କେବେ ସାର୍ବଜନୀନ ହେବ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ମୃତ୍ୟୁ ତଦନ୍ତ ?

ସତ୍ୟପାଠ ବ୍ୟୁରୋ : ୧୨ ବର୍ଷ ତଳେ ପବିତ୍ର ଜନ୍ମାଷ୍ଟମୀ ତିଥୀରେ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା । ତେଣୁ ପ୍ରତିବର୍ଷ ଜନ୍ମାଷ୍ଟମୀରେ ପଡ଼ୁଥିବା ତାଙ୍କ ତିରୋଧନା ଦିବସରେ ସ୍ୱାମୀଙ୍କୁ ମନେପକାଇବା ପାଇଁ କନ୍ଧମାଳ ଜିଲ୍ଲାର ଜଳେଶପଟ୍ଟା ଓ ଚକାପଦା ଆଶ୍ରମରେ ବଡ଼ଧରଣର ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମ ହୋଇଥାଏ । ଏଥିସହ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ମଧ୍ୟ ସ୍ମୃତିସଭା ଆୟୋଜିତ ହୋଇଥାଏ । ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ ଆଶ୍ରମରେ ନିରାଡ଼ମ୍ବର ସହକାରେ ସ୍ୱାମୀଜୀଙ୍କ ତିରୋଧନା ଦିବସ ପାଳିତ ହୋଇଛି ।୨୦୦୮ ଅଗଷ୍ଟ ୨୩ ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଥିବା ବେଳେ ଜଳେଶପଟ୍ଟା ଆଶ୍ରମ ଭିତରେ ପଶି ସ୍ୱାମୀଜୀଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଥିଲା । ସ୍ୱାମୀଜୀଙ୍କୁ ରକ୍ଷା କରିବାକୁ ଯାଇ କେତେଜଣ ଭକ୍ତ ଓ ଅନୁଗାମୀ ବି ଆକ୍ରମଣା ଶିକାର ହୋଇଥିଲେ । ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ସ୍ୱାମୀଜୀ ଓ ତାଙ୍କର ଚାରି ଜଣ ଅନୁଗତ ବି ଆଖି ବୁଜିଥିଲେ । ଏହାକୁ ନେଇ କନ୍ଧମାଳରେ ସାମ୍ପ୍ରଦାୟିକ ହିଂସା ହୋଇଥିଲା । ପାଖାପାଖି ବହୁ ମାସ ଧରି ହିଂସା ଲାଗି ରହିଥିଲା । ଏଥିରେ ବହୁ ଲୋକ ମୃତାହାତ ହୋଇଥିଲେ । ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିଲା । ସ୍ୱାମୀଜୀଙ୍କ ହତ୍ୟା ଘଟରାକୁ ପ୍ରଥମେ ପୁଲିସ୍ ତଦନ୍ତ କରିଥିବା ବେଳେ ପରେ ଏହାକୁ କ୍ରାଇମ୍ବ୍ରାଂଚକୁ ଦିଆଯାଇଥିଲା । କ୍ରାଇମବ୍ରାଂଚ ତଦନ୍ତ କରି ପ୍ରଥମ ପର୍ଯ୍ୟାୟରେ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୮ ଜଣଙ୍କ ମଧ୍ୟରୁ ୭ଜଣଙ୍କୁ କୋର୍ଟ ଦଣ୍ଡ ପ୍ରଦାନ କରିଥିବା ବେଳେ ଜଣେ ଖଲାସ ହୋଇଥିଲା । ଏହି ଘଟଣାରେ ମାଓନେତା ସବ୍ୟସଚୀ ପଣ୍ଡା, ଆଜାଦଙ୍କ ସମେତ ଅନ୍ୟ କେତେ ଜଣଙ୍କ ନାମରେ ମାମଲା ଏବେବି କୋର୍ଟରେ ବିଚାରଧୀନ ରହିଛି ।

ସରକାର ଏହି ଘଟଣାର ତଦନ୍ତ କମିଶନ ଗଠନ କରିଥିଲେ । ଜଷ୍ଟିସ୍ ଶରତଚନ୍ଦ୍ର ମହାପାତ୍ର କମିଶନ ସରକାରୀ ଓ ବେସରକାରୀ ସାକ୍ଷୀଙ୍କୁ ସାକ୍ଷ୍ୟ ଗ୍ରହଣ କରିଥିଲେ । ୨୦୧୨ ମସିହାରେ ଜଷ୍ଟିସ୍ ଶ୍ରୀ ମହାପାତ୍ରଙ୍କ ପରଲୋକ ପରେ ଜଷ୍ଟିସ୍ ଏ.ଏସ୍ ନାଇଡ଼ୁଙ୍କୁ ତଦନ୍ତ କମିଶନ ଭାବରେ ନିଯୁକ୍ତି ଦିଆଯାଇଥିଲା । ନାଇଡ଼ୁ କମିଶନ ଗତ ୨୦୧୫ ଡ଼ିସେମ୍ବରରେ ୧୦୨୦ ପୃଷ୍ଟା ସମ୍ବଳିତ ତଦନ୍ତ ରୀପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ହେଲେ ତଦନ୍ତ କମିଶନଙ୍କ ରିପୋର୍ଟ ଆଜି ସୁଦ୍ଧା ସାର୍ବଜନୀନ କରାଯାଇନାହିଁ ।

ଆଇନି ଶୃଙ୍ଖଳା ଦୃଷ୍ଟିରୁ ଚଳିତ ବର୍ଷ ଆଶ୍ରମ ପରିସରରେ ଓ ବାହାରେ ବ୍ୟାପକ ପୁଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାଓ ପ୍ରଭାବିତ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଯାଂଚକୁ ଜୋରଦାର କରାଯାଇଛି । ଜନ୍ମାଷ୍ଟମୀ ପାଇଁ ଜିଲ୍ଲରେ ୫ ପ୍ଲାର୍ଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିବା ଏସ୍‌.ପି ଭିନତୀ ଅଗ୍ରୱାଲ୍ ସୂଚନା ଦେଇଛନ୍ତି ।

Related Posts