୨୦ବର୍ଷ ଶାସନପରେ ୭ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରୁଛ ପକ୍କାଘର କୁଆଡେ ଗଲା : ବିରୋଧୀ ଦଳ (କଂଗ୍ରେସ , ବିଜେପି)

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର : ବାତ୍ୟା ‘ୟାସ୍‌’ ଲେଉଟିବାର କିଛି ସମୟ ବ୍ୟବଧାନରେ ସରକାରଙ୍କ ବାତ୍ୟ ମୁକାବିଲା ପଦକ୍ଷେପକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ହୋଇଛି।ୟାସ୍ ବାତ୍ୟାରେ ୭ଲକ୍ଷ ଜନସାଧାରଣଙ୍କ ଆଶ୍ରୟସ୍ଥଳୀ ସ୍ଥାନାନ୍ତର ହୋଇଥିବାକୁ ନେଇ ରାଜ୍ୟର ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବିଜେଡି ସରକାର ଉପରେ ବର୍ଷିଛନ୍ତି । ୨୦ବର୍ଷର ନିରଙ୍କୁଶ ଗାଦି ହାସଲ କରି ଜନସାଧାରଣଙ୍କୁ କାହିଁକି ଖଣ୍ଡେ ପକ୍କାଘର ଦେଇପାରୁନାହଁ ଓ ବିଭିନ୍ନ ଯୋଜନାରେ ଆସୁଥିବା ପକ୍କାଘର ଅନୁଦାନ କୁଆଡ଼େ ଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ,୧୯୯୯ ମହାବାତ୍ୟା ପରେ ଚଳିତ ବର୍ଷର ପ୍ରଥମ ‘ୟାସ’କୁ ମିଶାଇ ପାଖାପାଖି ୮ଟି ବାତ୍ୟାକୁ ଓଡିଶା ଅତି ନିକଟରୁ ସାମ୍ନା କରିଛି । କିନ୍ତୁ ବିଡମ୍ବନା ପ୍ରତିଥର ବନ୍ୟା ଓ ବାତ୍ୟା ଆସିଲେ ରାଜ୍ୟରେ ସଂଖ୍ୟାଧିକ ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯାଉଥିବାର ଦେଖାଯାଉଛି, ଏହାର ଅର୍ଥ କ’ଣ ହୋଇପାରେ ? ଏପର୍ଯ୍ୟନ୍ତ ରାଜ୍ୟରେ ବାତ୍ୟା ପ୍ରଭାବିତ ଜିଲ୍ଲାର ତଳିଆ ଅଞ୍ଚଳଗୁଡିକରେ କଚ୍ଚା ଘର ବା ଟିଣ ନଡା ଛପର ଘର କରି ରହିଥିବା ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେବାରେ ସରକାର ସକ୍ଷମ ହୋଇନାହାନ୍ତି ଏହା ସତ୍ୟ କି ନୁହେଁ ? ଦୁଇ ଦଶନ୍ଧିର ସରକାରଙ୍କର ସଫଳତା କେତେ ଏ ବାତ୍ୟାକୁ ମୁକାବିଲା ଓ ପରିଚାଳନା କରିବାରେ ଜଣାପଡୁଛି ! ୨୦୨୨ ମସିହା ସୁଦ୍ଧା ଗ୍ରାମାଞ୍ଚଳର ପ୍ରତ୍ୟେକ ଅଧିବାସୀଙ୍କୁ ପକ୍କା ବାସଗୃହ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ମିଛ ଡିଣ୍ଡିମ ପିଟୁଛନ୍ତି। ୨୨ ହେବାକୁ ଆଉ ମାତ୍ର ଅଳ୍ପ କିଛି ମାସର ଅପେକ୍ଷା । ଯଦି ‘ୟାସ’ ବାତ୍ୟା ଯୋଗୁ ୪ଟି ଜିଲ୍ଳାରେ ୭ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି, ତାହାହେଲେ ଚିନ୍ତାକରନ୍ତୁ ଯଦି ଏ ବାତ୍ୟାର ପ୍ରଭାବ ୧୦ରୁ ୧୨ ଟି ଜିଲ୍ଲାକୁ ପଡ଼ିଥାନ୍ତା ତାହାହେଲେ ପାଖାପାଖି ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଥାନ୍ତାକି ନାହିଁ ?ସରକାରୀ ସୂଚନା ମୁତାବକ ବାତ୍ୟା ୟାସ୍ ପ୍ରଭାବରେ କ୍ଷତିଗ୍ରସ୍ତ ହେବାକୁ ଥିବା ମୋଟ ୭ଲକ୍ଷ ୩ ହଜାର ଜନସାଧାରଣଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଥିଲା । ବାସ୍ତବରେ ଏ ତଥ୍ୟ ଅନୁଯାୟୀ ଅଳ୍ପ କିଛି ମାସ ଭିତରେ ରାଜ୍ୟ ସରକାର ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପକ୍କାଘର ଯୋଗାଇ ଦେଇପାରିବା ନେଇ ପ୍ରଶ୍ନ ଉଠୁଛି । ପ୍ରାକୃତିକ ବ୍ୟପର୍ଯ୍ୟୟର ଚିର ସହଚର ଓଡ଼ିଶା ରାଜ୍ୟ କ୍ରମାଗତ ୨୧ବର୍ଷ ଧରି ବହୁମତ ସହ ସ୍ଥିର ଶାସନ ରହିଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ଏକ ସ୍ଥାୟୀ ସମାଧାନ କରିବାରେ ସରକାର ଅସମର୍ଥ ଓ ଅବହେଳା କରୁଛନ୍ତି କାହିଁକି ?ଗୋଟିଏ ଉଦ୍ଦେଶ୍ୟ କେବଳ ଗଣମାଧ୍ୟମରେ ପ୍ରଚାର ପ୍ରସାର କରି ବାହାବା ନେବା ଏବଂ କିଭଳି ଏବଂ କେଉଁ ଉପାୟରେ ଯେନତେନ ପ୍ରକାରେଣ ପୁରସ୍କାର ଖଣ୍ଡେ ହାତେଇବା ସେଥିପାଇଁ ଯଦି ସରକାର ଲାଳାୟିତ ହେଉଥିବେ ତେବେ ରାଜ୍ୟର ସଂକଟର ସ୍ଥାୟୀ ସମାଧାନ ଓ ବିକଶିତ ରାଜ୍ୟ କିଭଳି ହେବ ? ୨୦ବର୍ଷର ଲମ୍ବା ଶାସନ ଭିତରେ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ଘର ପାଇଥିବା ଲୋକ ସଂଖ୍ୟା କେତେ ? ଓ ଇନ୍ଦିରା ଆବାସ କେତେଲୋକ ପାଇଛନ୍ତି ଏବଂ ୨୦୧୪ ରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ କେତେଲୋକଙ୍କୁ ଘର ମିଳିଛି ଏହାର ଏକ ସବିଶେଷ ତଥ୍ୟ ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ । କେବଳ କାଗଜ କଲମରେ ଲୋକଙ୍କୁ ଘର ବଣ୍ଟନ ହୋଇଛି ନା ଘର ପ୍ରକୃତରେ ତିଆରି ହୋଇଛି ତାହାକୁ ମଧ୍ୟ ଗୁରୁତ୍ୱଦେବା ଆବଶ୍ୟକ ।  ୨୦୦୦ ରୁ ୨୦୨୧ ଦୀର୍ଘ ସମୟ ମଧ୍ୟରେ ରାଜ୍ୟର ଏ ସର୍ବବୃହତ୍ତ ସ୍ୱାର୍ଥରକ୍ଷା ଦିଗରେ ସରକାର କଣ ପଦକ୍ଷେପ ନେଇଛନ୍ତି ଓ ସ୍ଥାୟୀ ସମାଧାନ ଦିଗରେ ସରକାର ଚିନ୍ତା କରିଛନ୍ତି ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ଅନୁରୂପ ଭାବେ ଧାମନଗର ବିଧାୟକ ତଥା ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ ପ୍ରତିକ୍ରିୟାରେ କହିଛନ୍ତି, ଯଦି ଏଭଳି ପ୍ରାକୃତିକ ଦୁର୍ବିପାକ ବନ୍ୟା ବାତ୍ୟା ବେଳେ ଲକ୍ଷାଧିକ ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯାଉଛି, ତା’ହେଲେ ୨୦ବର୍ଷ ଧରି ପକ୍କାଘର ସବୁ କୁଆଡେ ଯାଉଥିଲା କାହାକୁ ଦିଆ ହେଉଥିଲା ଏଥିରୁ ଅନୁମାନ କରିପାରୁଥିବେ ? ଇନ୍ଦିରାଆବାସ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ, ବିଜୁ କୁଡ଼ିଆ ଆଦି ଯୋଜନା ଗୁଡିକର ସଫଳ ରୂପାୟନ ହେଉଛି ତ ? । ୨୦ବର୍ଷ ହେଲା ସରକାର ପକ୍କାଘର ଯୋଗାଉଛନ୍ତି ଓ ଭଲ ପ୍ରଦର୍ଶନ ପାଇଁ ପୁରସ୍କାର ପାଉଥିବାର ନଜିର ମଧ୍ୟ ଅଛି । ହେଲେ ଏସବୁ ଘର କିଏ ନେଉଛି, ପାଉଛି କିଏ ତାହା ପ୍ରଶ୍ନବାଚୀ ! ଯଦି ସଂଖ୍ୟାଧିକ ଜନସାଧାରଣଙ୍କୁ ଏଭଳି ଦୈବୀ ଦୁର୍ବିପାକ ସମୟରେ ସ୍ଥାନାନ୍ତର କରାଯାଉଛି, ଏଥିରୁ ସରକାରଙ୍କ ପାରିବାପଣିଆ କେତେ ତାହା ସ୍ପଷ୍ଟ ଜଣାପଡୁଛି । ନିକଟରେ କେନ୍ଦ୍ର ସରକାର ୮ଲକ୍ଷ ଘର ଓଡ଼ିଶା ପାଇଁ ଅନୁମୋଦନ ଦେଇଛନ୍ତି । ଏହି ଘର ସବୁ କିଏ ପାଇବ ? ପୁଣି ବାତ୍ୟା ହେଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବକି ବୋଲି ଶ୍ରୀ ସେଠୀ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରାକ୍ ଆକଳନଠୁ ୟାସ୍ ର ପ୍ରଭାବ କମ୍ ରହିଥିଲା, ନହେଲେ ବହୁ କ୍ଷୟକ୍ଷତି ଘଟିଥାନ୍ତା ।ଅପର ପକ୍ଷରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ଓଡ଼ିଶା ପାଇଁ ବିଶେଷ ଭାବରେ ସ୍ୱତନ୍ତ୍ର ସହାୟତାର ଆବଶ୍ୟକତା ରହିଛି । ଓଡ଼ିଶା ୧୦୦ବର୍ଷ ଭିତରେ ୧୩୬ଥର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଶେଷ ପରେ କେନ୍ଦ୍ରରୁ ସହାୟତା ମିଳିବ ବୋଲି ଆମେ ଆଶା ରଖିଛୁ ।

Related Posts