପ୍ରଦାନ କରିଥିବା ବେଳେ ଜଣେ ଖଲାସ ହୋଇଥିଲା । ଏହି ଘଟଣାରେ ମାଓନେତା ସବ୍ୟସଚୀ ପଣ୍ଡା, ଆଜାଦଙ୍କ ସମେତ ଅନ୍ୟ କେତେ ଜଣଙ୍କ ନାମରେ ମାମଲା ଏବେବି କୋର୍ଟରେ ବିଚାରଧୀନ ରହିଛି ।
ସରକାର ଏହି ଘଟଣାର ତଦନ୍ତ କମିଶନ ଗଠନ କରିଥିଲେ । ଜଷ୍ଟିସ୍ ଶରତଚନ୍ଦ୍ର ମହାପାତ୍ର କମିଶନ ସରକାରୀ ଓ ବେସରକାରୀ ସାକ୍ଷୀଙ୍କୁ ସାକ୍ଷ୍ୟ ଗ୍ରହଣ କରିଥିଲେ । ୨୦୧୨ ମସିହାରେ ଜଷ୍ଟିସ୍ ଶ୍ରୀ ମହାପାତ୍ରଙ୍କ ପରଲୋକ ପରେ ଜଷ୍ଟିସ୍ ଏ.ଏସ୍ ନାଇଡ଼ୁଙ୍କୁ ତଦନ୍ତ କମିଶନ ଭାବରେ ନିଯୁକ୍ତି ଦିଆଯାଇଥିଲା । ନାଇଡ଼ୁ କମିଶନ ଗତ ୨୦୧୫ ଡ଼ିସେମ୍ବରରେ ୧୦୨୦ ପୃଷ୍ଟା ସମ୍ବଳିତ ତଦନ୍ତ ରୀପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ହେଲେ ତଦନ୍ତ କମିଶନଙ୍କ ରିପୋର୍ଟ ଆଜି ସୁଦ୍ଧା ସାର୍ବଜନୀନ କରାଯାଇନାହିଁ ।
ଆଇନି ଶୃଙ୍ଖଳା ଦୃଷ୍ଟିରୁ ଚଳିତ ବର୍ଷ ଆଶ୍ରମ ପରିସରରେ ଓ ବାହାରେ ବ୍ୟାପକ ପୁଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାଓ ପ୍ରଭାବିତ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଯାଂଚକୁ ଜୋରଦାର କରାଯାଇଛି । ଜନ୍ମାଷ୍ଟମୀ ପାଇଁ ଜିଲ୍ଲରେ ୫ ପ୍ଲାର୍ଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିବା ଏସ୍.ପି ଭିନତୀ ଅଗ୍ରୱାଲ୍ ସୂଚନା ଦେଇଛନ୍ତି ।





