କିଏ ହେବ ଛତିଶଗଡ଼ ମୁଖ୍ୟମନ୍ତ୍ରୀ?, ଏହି ସବୁ ନାଁକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଛତିଶଗଡ଼ରେ କଂଗ୍ରେସକୁ ପଛରେ ପକାଇ ସ୍ପଷ୍ଟ ବହୁମତ ହାସଲ କରିଛି ବିଜେପି | ଏହାପରେ ଏବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି | ବିଜେପି ସଂସଦୀୟ ବୋର୍ଡ ଏନେଇ ଶେଷ ନିଷ୍ପତ୍ତି ନେବ ବୋଲି ବିଜେପି ନେତାମାନେ କହୁଥିବା ବେଳେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ଛତିଶଗଡ଼ ଏକ ଆଦିବାସୀବହୁଳ ରାଜ୍ୟ ହୋଇଥିବାରୁ, ଯଦି ବିଜେପି ଜଣେ ଆଦିବାସୀ ଚେହେରା ଚୟନ କରିବାକୁ ନିଷ୍ପତ୍ତି ନିଏ, ତେବେ ଦଳର ପ୍ରଥମ ପସନ୍ଦ ହେବେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ସେ ମୋଦୀ ସରକାରର ପ୍ରଥମ ମନ୍ତ୍ରିମଣ୍ଡଳରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଥିଲେ। ଏହା ବ୍ୟତୀତ ସେ ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ଛତିଶଗଡ଼ ବିଜେପିର ରାଜ୍ୟ ସଭାପତି ପଦରେ ମଧ୍ୟ ରହିଥିଲେ।

ସେହିପରି ଛତିଶଗଡ଼ର ତିନି ତିନି ଥରର ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ। ରମଣ ସିଂହଙ୍କର ଛତିଶଗଡ଼ ବିଜେପିରେ କଣ ପ୍ରଭାବ ତାହା ସମସ୍ତଙ୍କୁ ଜଣା | ପୂର୍ବରୁ ଅଟଳ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ରମଣ 2004ରେ ପ୍ରଥମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ | ଏହାପରେ ଲଗାତାର 2008 ଓ 2013ରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ | ବର୍ତ୍ତମାନ ସେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହିଛନ୍ତି।

ସେହିପରି ବିଜେପିର ଶୀର୍ଷ ନେତୃତ୍ୱ ଯଦି କୌଣସି ମହିଳାଙ୍କ ଚେହେରା ଉପରେ ବିଚାର କରନ୍ତି, ତାହେଲେ କେନ୍ଦ୍ରରେ ଆଦିବାସୀ ବ୍ୟାପାର ବିଭାଗର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂହଙ୍କ ନାମ ଆଗକୁ ଆସିପାରେ । ସେ ଆଦିବାସୀ ସମ୍ପ୍ରଦାୟର ମହିଳା ହୋଇଥିବାବେଳେ ତାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

ଅନ୍ୟପଟେ ପୂର୍ବତନ ରାଜ୍ୟସଭା ସାଂସଦ ରାମବିଚାର ନେତମ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟତମ ଦାବିଦାର। ସେ ରମଣ ସିଂହଙ୍କ ମନ୍ତ୍ରିମଣ୍ଡଳରେ ପୂର୍ବରୁ ଏକାଧିକ ବିଭାଗର ଦାୟିତ୍ୱ ନେଇ କ୍ୟାବିନେଟ ମନ୍ତ୍ରୀ ପଦରେ ରହିଥିଲେ।

ସେହିପରି ବିଜେପି ଯଦି ଓବିସି ଚେହେରାକୁ ନେଇ ବିଚାର କରେ ତେବେ ପ୍ରଥମ ପ୍ରାଥମିକତା ରାଜ୍ୟ ସଭାପତି ଅରୁଣ ସାଓଙ୍କୁ ଦିଆଯିବ। ସେ ଲଗାତାର ତିନି ଥର ବିଳାସପୁର ଲୋକସଭା ଆସନରୁ ପ୍ରତିନିଧିତ୍ବ କରିଛନ୍ତି ଏବଂ ଓବିସି ସମ୍ପ୍ରଦାୟ ମଧ୍ୟରେ ତାଙ୍କର ଦୃଢ଼ ପ୍ରଭାବ ମଧ୍ୟ ରହିଛି। ତେବେ ଛତିଶଗଡ଼ ବିଜେପିରେ ଏବେ ଏହିସବୁ ନାଁକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଦଳର ସଂସଦୀୟ ବୋର୍ଡ କେଉଁ ନାଁ ଉପରେ ମୋହର ମାରୁଛି ଏବେ ତାହାରି ଉପରେ ନଜର |

Related Posts