ବାଲକ୍ରିଷ୍ଣନଙ୍କୁ ବାଛିଲା କିଏ ?

ସତ୍ୟପାଠ ବ୍ୟୁରୋ : ଗତ କିଛିଦିନ ହେଲା ନବୀନ ବାବୁଙ୍କ ସରକାରରେ ଯୋରଦାର ଅଦଳ ବଦଳ ଚାଲିଛି । ଆଇଏଏସ, ଆଇପିଏସ ଠୁ ନେଇ ନିଗମ ଯାଏ, ସବୁଠି ବଦଳି ଆଉ ନୂତନ ନିଯୁକ୍ତି ଚାଲିଛି । ତାରି ଭିତରେ ଅନେକ ସ୍ଥାନରେ ପରାମର୍ଶଦାତାଙ୍କୁ ବି ମିଳିଛି ନିଯୁକ୍ତି । ପ୍ରାୟ ପ୍ରତିଦିନ ଏମିତି ଚାଲିଛି । ଆଉ ଏ ସବୁ ଚାଲିବାର କାରଣ ନୁହେଁ ଯେ ବିଜେଡି ପରିବାରରେ କିଛି ଅସୁବିଧା ହୋଇଛି । କାରଣ ଯେଉଁ ଅସନ୍ତୋଷର କଥା ଶୁଣାହେଉଛି ତାହା ନବୀନ ବାବୁଙ୍କ ପାଇଁ କିଛି ବଡକଥା ନୁହେଁ ଆଉ ନବୀନ ବାବୁ ତାକୁ ଖାତିର କରନ୍ତି ନାହିଁ ବୋଲି ବି ଅନେକ ଜାଣିଛନ୍ତି । ବରଂ ଏକଥା କୁହାଯାଇପାରେ ନବୀନ ବାବୁ ଏବେ ଚାପରେ ଅଛନ୍ତି । ପ୍ରଥମ ଥର ପାଇଁ ବ୍ୟୁରୋକ୍ରାଟଙ୍କ ପଟୁ ଆରମ୍ଭ ହୋଇଛି ବିଦ୍ରୋହ । ଆଉ ତାହା ବି ଖୁଲମଖୁଲା । ବିଶେଷକରି ଆଦିତ୍ୟ ପାଢ଼ୀଙ୍କ ପରେ ମୁଖ୍ୟ ଶାସନ ସଚିବ ଚୟନକୁ ନେଇ ବିରୋଧ ଜୋରଦାର ହେଲା । ଅସିତ ତ୍ରିପାଠୀଙ୍କୁ ଗ୍ରହଣ କରାଯାଇପାରିଲାନି ଆଉ ସୁରେଶ ମହାପାତ୍ର ଖୁଲମଖୁଲା ଅସନ୍ତୋଷ ଜାହିର କଲେ । ତା ସାଙ୍ଗକୁ ଗଗନ ଧଳ ଇସ୍ତଫା ଦେଇ ଚକମା ଦେଲେ । ଶୁଣିବାକୁ ମିଳୁଛି, ଏସବୁ ସମସ୍ୟା ଆରମ୍ଭ ହୋଇଛି ଯେବେଠୁ ପାଣ୍ଡିଆନ ବାବୁଙ୍କୁ ୫ଟିର ଦାୟିତ୍ୱ ଦେଲେ ନବୀନ ବାବୁ । ଯାହା କିଛି ବ୍ୟୁରୋକ୍ରାଟ ଗ୍ରହଣ କରି ପାରୁନାହାଁନ୍ତି ।

ଏପଟେ କିଛି ସିନିୟର ବ୍ୟୁରୋକ୍ରାଟ, ଯେଉଁମାନେ ମୁଖ୍ୟ ଶାସନ ସଚିବ ପଦ ପାଇଁ ଦାବିଦାର ଥିଲେ, ସିଏ ଓ ତାଙ୍କ ଗ୍ରୁପ ଏବଂ ଆଉ ଗୋଟିଏ ପଟେ ପାଣ୍ଡିଆନ ବାବୁଙ୍କର । କୁହାଯାଉଛି ଏହାରି ଭିତରେ ଦୁଇ ଗୋଷ୍ଠୀ ଭିତରେ ସମନ୍ୱୟ ରଖିବା ପାଇଁ ପ୍ରଥମ ଥର ପାଇଁ ଜଣେ ରାଜନୈତିକ ପରାମର୍ଶଦାତାଙ୍କୁ ରଖିଲେ ମୁଖ୍ୟମନ୍ତ୍ରୀ । ନିର୍ବାଚନ ପରେ ବ୍ୟୁରୋକ୍ରାଟ ମହଲରେ ଯେଭଳି ବିଦ୍ରୋହ ଆରମ୍ଭ ହୋଇଛି ତାହାକୁ ନିୟନ୍ତ୍ରଣକୁ ଆଣିବା ଏବଂ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଗୋପ ନାରାୟଣ ଦାସଙ୍କ ସ୍ଥାନରେ ବାଲ କ୍ରିଷ୍ଣନ ଦପ୍ତରର ପରାମର୍ଶଦାତା ହେଲେ ।

କଥା ଉଠୁଛି ବାଲ କ୍ରିଷ୍ଣନଙ୍କୁ ବାଛିଲା କିଏ ଓ କାହିଁକି ବଛାଗଲା? ବାଲକ୍ରିଷ୍ଣନ ତାମିଲନାଡୁର ଲୋକ । ସ୍ୱାଭାବିକ ଭାବରେ ପାଣ୍ଡିଆନଙ୍କ ସହ ତାଙ୍କର ତାଳମେଳଟା ବେଶ ଭଲ ଥିବ । ଅନ୍ୟପଟେ ବରିଷ୍ଠ ପ୍ରଶାସକମାନଙ୍କ ଭିତରେ ସମନ୍ୱୟ ରଖିପାରିଲା ଭଳି ଜଣେ ଲୋକଙ୍କୁ ବଛାଯିବାକୁ ନିଷ୍ପତି ନିଆଯାଇଛି । ଏକଥା ଅନେକ ଜାଣନ୍ତି ଯେ, ବାଲକ୍ରିଷ୍ଣନ ଜଣେ ଅମାୟିକ ଲୋକ । ଜଣେ ଜ୍ଞାନୀ ଲୋକ ଓ ଗ୍ରାଉଣ୍ଡରେ କାମ କରୁଥିବା ଲୋକ ହେଉଛନ୍ତିି ବ୍ରାଲକ୍ରିଷ୍ଣନ । ସିନ୍ଧୁ ସଭ୍ୟତା ଓ ହରପ୍ପା ଉପରେ ସେ ଗୋଟିଏ ବହି ମଧ୍ୟ ଲେଖିଛନ୍ତି । କ୍ଷମତା ଓ ପତିଆରାକୁ ନେଇ ତାଙ୍କର ସେଭଳି କିଛି ଇଗୋ ଥିବା କେହି ଦେଖି ନାହାଁନ୍ତି । ସେଥିପାଇଁ ତାଙ୍କୁ ବଛାଯାଇଥାଇ ପାରେ । ବ୍ୟୁରୋକ୍ରାଟଙ୍କ ବିଦ୍ରୋହ ପରେ ପ୍ରଥମେ ୩୫ଜଣଙ୍କୁ ଥଇଥାନ କରାଗଲା ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି । କୁହାଯାଉଛି, ପରାମର୍ଶଦାତା ଯିଏ ହେଲେ ବି ମୁଖ୍ୟମନ୍ତ୍ରୀଙ୍କର କିଛି ଅସୁବିଧା ନାହିଁ କିନ୍ତୁ ୫ଟି ସାରଙ୍କ ସହ ତାଙ୍କର ପଡୁଥିବା ଦରକାର । ସେ ଦୃଷ୍ଟିରୁ ବାଲକ୍ରିଷ୍ଣନ ହିଁ ସର୍ବାଗ୍ରେ ଥିଲେ । ତାମିଲ ଲୋକ ହୋଇଥିବାରୁ ୫ଟି ସାରଙ୍କ ସହ ଭଲ ପଡତା । ଫଳରେ ସାମ୍ନାକୁ ବାଲକ୍ରିଷ୍ଣନ ଦେଖାଯାଉଥିଲେ ବି ୫ଟି ସାରଙ୍କ ଦବଦବା ରହିପାରିବ ବୋଲି ଚର୍ଚ୍ଚା ଚାଲିଛି ।

Related Posts