ରାଜ୍ୟ ବିଜେପିର ନେତା କିଏ ?

ରାଜ୍ୟ ବିଜେପିର ଏବେ ଏକ ନମ୍ବର ନେତା କିଏ ? କର୍ମୀ ଆଉ ଛୋଟ ନେତା ଏବେ ଘୋର ସନ୍ଦେହରେ ଯେ କେଉଁ ନେତା ଆଉ କେଉଁ କ୍ୟାମ୍ପକୁ ସେମାନେ ଯିବେ । ୨୦୧୪ ସାଧାରଣ ନିର୍ବାଚନ ପରଠାରୁ ୨୦୧୯ ନିର୍ବାଚନ ପର୍ଯନ୍ତ ଆପାତଃତ ରାଜ୍ୟ ବିଜେପିର ମୁଖ୍ୟ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିବେଚିତ ହେଉଥିଲେ । ନିର୍ବାଚନ ପୂର୍ବରୁ କିଏ ଦଳରେ ମିଶିବ, କେଉଁ ବିଧାନସଭା କ୍ଷେତ୍ରରୁ କିଏ ପ୍ରାର୍ଥୀ ହେବ ଏପରିକି ଦଳର ସମସ୍ତ ନୀତି ନିଷ୍ପତି ତାଙ୍କ ଉପରେ ନ୍ୟସ୍ତ ଥିଲା । କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ସମ ପରିମାଣରେ ଧର୍ମେନ୍ଦ୍ରଙ୍କୁ ଗୁରୁତ୍ୱ ଦେଇ ଆସୁୁଥିଲେ । କିନ୍ତୁ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିରେ ସାମିଲ ହୋଇଥିବା ଅପରାଜିତା ଷଢଙ୍ଗୀ, ବୈଜୟନ୍ତ ପଣ୍ଡା, ଡା.ଦାମୋଦର ରାଉତଙ୍କ ପରି ହେଭିୱେଟ୍ ନେତାଙ୍କୁ ନେଇ କର୍ମୀଙ୍କ ମନରେ ଆରମ୍ଭ ହୋଇଥିଲା ଦ୍ୱନ୍ଦ । ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ରଙ୍କୁ ନବୀନଙ୍କ ବିକଳ୍ପ ବୋଲି ଯେଉଁ ପ୍ରୋଜେକ୍ଟ କରାଯାଇଥିଲା ତାହା ସଫଳ ହେଲା ନାହିଁ ।

ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ପାଇଁ ମିଶନ ୧୨୦ ନାରା ଦେଇଥିଲେବି ତାହା ସମ୍ଭବ ହୋଇପାରିଲା ନାହିଁ । ଶୁଣିବାକୁ ମିଳିଲା ବୋଧହୁଏ ଧର୍ମେନ୍ଦ୍ର ପରାଜୟର ପୂର୍ବ ଆକଳନ କରି ନିଜେ ବିଧାନସଭା ନିର୍ବାଚନରୁ ପ୍ରତ୍ୟକ୍ଷ ଭାବରେ ଦୁରେଇ ରହିଥିଲେ । ଯଦିଓ ଧର୍ମେନ୍ଦ୍ରଙ୍କ କ୍ୟାମ୍ପରୁ ପ୍ରଦୀପ୍ତ ନାୟକ ଏବଂ ସମୀର ମହାନ୍ତି ଯଥାକ୍ରମେ ବିରୋଧି ଦଳ ନେତା ଏବଂ ରାଜ୍ୟ ସଭାପତି ପରି ଗୁରୁତ୍ୱପୂର୍ଣ୍ଣ ପଦରେ ଆସୀନ ହୋଇଛନ୍ତି । ଏହା ମଧ୍ୟରେ ସାଧାରଣ ନିର୍ବାଚନ ସରିବାର ଦେଢବର୍ଷ ଅତକ୍ରାନ୍ତ ହୋଇ ସାରିଲାଣି, କିନ୍ତୁ ତୃଣମୂଳ ସ୍ତରରେ ସାଧାରଣ କର୍ମୀମାନେ ରାଜ୍ୟ ବିଜେପିର ପ୍ରକୃତ ନେତା କିଏ ତାହା ଜାଣିିପାରୁ ନାହାନ୍ତିି । ନିର୍ବାଚନ ପରେ କେନ୍ଦ୍ର ବିଜେପିର ବିଜୁ ଜନତା ଦଳ ସହ ସମ୍ପର୍କର ନୂଆ ସମୀକରଣ ରାଜ୍ୟ ସଂଗଠନର ସ୍ଥିତିକୁ ଏକ ଦ୍ୱନ୍ଦ ମଧ୍ୟକୁ ଠେଲି ଦେଇଛି । ଏହାରି ମଧ୍ୟରେ ଦେଖିବାକୁ ମିଳିଲା କେନ୍ଦ୍ରମନ୍ର୍ରୀ ଧର୍ମେନ୍ଦ୍ର ବାବୁଙ୍କୁ ନବୀନ ନିବାସରେ । ନବୀନ ବାବୁଙ୍କ ସହ ଗୋଟିଏ ଟେବୁଲରେ ଖାଇବାର ଦୃଶ୍ୟ ନବୀନଙ୍କ କଟ୍ଟର ବିରୋଧୀଙ୍କ ଦେହରେ ଯାଇନଥିଲା ।

ଏହାପରେ ରାଜ୍ୟସଭା ଆସନ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ନାମ ବିଜେପି ଘୋଷଣା କରିବା ଆଉ ବିଜେଡି ସମର୍ଥନ ଦେଇ ନିର୍ବାଚିତ କରିବା ବିଜେପିର ତଳସ୍ତରର କର୍ମୀଙ୍କୁ ଦ୍ୱନ୍ଦରେ ପକାଇଥିଲା । ଏହା ମଧ୍ୟରେ ବିଜେପି ଶିର୍ଷ ନେତୃତ୍ୱ ରାଜ୍ୟରୁ ଦୁଇଜଣଙ୍କୁ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ଦେବା ଦ୍ୱାରା ରାଜ୍ୟରେ ଧର୍ମେନ୍ଦ୍ରେଙ୍କ ଯେଉଁ ଏକକ ନେତୃତ୍ୱ ଥିଲା ସେଥିରେ କିଛିଟା ବାଧା ଉପୁଜିଥିଲା । ବୈଜୟନ୍ତଙ୍କୁ ରାଷ୍ଟ୍ରୀୟ ଉପାଧକ୍ଷ ପଦ ମିଳିବା, ପ୍ରତାପ ଷଢଙ୍ଗୀଙ୍କୁ କେନ୍ଦ୍ରମନ୍ତ୍ରୀ ପଦ ମିଳିବା ରାଜ୍ୟ ବିଜେପିରେ ଏକ ପ୍ରକାରର ନେତୃତ୍ୱକୁ ନେଇ ଦ୍ୱନ୍ଦ ଦେଖା ଯାଇଥିଲା । ଧିରେଧିରେ ଗୋଟିଏ ଶିବିରରେ ଏକାଠି ହେଉଥିବା ସମସ୍ତ କର୍ମୀ ଗୋଟିଏରୁ ଚାରୋଟି ଶିବିରରେ ଭାଗ ହୋଇଗଲା ପରି ଲାଗଲା । ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଢଙ୍ଗୀ ଏବଂ ଧର୍ମନ୍ଦ୍ରେ ପ୍ରଧାନ ପରି ଚାରିଜଣ ନେତାଙ୍କ ମଧ୍ୟରୁ କିଏ ଏବେ ପ୍ରକୃତରେ ରାଜ୍ୟ ବିଜେପିର ନେତା ତାହାକୁ ନେଇ ସମସ୍ତେ ଦ୍ୱନ୍ଦରେ । ନିକଟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସାଂଗଠନିକ ପୁର୍ନବିନ୍ୟାସ କରିବାକୁ ଯାଇ ଅପରାଜିତା ଜଗନ୍ନାଥ ପ୍ରଧାନଙ୍କ ପରିବର୍ତେ ବାବୁ ସିଂହଙ୍କୁ ଭୁବନେଶ୍ୱରର ସଭାପତି ଚୟନ କରିବା ତାଙ୍କ ନେତୃତ୍ୱର ଭିନ୍ନ ପରିଚୟ ଦେଖିବାକୁ ମିଳିଥିଲା । ଏପରିକି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବାର୍ଷିକ ରିପୋଟ କାର୍ଡ ସ୍ୱତନ୍ତ୍ର ଭାବରେ ଅପରାଜିତା ଷଢଙ୍ଗୀ ରାଷ୍ଟ୍ରୀୟ ସଭାପତିଙ୍କ ନିକଟରେ ଦାଖଲ କରିବାକୁ ନେଇ ମଧ୍ୟ କଥା ଉଠିଥିଲା ।

ଅନ୍ୟ ଏକ ଦିଗରୁ ବିଚାର କଲେ ଦେଖାଯାଏ ବିଜୁ ଜନତା ଦଳ କଂଗ୍ରେସ ପାଇଁ ଅତୀତରେ ଯେଉ କୌଶଳ ଅବଲମ୍ବନ କରି ଆସୁଥିଲା, ତାହା ଏବେ ଆପାତଃତ ବିଜେପି ପାଖରେ କରିବା ଦେଖିବାକୁ ମିଳୁଛି । ନବୀନବାବୁ ସର୍ବଦା ଚାହାନ୍ତି ବିଜେପି ବା କଂଗ୍ରେସର କୌଣସି ଜଣିଏ ନେତାଙ୍କୁ ନେଇ କର୍ମୀମାନେ ସ୍ଥିର ହୁଅନ୍ତୁ ନାହିଁ । ନେତୃତ୍ୱର ସଙ୍କଟ ଯେତେଦିନ ଯାଏ ଲାଗିରହିବ ବିଜୁ ଜନତା ଦଳକୁ ବିଜୟୀ ହେବାପାଇଁ ସେତେ ସହଜ ହେବ । ବିଜେପି ଆଉ ବିଜେଡିର ନୂଆ ସମ୍ପର୍କର ସମିକରଣ ସାଙ୍ଗକୁ ସମାନ୍ତରାଳ ନେତୃତ୍ୱ କର୍ମୀ ମହଲରେ ଚିନ୍ତା ବଢାଇ ଦେଇଛି । ଆଗକୁ ପୌର ଆଉ ପଂଚାୟତ ନିର୍ବାଚନ ଅନ୍ତତପକ୍ଷେ ରାଜ୍ୟ ବିଜେପି କର୍ମୀଙ୍କ ମନରେ ପ୍ରକୃତରେ ରାଜ୍ୟ ସଂଗଠନର ନେତା କିଏ ତାହା ସ୍ପଷ୍ଠ କରିବା ଦରକାର ।

Related Posts