ଦମ୍ଭ ଭାଙ୍ଗିଦେଲା ଡବଲରୋଲ

ସତ୍ୟପାଠ ବ୍ୟୁରୋ : ନିର୍ବାଚନର ଯଥେଷ୍ଟ ପୂର୍ବରୁ ଲାଗୁଥିଲା ରାହୁଲ ଗାନ୍ଧୀଙ୍କ ଚୌକିଦାର ଚୋର ହୈ ଡାଏଲଗ୍ କିଛି କମାଲ କରିବ । ହେଲେ ଫୁସ୍ । କିଛି ହେଲାନି । ବରଂ ନିଜେ ଅପଦସ୍ତ ହେଲେ । ବିଜେପି ଏକକ ଦଳ ହୋଇ ସବୁଆଡେ ପଦ୍ମ ଫୁଟାଇ ଚାଲିଲା । ତଥାପି ଓଡିଶାରେ ଆଶାନୁରୂପକ ସଫଳତା ପାଇ ପାରିଲା ନାହିଁ । ଯାହାର କାରଣ ଖୋଜିବା ଆରମ୍ଭ କରିଛି ଦଳ । ତେବେ ଏହି ପରାଜୟ ପଛର ଏକ ବଡ ଫ୍ୟାକ୍ଟର ଏବେ ସାମ୍ନାକୁ ଆସିଛି ।

ଓଡିଶାରେ ଆଶା ଠୁ ବହୁ ଦୂରରେ ରହିଗଲା ଭାରତୀୟ ଜନତା ପାର୍ଟି । ଧୋଇଗଲା ମିଶନ ୧୨୦ । ୧୨୦ ଯାଗାରେ ମାତ୍ର ୨୩ ଏମଏଲଏ ଗଲେ ବିଧାନସଭା । ବିଜେପି ନେତା ବି କହୁଛନ୍ତି ଯାହା ଆଶା ଥିଲା ତାହା ହେଲାନି । ତେବେ ଏହା ପଛରେ ଅନେକ କାରଣ ଥିଲେ ବି ଗୋଟିଏ ତାର୍କିକ ଯୁକ୍ତି ଉପସ୍ଥାପନ କରୁଛନ୍ତି କିଛି ରାଜନୀତି ସମୀକ୍ଷକ । ତାହା ହେଉଛି ରାଜ୍ୟ ବିଜେପି ପାଇଁ କାଳ ସାଜିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡବଲ ରୋଲ ।

ତେବେ ଏହି ଡବଲ ରୋଲ ହେଉଛି, ଧର୍ମେନ୍ଦ୍ର ଏକାସାଂଗରେ ଦୁଇ ଦୁଇଟି ଚରିତ୍ରରେ ଅଭିନୟ କରିବାକୁ ଚାହିଁଲେ । ଏକାସାଙ୍ଗରେ ସେ ଅଶୀ ନବେ ଦଶକର ଅମିତାଭ ବଚ୍ଚନଙ୍କ ଭଳି ଆଂଗ୍ରି ୟଙ୍ଗମ୍ୟାନ ହେବାକୁ ଚାହିଁଲେ ପୁଣି ରାଜେଶ ଖାନ୍ନାଙ୍କ ଭଳି ରୋମାଂଟିକ ହିରୋ ବି ହେବାକୁ ଚାହିଁଲେ । ବିଜେଡି ମୁଖିଆ ନବୀନଙ୍କ ସାମ୍ନାରେ ଚ୍ୟାଲେଂଜର ହେବାକୁ ଚାହିଁଲେ ପୁଣି ସେହି ସମାନ ସମୟରେ ଜଣେ ଭିଜନାରୀ ଲିଡର ହେବାକୁ ବି ଚାହିଁଲେ । ଯାହାର ଫଳ ଦଳକୁ ଭୋଗିବାକୁ ପଡିଲା । ଧର୍ମେନ୍ଦ୍ର ସିନା ଏତେସବୁ ହେବାକୁ ଚାହିଁଲେ ହେଲେ ଲୋକେ ତ ଓଲଟା ଚାହିଁଲେ ।

ନିର୍ବାଚନର ଯଥେଷ୍ଟ ପୂର୍ବରୁ ଧର୍ମେନ୍ଦ୍ରଙ୍କୁ ଏକଦମ ଆଂଗ୍ରି ଲୁକରେ ଦେଖିବାକୁ ମିଳିଥିଲା । ଯାହାକୁ ପାରିଲେ ଶୋଧିଲେ । ନିଜେ ତ ଗାଳି କଲେ କଲେ ଶେଷକୁ ଡାହାଣ ହାତ ବାମ ହାତଙ୍କୁ ବି ଲଗେଇ ଶୋଧିଲେ । କିଏ ଅନ୍ଧ ଧ୍ରୁତରାଷ୍ଟ୍ର, କିଏ ଶ୍ରୀଖଣ୍ଡି ପୁଣି କିଏ କଳାପାହାଡ କହି ନବୀନଙ୍କୁ ଗାଳିକଲେ । କିଏ କହିଲା ଚାଲି ପାରୁ ନାହାଁନ୍ତି, କିଏ କହିଲା ବୟସ ହୋଇଗଲାଣି । ଏମିତିକି ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚପଲ ଫିଙ୍ଗା ବେଳେ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା କଣ ଥିଲା ତାହା କାହାର ମନେ ନଥିବ । ଅନର୍ଗଳ ଗାଳି ଦେଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କଲେ ସମସ୍ତେ । ନବୀନଙ୍କ ଭଳି ତାଙ୍କ ପ୍ରଶାସକଙ୍କୁ ବି ଗାଳିଦେଲେ । ଜଣେ ନିର୍ଦ୍ଦିଷ୍ଟ ଅଫିସରଙ୍କ ନାଁ ନେଇ ଗାଳିକଲେ । ତାଙ୍କ ଘର ଉପରକୁ ଗୋବରମାଡ ହେଲା, ଚୁଡି ମାଡ ହେଲା ।

ପରବର୍ତ୍ତୀ ସମୟରେ କିନ୍ତୁ ବିଭିନ୍ନ ସଭାସମିତିରେ ନବୀନଙ୍କ ସହ ତାଙ୍କର ଯେଉଁଠି ସାକ୍ଷାତ ହେଲା, ସେଠାରେ ସେ ନବୀନଙ୍କର ବେଶ ପ୍ରଶଂସା କଲେ । ରାଜୀନତିରେ ଏମିତି ଚାଲେ । ସାମାଜିକ ଶିଷ୍ଟାଚାର ନାଁରେ ପ୍ରଶଂସା କରିବା ବା କୋଳେଇବା ହୁଏତ ଧର୍ମେନ୍ଦ୍ରଙ୍କ ପାଇଁ ଠିକ ଥିଲା କିନ୍ତୁ ଲୋକେ ତ ସେସବୁ ବୁଝନ୍ତିନି । ଯାହାର ପରିଣାମ କିଛି ଏମିତି ହେଲା ବୋଲି କୁହାଯାଉଛି ।

ଅବଶ୍ୟ ପାଠକେ ଜାଣିଥିବେ, ଧର୍ମେନ୍ଦ୍ରଙ୍କ ପୂର୍ବରୁ ଯେଉଁମାନେ ବି କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି, ନିଜ ସରକାରକୁ ବୁଝାଇକି ରାଜ୍ୟ ପାଇଁ ଏତେ ପ୍ରକଳ୍ପ ଆଣିବାରେ ସକ୍ଷମ ହୋଇ ନାହାଁନ୍ତି ଯେତିକି ଧର୍ମେନ୍ଦ୍ର କରିଛନ୍ତି । ବିଗତ ୨୫ବର୍ଷ ଭିତରେ ଯେଉଁମାନେ କେନ୍ଦ୍ରରେ ଓଡିଶାରୁ ନେତୃତ୍ୱ ନେଇଛନ୍ତି ସେମାନେ କେନ୍ଦ୍ରରେ ନିଜ ଗୁରୁତ୍ୱକୁ ବ୍ୟବହାର କରି ଓଡିଶାକୁ କେନ୍ଦ୍ରୀୟ ପ୍ରକଳ୍ପ ଆଣିବାରେ ସକ୍ଷମ ହୋଇ ନାହାଁନ୍ତି । ହେଲେ ତାହା ଧର୍ମେନ୍ଦ୍ର କରି ଦେଖାଇଛନ୍ତି । ଏସବୁ ସତ୍ୱେ ବି ତାଙ୍କ ନେତୃତ୍ୱ ଓ ଭାବମୂର୍ତ୍ତୀ ଯେଉଁ ଢ଼ଙ୍ଗରେ ଗଢ଼ାଯିବା କଥା ତାହା ଅନେକାଂଶରେ ବିପରୀତ ଭଳି ମନେ ହୁଏ ।

ଅନେକଙ୍କ ମତରେ ସେ ଜଣେ ଅହଙ୍କାରୀ ନେତା । ଅଫିସରଙ୍କୁ ଗାଳି ଦେଉଥିବା ନେତା । ବିପକ୍ଷ ନେତାଙ୍କୁ ସମ୍ମାନ କମ୍ କିନ୍ତୁ ଅସମ୍ମାନ କରୁଥିବା ଜଣେ ନେତା ସିଏ । ଏକଥା ସତ ସାମ୍ବାଦିକମାନଙ୍କୁ ବି ସେ ଛାଡି ନାହାଁନ୍ତି । ଯଦି କେହି ତାଙ୍କୁ ନେଇ ପ୍ରଶ୍ନ କରେ ତୁରନ୍ତ ସେ ସାମ୍ବାଦିକକୁ ବିପକ୍ଷର ଏଜେଣ୍ଟ କହି ଦୂରଦୂର ମାରମାର କରନ୍ତି । କାହାକୁ କାହାକୁ ତ ଦରମାପ୍ରାପ୍ତ କର୍ମଚାରୀ କହି ଅପମାନ ଦେଇଛନ୍ତି । ପୁଣି କାହାକୁ ଚାକିରୀରୁ ବାହାର କରିବା ପାଇଁ କରିଛନ୍ତି ଚାପ ପ୍ରୟୋଗ । ଯେଉଁଥି ପାଇଁ ତାଙ୍କୁ ଦଳରେ ସର୍ବମାନ୍ୟ ସମ୍ମାନ ମଧ୍ୟ ମିଳୁନାହିଁ ।

ରାଜନୀତି ସମୀକ୍ଷକଙ୍କ ମତରେ, ନବୀନଙ୍କ ଚାଲାକିକୁ ଠିକସେ ନବୁଝି ନବୀନଙ୍କୁ ଅନୁକରଣ କରିବାଟା ଏହାର ଉପାୟ ନୁହେଁ । ମହିଳାଙ୍କୁ ସ୍ୱାବଲମ୍ବୀ କରାଇବନି କିନ୍ତୁ ଏସଏଚଜିକୁ କିଛି ପଇସା ଦେଇଦେବା । ଯୁବକଙ୍କୁ ଚାକିରୀ ଦେବନି କିନ୍ତୁ ବିଜୁ ଯୁବ ବାହିନୀ କରିବା । ଚାଷର ଉନ୍ନତି ପାଇଁ କିଛି କରିବନି କିନ୍ତୁ କାଳିଆ ଯୋଜନାରେ ଟଙ୍କା ବାଣ୍ଟିବା । ମାନେ କିଛି କରିବନି ଚୁପ ଚାପ ରହିବ । କ୍ୟାମେରା ସାମ୍ନାରେ କୃତିମ ହସ ହସିବ ଆଉ ଅପଭ୍ରଂଶ ଓଡିଆରେ ମା’ ଭଉଣୀଙ୍କୁ ନମସ୍କାର କରିବ ।

କିନ୍ତୁ ଅସଲ କଥା ହେଲା ମିଛ ହେଉ କି ସତ ହେଉ ସମସ୍ତଙ୍କ ମନରେ ନବୀନ ଗୋଟିଏ ବିଶ୍ୱସନୀୟତା ତିଆରି କରିବାରେ ସଫଳ ହୋଇଛନ୍ତି । ତେଣୁ ସେ ସତରେ ଅଭିନୟ କରୁଛନ୍ତି, ସେଇଟା ଲୋକଙ୍କୁ ବୁଝେଇକି ବିଶ୍ୱାସ ଜିତିବା ପାଇଁ ନିଜର ବିଶ୍ୱାସନିୟତା ବଢ଼ାଇବାକୁ ପଡିବ । ଆଉ ଲୋକଙ୍କ ମତ ହେଲା, ସେତିକି ନକରି କି ଧର୍ମେନ୍ଦ୍ର ବାବୁ କେବଳ ମନ୍ତ୍ରୀ ହେଲା ପରେ କେନ୍ଦ୍ର ମନ୍ତ୍ରୀ ଭାବେ ନିଜ ଭାଉରେ ନିଜକୁ ଚ୍ୟାଲେଂଜର ଭାବିଲେ । ଲୋକଙ୍କ ପାଇଁ କାମ କରି ଚ୍ୟାଲେଂଜର ହେବା ପରିବର୍ତ୍ତେ ଦିଲ୍ଲୀ ଦବଦବାର ପତିଆରାକୁ ନେଇ ସେ ଚ୍ୟାଲେଂଜର ହେବାକୁ ଚେଷ୍ଟା କଲେ । ଯେଉଁଟାକୁ ଲୋକେ ଗ୍ରହଣ କରିପାରିଲେ ନାହିଁ । ଅର୍ଥାତ ଲୋକେ ଧର୍ମେନ୍ଦ୍ରଙ୍କୁ ନବୀନଙ୍କ ବିକଳ୍ପ ଭାବିବା ପାଇଁ ଫର୍ମୁଲା କାମ ଦେଲା ନାହିଁ ।

ସମୀକ୍ଷକଙ୍କ କହିବା କଥା, ଦଳକୁ ପ୍ରତିନିଧିତ୍ୱ କରୁଥିବା ନେତାଙ୍କର ଏମତି ଡବଲ ରୋଲ ନିଜ ଦଳର କର୍ମୀଙ୍କ ମନରେ ବି ଅବିଶ୍ୱାସ ବୀଜ ବୁଣିଲା । ଯାହାଙ୍କ ପାଇଁ ସର୍ବୋଚ୍ଚ ନେତା ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପୋଡା ଟ୍ରାନ୍ସଫର୍ମର କହି ବଙ୍ଗୋପସାଗରରେ ଉପାଡି ଫିଙ୍ଗିଦେବାକୁ ଆହ୍ୱାନ ଦେଇଥିଲେ, ସେ ଏମିତି ଦୋମୁହାଁ କାମ କରିବା ଅନେକଙ୍କର ହଜମ ହେଲାନି । ଓଡିଶା ଲୋକେ ସାଦାସିଧା ପ୍ରସନ୍ଦ କରନ୍ତି । ଗାଳି ଗୁଲଜ, ମାରପିଟ୍ , ଗଣ୍ଡଗୋଳ କରୁଥିବା ନେତାଙ୍କୁ ବୁଲେଟର ଜବାବ ବାଲାଟରେ ଦେଇ ପାରନ୍ତି । ଲୋକେ ଚାହାଁନ୍ତି ତାଙ୍କ ନେତା ମୁହଁଟାଣ ରଖୁ । ଗୋଟିଏ କଥା କହୁ । ନିଜ କଥାରେ ସ୍ଥିର ରହୁ । କିନ୍ତୁ ଧର୍ମେନ୍ଦ୍ରଙ୍କ ଡବଲରୋଲ ପାଇଁ ସବୁ ବେଙ୍ଗା ହୋଇଗଲା । ୧୨୦ ଜିତିବା ବଦଳରେ ଯେତେବେଳେ ୧୨୩ ହାରିଲେ , ଏହାଠାରୁ ଅପମାନ ଓ ପରାଜୟ କଣ ବା ହୋଇପାରେ ।

Related Posts