ମିଶ୍ରେ ଆପଣ ମିଛ କହିଲେ ! ବିଜୁଙ୍କ ନାଁରେ ବାହାସ୍ଫୋଟ

ସତ୍ୟପାଠ ବ୍ୟୁରୋ : ବିଜେଡି ନେତା ନିଜର ରାଜନୈତିକ ଅସ୍ତୀତ୍ୱକୁ ବଜାୟ ରଖିବା ପାଇଁ ବିଜୁ ବାବୁଙ୍କ ନାଁକୁ କିଭଳି ପବନରେ ବିକୁଛନ୍ତି ତାହାର ସଦ୍ୟତମ ଉଦାହରଣ ହେଉଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ବାବୁ ହେଉଛନ୍ତି ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ । ପୁରୀର ସାଂସଦ, ପୁଣି ସଂସଦରେ ଦଳର ନେତା । ତା ସତ୍ୱେ ପାର୍ଲାମେଣ୍ଟ ଭଳି ପବିତ୍ର ଗୃହରେ ଇଏ ବି ଧୂଆଁ ଦେଖାଇଲେ । ପୁରା ଗୃହକୁ ବିଜୁ ଧୂଆଁରେ ଭର୍ତ୍ତୀ କରିଦେଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜୁ ବାବୁଙ୍କ ବ୍ୟକ୍ତିତ୍ୱକୁ ଏହିମାନେ ହିଁ ବଦନାମ କରୁଛନ୍ତି, ଛୋଟ କରୁଛନ୍ତି । ସେ ସମୟରେ ବିଜୁ ବାବୁଙ୍କର ଅବଦାନ ଅଛି ମନା ନାହିଁ କିନ୍ତୁ କାଶ୍ମୀରରେ ପ୍ରଥମ ବିମାନ ବିଜୁ ବାବୁ ନୁହଁନ୍ତି ବରଂ ୱିଙ୍ଗ କମାଣ୍ଡର କରୋରୀ ଲାଲ ଭାଟିୟା ହିଁ ଅବତରଣ କରାଇଥିଲେ ଆଉ ଏହାହିଁ ସତ୍ୟ, ଏହାହିଁ ଇତିହାସର ବାସ୍ତବତା । କିନ୍ତୁ ପିନାକୀ ଏ ଗୋଟିଏ ମିଛ କହି ବିଜୁ ବାବୁଙ୍କ ସମସ୍ତ ଅବଦାନକୁ ପାଣି ଫଟାଇ ଦେଲେ । ସାରା ଦେଶ ଜାଣିଛି ବିଜୁ ବାବୁ ପ୍ରଥମ ବିମାନ ଅବତରଣ କରାଇ ନଥିଲେ କିନ୍ତୁ ପିନାକୀ ସଂସଦରେ ବିଜୁଙ୍କୁ ନେଇ ମିଛ କହିଲେ । ଏ ସଂପର୍କରେ ଐତିହାସିକ ଅନୀଲ ଧୀର ଗବେଷଣାତ୍ମକ ଓ ପ୍ରାମାଣିକ ତଥ୍ୟ ଭିତିକ ଏକ ସ୍ତମ୍ଭ ତାଙ୍କ ସୋସିଆଲ ସାଇଟରେ ଲେଖିଛନ୍ତି, ଯେଉଁଥିରେ ସେ ଏହି ସମ୍ବନ୍ଧରେ ଅନେକ ତଥ୍ୟ ଉପସ୍ଥାପନ କରିଛନ୍ତି ।

ଜାଣନ୍ତୁ ସତ୍ୟ କଣ :

୨୭ ଅକ୍ଟୋବର ୧୯୪୭ରେ କାଶ୍ମୀରରେ ପ୍ରଥମ ବିମାନ ଅବତରଣ କରାଇଥିଲେ ବିଜୁ ପଟ୍ଟନାୟକ । ଧାରା ୩୭୦ ଉଠିବା ପରେ ସଂସଦରେ ଏହି ପ୍ରସଙ୍ଗ ଉଠାଇ ବିଜୁ ବାବୁଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଦାବୀ କରିଥିଲେ ବିଜେଡି ସାଂସଦ ପିନାକୀ ମିଶ୍ର । କିନ୍ତୁ କାଶ୍ମୀର ମାଟିରେ ବିଜୁ ବାବୁ ନୁହଁନ୍ତି ବରଂ ପ୍ରଥମ ବିମାନ ଅବତରଣ କରାଇଥିଲେ ଭାରତୀୟ ବାୟୁସେନାର ଉଇଙ୍ଗ କମାଣ୍ଡର କରୋରୀ ଲାଲ ଭାଟିୟା । ଆଉ ତାହା ଥିଲା ଡିସି-୩ ଡାକୋଟା ବିମାନ । ଯଦିଓ ‘ଦି ଟଲ ମ୍ୟାନ’ ଠାରୁ ନେଇ ଅନେକ ଆତ୍ମଜୀବନୀ ଓ ପୁସ୍ତକରେ ବିଜୁ ବାବୁ ହିଁ ପ୍ରଥମ ବିମାନ ଅବତରଣ କରାଇଥିବା କୁହାଯାଏ ଓ ତାଙ୍କ ବୀରତ୍ୱର କାହାଣୀ ପ୍ରକାଶ ପାଇଛି କିନ୍ତୁ ଏହା ହିଁ ବାସ୍ତବତା । ଯାହା ଅନେକ ହୁଏତ ଜାଣନ୍ତି ନାହିଁ । ଏକଥା ସତ ଯେ, ବିଜୁ ବାବୁ ପରେ ଅନେକ ଥର ଏପରିକି ନଭେମ୍ବରରେ କାଶ୍ମୀରରେ ବିମାନ ଅବତରଣ କରାଇଛନ୍ତି କିନ୍ତୁ ସେ ପ୍ରଥମ ବ୍ୟକ୍ତି ନୁହଁନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜୁ ବାବୁ ସେଦିନ ଶ୍ରୀନଗର କିମ୍ବା ଜାମ୍ମୁ-କାଶ୍ମୀରରେ ହିଁ ନଥିଲେ । ଆକ୍ରମଣର ୧୪ ଦିନ ପରେ ଅର୍ଥାତ ୧୯୪୭ ନଭେମ୍ବର ୧୦ ତାରିଖରେ ବିଜୁ ବାବୁ ପ୍ରଥମ ଲାଣ୍ଡିଙ୍ଗ କରାଇଥିଲେ । କିନ୍ତୁ ଯୁଦ୍ଧ ପରେ କାଶ୍ମୀରର ପ୍ରଥମ ଲାଣ୍ଡିଙ୍ଗ କରୋରୀ ଲାଲ ଭାଟିଆ ହିଁ କରାଇଥିଲେ । ୨୬ ଅକ୍ଟୋବରରେ କାଶ୍ମୀର ମହାରାଜାଙ୍କ ଦ୍ୱାରା ଇଣ୍ଟରେଷ୍ଟ ଅଫ୍ ଆକସେସନ ଉପରେ ଦସ୍ତଖତ ପରେ ଉଇଙ୍ଗ କମାଣ୍ଡର ଭାଟିୟାଙ୍କୁ ଅପରେସନ ପାଇଁ ନିୟୋଜିତ କରାଯାଇଥିଲା । ଆଉ ପ୍ରଥମ ଶିଖ୍ ରେଜିମେଣ୍ଟ ନେଇ କାଶ୍ମୀର ଘାଟିରେ ୨୭ ଅକ୍ଟୋବରରେ ପ୍ରଥମେ ଅବତରଣ କରିଥିଲେ ଉଇଙ୍ଗ କମାଣ୍ଡର ଭାଟିୟା । ବଡକଥା ହେଉଛି ତକ୍ରାଳୀନ ପ୍ରଧାନମନ୍ତ୍ରୀ ନେହେରୁ ଯେଉଁ ଡାକୋଟାରେ ଶ୍ରୀନଗର ଯାଇଥିଲେ ତାହାକୁ ବି ଭାଟିୟା ହିଁ ଉଡାଉଥିଲେ । ତେବେ ଭାଟିୟାଙ୍କ ସାହାସ ଓ ବୀରତ୍ୱ ପାଇଁ ତାଙ୍କୁ ୧୯୫୦ରେ ବୀରଚକ୍ର ଉପାଧୀରେ ସମ୍ମାନିତ କରିଥିଲେ କେନ୍ଦ୍ର ସରକାର ।

ତେବେ ଯୁଦ୍ଧ ସମୟରେ ବିଜୁଙ୍କ ମହତ୍ୱପୂର୍ଣ୍ଣ ଭୂମିକା ଥିଲା ଏହାକୁ କେହି ଅସ୍ୱୀକାର କରିବେ ନାହିଁ କିନ୍ତୁ ବିଜୁଙ୍କୁ ନେଇ ଯେଉଁ ଭ୍ରମିତ କରାଯାଉଛି ତାହା ଅନ୍ତତଃ ହେବା ଉଚିତ ନୁହେଁ ।

Related Posts