ସତ୍ୟପାଠ ବ୍ୟୁରୋ : ପୁରୀରୁ ବିଦ୍ୟୁତ ସେବା ଦିଆଗଲା ବୋଲି ସମସ୍ତେ ଆଶ୍ୱସ୍ତ ହେଲେ କିନ୍ତୁ କେହି ଜାଣି ନାହାଁନ୍ତି ଯେଉଁ ଓଭର ଲୋଡ ସମସ୍ୟାର ମୁକ୍ତି ପାଇଁ ସମଗରା ଗ୍ରୀଡ କରାଯାଇଥିଲା, ସେହି ଗ୍ରୀଡରୁ ବିଦ୍ୟୁତ ସେବା ଦିଆଯାଉନି । ଫଳରେ ଟିକିଏ ଲୋଡ ଅଧିକ ପଡିଲେ ସମଗ୍ର ପୁରୀ ବ୍ଲାକ ଆଉଟ ହୋଇଯିବାର ସମ୍ଭାବନାକୁ ବି ଏଡାଇ ଦେଇ ହେବନାହିଁ । କାରଣ ଓପିଟିସିଏଲ ନିର୍ମାଣ କରିଥିବା ସମଗରା ୨୨୦ କେଭି ଲାଇନର ବ୍ୟାପକ କ୍ଷତି ହୋଇଛି ଫନୀରେ । ଯାହାର ରିକଭରୀ ଆଶା ବି କ୍ଷୀଣ ।
ଲୋ-ଭୋଲଟେଜ୍ ଏବଂ ଓଭରଲୋଡରୁ ପୁରୀକୁ ବଂଚାଇବା ପାଇଁ ୨୦୧୫ ନବକଳେବର ସମୟରେ ପାଣ୍ଡିଆବିଲି, ସମଗରା ଠାରେ ନିର୍ମାଣ କରାଯାଇଥିଲା ୨୨୦କେଭି ଲାଇନ । ଯାହା ଫନୀ ମାଡରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଛି । ଏଯାଏ ଏହାର ମରାମତି କାମ ଆରମ୍ଭ ହୋଇନି । କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା, ଗତ ୫୦ବର୍ଷ ତଳେ ନିର୍ମାଣ କରାଯାଇଥିବା ଟାୱାର ଠିକ୍ ଠାକ୍ ଅଛି କିନ୍ତୁ ୪ବର୍ଷ ତଳେ ଓପିଟିସିଏଲ ଲଗାଇଥିବା ଅଧିକାଂଶ ଟାୱାର ଗଳିପଡିଲା । ପ୍ରାୟ ୭୦ଟି ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ଟାୱାର ତଳେ ଲୋଟି ଯାଇଛି । ମୂଳ ଲାଇନରେ ବିଶେଷ କ୍ଷତି ହୋଇନି । ପ୍ରାୟ ସବୁ ଟାୱାର ପୂର୍ବଭଳି ଛିଡା ହୋଇ ରହିଛି ।
କୁହାଯାଉଛି, ପୂର୍ବରୁ ଏଭଳି ବେଗରେ ପବନ ହୋଇନି ତେଣୁ କ୍ଷତି ହୋଇନଥିଲା । ଏବେ ଫନୀର ବେଗ ଅଧିକ ଥିବାରୁ କ୍ଷତି ବି ଅଧିକ ହେଲା । ପାଠକେ ଜାଣିଥିବେ, ୨୦୧୩ ଫାଇଲିନ ସମୟରେ ଗଂଜାମର ଅଧିକାଂଶ ବିଦ୍ୟୁତ ଟାୱାର କ୍ଷତିଗ୍ରସ୍ତ ହୋଇଥିଲା । ଏହାପରେ ଏହାର ଏକ ଯାଂଚ କମିଟି ରିପୋର୍ଟ ବି ସରକାରଙ୍କୁ ଦିଆଯାଇଥିଲା । ଯେଉଁଥିରେ, ବାତ୍ୟା ସମୟରେ ବିଦ୍ୟୁତ ଟାୱାର କ୍ଷତିଗ୍ରସ୍ତ ନହେବା ପାଇଁ ଟାୱାର ନିର୍ମାଣ ଡିଜାଇନରେ ପରିବର୍ତ୍ତନ ଆଣିବା ସହ ଏହାକୁ ଉଚ୍ଚଶକ୍ତି ସମ୍ପନ୍ନ କରିବାକୁ କୁହାଯାଇଥିଲା । ଆଉ ୨୦୧୫ରେ ପାଣ୍ଡିଆବିଲି ଓ ସମଗରା ଗ୍ରୀଡ ନିର୍ମାଣ କରାଯାଇଥିଲା । ତେଣୁ ଦେଖିବାକୁ ଗଲେ, ଏହି ଟାୱାର ଗୁଡିକରେ ବି ବାତ୍ୟା ପ୍ରତିରୋଧ କ୍ଷମତା ଅଧିକ ରହିବା କଥା ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବେ ସବୁ କେଳେଙ୍କାରୀକୁ ଚାପି ଦେବାକୁ ଚାଲିଛି ପ୍ରୟାସ । କ୍ଷତିଗ୍ରସ୍ତ ଟାୱାର ବା ବିଦ୍ୟୁତ ଖୁଣ୍ଟକୁ ଲାବ କୁ ନେଇ ଟେଷ୍ଟ କରିବା ବଦଳରେ ରାତି ଅଧିଆ ଷ୍ଟୋରରେ ରଖିଦିଆଯାଇଛି । ତେଣୁ ସେଗୁଡିକର କ୍ୱାଲିଟି କଣ୍ଟ୍ରୋଲ ଓ ଅଡିଟ୍ ଦିଗରେ ଧ୍ୟାନ ଦିଆଯାଇନାହିଁ । ଏପରିକି ଓପିଟିସିଏଲ ଓ ବିଦ୍ୟୁତ ବିତରଣ ନିଗମ ଗୁଡିକରେ କ୍ୱାଲିଟି କଣ୍ଟ୍ରୋଲ ଓ କ୍ୱାଲିଟି ଅଡିଟ୍ ବୋଲି କିଛି ବ୍ୟବସ୍ଥା ବା ବିଭାଗ ନାହିଁ । କୋଟି କୋଟି ଟଙ୍କାର ବୃହତ ପ୍ରକଳ୍ପ ନିର୍ମାଣ କରାଯାଉଥିବା ବେଳେ ଓପିଟିସିଏଲ ଓ ବିଦ୍ୟୁତ ବିତରଣ ନିଗମ ଗୁଡିକରେ ଡିଜାଇନ ବିଭାଗ ବି ନାହିଁ । ଅତି ନିମ୍ନମାନର ସାମଗ୍ରୀ ଯୋଗାଣକାରୀ ସଂସ୍ଥାମାନଙ୍କୁ ବି ଭେଣ୍ଡର ତାଲିକାଭୁକ୍ତ କରାଯାଉଛି ଓ ମ୍ୟାଟେରିଆଲ ଇନସ୍ପେକସନର ଏପରି ବ୍ୟବସ୍ଥା କରାଯାଇଛି ଯେ ନିମ୍ନମାନର ସାମଗ୍ରୀ ଯୋଗାଣ ସମ୍ଭବ ହୋଇପାରୁଛି । ୨୨୦ କେଭି ପାଣ୍ଡିଆବିଲି-ସମଗରା ଲାଇନରେ ପ୍ରାୟ ୭୦ଟି ଟାୱାର ଗଳି ପଡିବା ଏହି ବ୍ୟବସ୍ଥା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ କି ? ସମ୍ପୂର୍ଣ୍ଣ ବିଦ୍ୟୁତ ବିଭାଗରେ ବୈଷୟିକ ଅଡିଟ୍ ବିଭାଗ ନାହିଁ । ଫଳରେ ଯେନତେନ ପ୍ରକାରେଣ କାର୍ଯ୍ୟକରି ଲାଇନ ଚାର୍ଜ କରି ଦିଆଯାଉଛି । ଏଠାରେ ପ୍ରଶ୍ନ ଉଠୁଛି ଏହି ସଂସ୍ଥାରେ ଡିଜାଇନ, କ୍ୱାଲିଟି କଣ୍ଟ୍ରୋଲ, କ୍ୱାଲିଟି ଅଡିଟ୍ ଓ ବୈଷୟିକ ଅଡିଟ୍ ଭଳି ବିଭାଗ ଗୁଡିକ କେଉଁ ଉଦ୍ଦେଶ୍ୟରେ ଚାପି ଦିଆଯାଉଛି ?
ଓପିଟିସିଏଲ ଦାୟିତ୍ୱରେ ଥିବା ହେମନ୍ତ ଶର୍ମା ବାବୁ ଜଣେ ଦକ୍ଷ ଅଫିସର ବୋଲି ସରକାର କହୁଛନ୍ତି । କିନ୍ତୁ ଏ ସବୁର ବୈଷୟିକ ଅଡିଟ୍ କାହିଁକି ହେଉନାହିଁ ଓ ଅଡିଟ୍ ସେଲ ମଧ୍ୟ ନାହିଁ କାହିଁକି ତାହାର ଉତ୍ତର କିଏ ଦେବ ? ବିଭାଗରେ କ୍ୱାଲିଟି କଣ୍ଟ୍ରୋଲ ଓ କ୍ୱାଲିଟି ଅଡିଟ୍ ବୋଲି କିଛି ବ୍ୟବସ୍ଥା ବା ବିଭାଗ ନାହିଁ କାହିଁକି ? ଯେଉଁ ସାମଗ୍ରୀ କିଣା ଯାଉଛି ତାହା ଉନ୍ନତମାନର ବା ନିମ୍ନ ମାନର ତାହା ଜଣାପଡୁଛି କେମିତି ? ୫୦ବର୍ଷର ତଳର ଟାୱାର ଛିଡା ହୋଇଛି ଆଉ ୪ବର୍ଷ ତଳର ଟାୱାର ଗଳିପଡୁଛି କାହିଁକି ତାହାଉ ଉତ୍ତରଦାୟିତ୍ୱ କିଏ ନେବ ?
ଏବେ କେବଳ ଏତିକି କୁହାଯାଇପାରେ, ଗୋଟିଏ ପରେ ଗୋଟିଏ ଟାୱାର ମାଟିରେ ଲୋଟିଲାଣି, ସେପଟେ ଶକ୍ତି ବିଭାଗର ସଚିବ, ଓପିଟିସିଏଲର ସିଏମଡି, ଗ୍ରୀଡକୋର ସିଏମଡି ଭାବେ ଶକ୍ତି ବିଭାଗରେ ହେମନ୍ତ ଶର୍ମାଙ୍କ ଶକ୍ତିବୃଦ୍ଧି ହେବାରେ ଲାଗିଛି ।