
ଦେଶରେ ବ୍ୟାନ୍ ହେଲା ଇ-ସିଗାରେଟ । ବୁଧବାର ଏହି ନିଷେଧ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ଇ-ସିଗାରେଟ ତିଆରି, ଆମଦାନୀ, ରପ୍ତାନୀ, ପରିବହନ ଓ ବିକ୍ରି ଉପରେ ଲାଗିବ କଟକଣା । ଦେଶର ଯୁବବର୍ଗଙ୍କ ସ୍ବାସ୍ଥ୍ୟ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ତେବେ ସୀତାରମଣଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେ ଦ୍ବନ୍ଦ୍ବ
ସୀତାରମଣଙ୍କ ଏଭଳି ନିଷ୍ପତ୍ତି ପଛରେ କାରଣ କ’ଣ ?
ଇ-ସିଗାରେଟ ବ୍ୟାନ୍ ନିଷ୍ପତ୍ତି କାହାକୁ ଫାଇଦା ଦେବ ?
ସତରେ ସରକାର ସିଗାରେଟ ନିଶାରୁ ଦେଶକୁ ମୁକ୍ତ କରିବାକୁ ଚାହୁଁଛନ୍ତି ?
ନା ବଡ଼ ବଡ଼ ଗୁଟ୍ଖା କମ୍ପାନିକୁ ଫାଇଦା ଦେବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ?
ନିର୍ମଳାଙ୍କ ଇ-ସିଗାରେଟ୍ ବ୍ୟାନ୍ ନିଷ୍ପତ୍ତି ଘୋଷଣାକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅର୍ଥନୀତି ଓ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ନିନ୍ଦା କରିଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ କଡ଼ା ସମାଲୋଚନା କରାଯାଇଛି । ଏଭଳି ନିଷ୍ପତ୍ତି ପଛରେ ଏକ ବିରାଟ ଟବାକୋ ଲବି କାମ କରୁଥିବା ଅଭିଯୋଗ ହୋଇଛି ଏବଂ ଏହା ପଛରେ ପ୍ରାୟ 12 ଲକ୍ଷ କୋଟି ଟଙ୍କାର ଟ୍ୟାକ୍ସ ପଲିଟିକ୍ସ କାମ କରୁଛି ବୋଲି ଚର୍ଚ୍ଚା ହେଉଛି ।
୨୦୧୮ର ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ କହୁଛି । ବିଶ୍ବରେ ଦ୍ବିତୀୟ ବୃହତ ଦେଶ ଭାବେ ଭାରତରେ ସର୍ବାଧିକ ତମାଖୁ ଗ୍ରାହକ ରହିଛନ୍ତି । କେବଳ ଭାରତରେ ପ୍ରତିବର୍ଷ ତମାଖୁ ସେବନ ଦ୍ବାରା ୧୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ପ୍ରତିଦିନ ଭାରତରେ 232.4 ମିଲିୟନ ଅର୍ଥାତ ୨୪.୦୯ ପ୍ରତିଶତ ଲୋକ ଦୋକାନ କି ଅନ୍ୟ କାହାଠାରୁ ଆଣି ତମାଖୁ ଖାଉଛନ୍ତି । ମାତ୍ର ୦.୦୨ ପ୍ରତିଶତ ଇ-ସିଗାରେଟକୁ ବ୍ୟବାହର କରୁଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି କେତେ ମାତ୍ରରେ ଫଳପ୍ରଦ ତାହାର କିଛି ବାସ୍ତବତା ନାହିଁ । ଇ-ସିଗାରେଟ ଦ୍ବାରା କ୍ଷତି ହୋଇଥିବା ମାମଲା ବହୁତ କମ୍ ।
କେବଳ ଇ-ସିଗାରେଟକୁ ବ୍ୟାନ୍ କରି କ’ଣ ଯୁବବର୍ଗଙ୍କୁ ସ୍ବାସ୍ଥ୍ୟବାନ କରିପାରିବେ ସରକାର ?
ଖୋଲା ବଜାରରେ ତମ୍ବାକୁ ବିକ୍ରିକୁ ବ୍ୟାନ୍ ନକରି କାହିଁକି ଇସିଗାରେଟକୁ ବ୍ୟାନ୍ କଲେ ସରକାର ?
ଚଳିତ ବର୍ଷ ଆରମ୍ଭରେ ଆସୋଚାମର ଏକ ଅଧୟନରୁ ଜଣାପଡ଼ିଥିଲା ଯେ ଗୁଟ୍ଖା ଇଣ୍ଡଷ୍ଟ୍ରୀରୁ ଭାରତୀୟ ଅର୍ଥବ୍ୟବସ୍ଥାକୁ 11 ଲକ୍ଷ 79 ହଜାର 489 କୋଟି ଟଙ୍କା ମିଳିଥାଏ । ଏହା ସହ ପାଖାପାଖି 5.57 କୋଟି ଲୋକଙ୍କୁ ନିଯୁକ୍ତି ମିଳିଥାଏ । ସୀତାରମଣଙ୍କ ଇ-ସିଗାରେଟ୍ ବ୍ୟାନ୍ ନିଷ୍ପତ୍ତି ଦ୍ବାରା କେବଳ ଭାରତୀୟ ଗୁଟ୍ଖା କମ୍ପାନିଗୁଡ଼ିକର ଲାଭ ହେବ । ଯାହା ଦ୍ବାରା ବୁଧବାର ଆଇଟିସି ଓ ଗୋଲ୍ଡେନ ଭଳି ଗୁଟ୍ଖା କମ୍ପାନିର ଅଭିବୃଦ୍ଧି ସେୟାର ବଜାରରେ ଦେଖିବାକୁ ମିଳିଥିଲା ।
ଇ-ସିଗାରେଟ ବ୍ୟାନ୍ ନିଷ୍ପତ୍ତି ବିରୋଧରେ ସୋସିଆଲ ମିଡିଆରେ ପ୍ରଶ୍ନ । ଖାସ୍ କରି ଟ୍ବିଟରରେ ସରକାରଙ୍କ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ଟ୍ବିଟରରେ ଟ୍ବିଟ୍ କରି କିଏ କ’ଣ କହିଛନ୍ତି ?
ଶିଳ୍ପପତି କୀରଣ ମଜୁମଦାର ସାଓ କହିଛନ୍ତି ଇ-ସିଗାରେଟ ସହ ସରକାର କାହିଁକି ଗୁଟ୍କାକୁ ବ୍ୟାନ୍ କଲେ ନାହଁ ?
ସୁଦୀପ ପି ନାମବିଆରଙ୍କ ଟ୍ବିଟ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଇ-ସିଗାରେଟ ବ୍ୟାନ୍ ପରେ ସରକାରଙ୍କୁ ସମାଲୋଚନା କରି ଏକ ଟ୍ବିଟ୍ କରିଥିଲେ । ସେ ଲେଖିଥିଲେ ଇ-ସିଗାରେଟର ବିକ୍ରି, ତିଆରି, କିଣା ଓ ବ୍ୟବହାର ବନ୍ଦ । ତେବେ ଭାରତରେ କ’ଣ ସିଗାରେଟ ସମ୍ପୂର୍ଣ୍ଣ ବୈଦ୍ଧ, ଏହା ଦ୍ବାରା କିଛି ସ୍ବାସ୍ଥ୍ୟଗତ ସମସ୍ୟା ନାହିଁ ।
ସେହିଭଳି ଜୟ ମାମତୋରା ଟ୍ବିଟ୍ କରି କହିଛନ୍ତି କେବଳ ନିର୍ମଳା ସୀତାରମଣ ଚାହଁଛନ୍ତି ଲୋକମାନେ ସିଗାରେଟ୍ ଟାଣନ୍ତୁ । ଲୋକମାନେ ପୁଣି ପୁରୁଣା ଢାଞ୍ଚାରେ ସିଗାରେଟ ଟାଣିବାକୁ ଲାଗିବେ । ଏଥିପାଇଁ କେବଳ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦାୟୀ ରହିବେ ।