ସ୍ଥିତି ବିଗିଡିଲା କାହିଁକି ?

ସତ୍ୟପାଠ ବ୍ୟୁରୋ:  ରାଜ୍ୟର କରୋନା ସ୍ଥିତି ଏକ ପ୍ରକାରର ନିୟନ୍ତ୍ରକୁ ଆସୁଥିବା ବେଳେ ହଟାତ୍ ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ସରକାରଙ୍କ ସବୁ ଗଣିତକୁ ଓଲଟ ପାଲଟ କରିଦେଇଛି । ଆମେ ଯଦି ଦେଖିବା ଯାଜପୁର ଏବଂ ଭଦ୍ରକରେ ପ୍ରାଥମିକ ଅବସ୍ଥାରେ କରୋନା ଆକ୍ରାନ୍ତ ବାହାରିଥିଲେବି ପରବର୍ତ୍ତୀ ସମୟରେ ଏକ ଲମ୍ବା ସମୟ ପର୍ଯ୍ୟନ୍ତ ଆଉ ପଜିଟିଭ୍ ନଜରକୁ ଆସିନଥିଲା । ଏପରିକି ଭଦ୍ରକ ଜିଲ୍ଲା କେନ୍ଦ୍ର ସରକାରଙ୍କ ନଜରରେ ଗ୍ରୀନ ଜୋନ ଭାବରେ ଘୋଷଣା ହେବାକୁ ଯାଉଥିଲା । ବାଲେଶ୍ବର ଜିଲ୍ଲାତ ଏମିତିବି ପ୍ରଥମରୁ କରୋନା ମୁକ୍ତ ଥିଲା । ହଟାତ୍ ଦେଖାଗଲା ବାଲେଶ୍ବର ଜିଲ୍ଲାରେ ଜନୈକ ୬୧ ବର୍ଷୀୟ ଜଣେ ବ୍ୟକ୍ତି ପ୍ରଥମେ କରୋନାରେ ଆକ୍ରାନ୍ତ ହେବାର ଖବର ଆସିଲା ।

୧୩ ତାରିଖରେ ଯାଜପୁରର ୨ୟ କରୋନା ଚିହ୍ନଟ ପରେ ସମସ୍ତଙ୍କ ଚିନ୍ତା ବଢି ଯାଇଥିଲା । ହଟାତ୍ ଭଦ୍ରକ ଓ ଯାଜପୁରରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ମଧ୍ୟରୁ ଆକ୍ରାନ୍ତଙ୍କ ଖବର ଜଣକ ପରେ ଜଣେ ଆସିବା ପରେ ସ୍ଥିତି ଜଟିଳ ହୋଇ ପଡିଥିଲା । ଶେଷରେ ଆଜି ସୁଦ୍ଧା ଯାଜପୁରରେ ୪୦ ,ବାଲେଶ୍ବରେ ୨୦ ଏବଂ ଭଦ୍ରକରେ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରେ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ ଘୋଷଣା ହୋଇସାରିଲାଣି । ରାଜ୍ୟର ଏକଦା ସବୁଠାରୁ ସୁରକ୍ଷିତ ଥିବା ତିନୋଟି ଜିଲ୍ଲା ଏବେ ସର୍ବାଧିକ ବିପଦରେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ରେଡ୍ ଜୋନ ଜିଲ୍ଲା ମାନଙ୍କର ଚିଠା ପ୍ରକାଶ ପାଇଛି ତା’ ମଧ୍ୟରେ ଏହି ତିନୋଟି ଜି୍ଲ୍ଲା ସ୍ଥାନ ପାଇଛି । ସମଗ୍ର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୯ ହୋଇଥିବା ବେଳେ ଏହି ତିନୋଟି ଜିଲ୍ଲାରେ କେବଳ ୭୯ ରେ ପହଞ୍ଚିଛି।

ତେବେ ପ୍ରଶ୍ନ ଉଠୁଛି ହଟାତ୍ କାହିଁକି ଏ ଜିଲ୍ଲା ମାନଙ୍କରେ ସ୍ଥିତି ବିଗିଡିଗଲା ? କେଉଁ କାରଣ ପାଇଁ ଏବେ ତିନୋଟି ଜିଲ୍ଲାର ଲକ୍ଷଲକ୍ଷ ଲୋକଙ୍କୁ ଆସନ୍ତା ଦୁଇ ସପ୍ତାହ ଯାଏ ଘର ଭିତରେ କର୍ଫ୍ୟୁ ପରି ଜୀବନ ବଞ୍ଚିବାକୁ ପଡିବ ? ଯଦି ଦେଖାଯାଏ ମୁଖ୍ୟତଃ ପଶ୍ଚିମବଙ୍ଗ ଲିଙ୍କ୍ ପ୍ରସଙ୍ଗକୁ ଏହାର ମୂଖ୍ୟ କାରଣ ବୋଲି ବିବେଚନା କରାଯାଉଛି । ଯଦି ଏହା ସତ୍ୟ ହୋଇଥାଏ ତେବେ….

୧. କେଉଁ ପରିସ୍ଥିତିରେ ଲକ୍ ଡାଉନ କଡାକଡି ଚାଲିଥିବା ବେଳେ ଏତେ ସଂଖ୍ୟକ ଲୋକ ପଶ୍ଚିମବଙ୍ଗରୁ ଏହିସବୁ ଜିଲ୍ଲାରେ ପ୍ରବେଶ କଲେ କେମିତି ?

୨. ଉଭୟ ରାଜ୍ୟର ସୀମାରେ କଡାକଡି ଯାଞ୍ଚର କଥା କୁହାଯାଉଥିବା ବେଳେ ଏମାନେ କେଉଁ ରାସ୍ତାରେ ଦେଇ ଆସିଲେ ଯାହା ପୋଲିସ ଆଉ ପ୍ରଶାସନ ଦୃଷ୍ଟିରେ ପଡିଲେ ନାହିଁ ?

୩. ଯଦି ରାଜ୍ୟ ସୀମା ଅତିକ୍ରମ କରାଇବାରେ ଏମାନଙ୍କୁ କେହି ଚଞ୍ଚକତା କରି ସହଯୋଗ କରିଥାନ୍ତି ତେବେ ଜିଲ୍ଲା ପ୍ରବେଶ ପଥରେ ଏମାନେ ଖସିଗଲେ କେମିତି ?

୪. କିଛି ଆକ୍ରାନ୍ତଙ୍କ ଗସ୍ତ ଇତିହାସ କହୁଛି ଏମାନେ ପଶ୍ଚିମବଙ୍ଗରୁ ସିଧା ସଡକପଥରେ ଆସିଥିବାର ଏବଂ ନିର୍ବିଘ୍ନରେ ନିଜ ନିଜ ଗାଁକୁ ଯାଇଥିବାର ,ଯଦି ଏହା ସତ୍ୟ ତା’ହେଲେ ସୁରକ୍ଷାର ଯେଉଁ ଡିଣ୍ଡିମ ପିଟା ଯାଉଛି ତା’ହେଲେ ତାହା କ’ଣ ଭୁଲ୍ କି ?

୫. ରାଜ୍ୟ ସରକାର ପ୍ରବାସୀ ଓଡିଆମାନେ ଫସି ରହିଥିବା ରାଜ୍ୟ ମାନଙ୍କରେ ଠିକ୍ ଅଛନ୍ତି ବୋଲି କହୁଥିବା ବେଳେ ଏହି ପଶ୍ଚିମବଙ୍ଗ ଫେରନ୍ତା ଶ୍ରମିକମାନେ ଲୁଚିଛପି ଓଡିଶା ଆସିବା ପଛର କାରଣ କ’ଣ ? ପଶ୍ଚିମବଙ୍ଗ ସରକାରଙ୍କ ସହ ଏ ସଙ୍କ୍ରାନ୍ତରେ ହୋଇଥିବା ଆଲୋଚନା ଫଳପ୍ରଦ ହେଲାନାହିଁ କାହିଁକି ?

୬. ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମସ୍ତ ରାଜ୍ୟମାନଙ୍କ ସହ ଯୋଗସୁତ୍ର ରକ୍ଷା କରିବା ପାଇଁ ଦାୟିତ୍ବରେ ଥିବା ନୋଡାଲ ଅଫିସରମାନେ ତା’ହେଲେ କେଉଁ ପ୍ରସଙ୍ଗରେ ତର୍ଜମା କରୁଥିଲେ ? ଯଦି ସବୁ ଠିକଠାକ୍ ଥିଲା ତା’ହେଲେ ଏହି ଜିଲ୍ଲାକୁ ଫେରିଥିବା ଶ୍ରମିକ ମାନଙ୍କର ତଥ୍ୟ ଏମାନଙ୍କ ନିକଟରେ ଥିଲା ତ ?

୭. ଭୟ ଆଉ ଭୋକର ଦୋଛକିରେ କଷ୍ଟ ପାଉଥିବା ପ୍ରବାସୀ ଶ୍ରମିକଟିଏ ଜନ୍ମମାଟିକୁ ଆସିବାକୁ ଚେଷ୍ଠାକରିବା ସ୍ବାଭାବିକ୍ ହେଲେ ତା’ ଉପରେ ନଜର ନରଖିବା କେତେଦୂର ଠିକ୍ ?

୮. ଯେଉଁ ସରପଞ୍ଚ ମାନଙ୍କୁ ଏବେ ଦାୟିତ୍ୱ ଦିଆଗଲା ତାହା ବହୁ ଆଗରୁ ଦିଆଗଲା ନାହିଁ କାହିଁକି ? ଏବେ ପଶ୍ଚିମବଙ୍ଗରେ ଯେଉଁ ବ୍ୟକ୍ତିମାନେ ଅଟକିଛନ୍ତି ସେମାନଙ୍କୁ ଫେରାଇ ଆଣିବାର ସରକାରଙ୍କ ଯୋଜନା କ’ଣ ?

୧୦.କିଛି ବ୍ୟକ୍ତି ନିଜକୁ ପଣ୍ୟ ପରିବହନ ପାଇଁ ବ୍ୟବହୃତ ଗାଡିରେ ଆସିଲା ବେଳେ ପୋଲିସ ପ୍ରଶାସନର ନଜରରୁ ଖସିଗଲେ କେମିତି ?

ଏହିଭଳି ପୁଳାପୁଳା ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଥିବା ବେଳେ ପୁଣି ମନକୁ ବୁଝାଇବାକୁ ପଡୁଛି । ଅବଶ୍ୟ ଏ ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବାର ଏ ବେଳ ନୁହେଁ ହେଲେ ଏହାଦ୍ବାରା ଗୋଟିଏ ଲାଭ ହେବ ଆମେ ଏ ତୃଟିରୁ ପାଇଥିବା ଶିକ୍ଷା ଆଗକୁ ଏକ ବଡ ସଙ୍କ୍ରମଣରୁ ଆମକୁ ରକ୍ଷା କରିବାରେ ସାହାଯ୍ୟ କରିବ । ପ୍ରାଥମିକତା ଦେବାକୁ ଯାଇ ବର୍ତ୍ତମାନ ପ୍ରତି ଗାଁରେ ସରକାର ପଶ୍ଚିମବଙ୍ଗ ଵା ଅନ୍ୟ ରାଜ୍ୟରୁ ଫେରିଥିବା ବ୍ୟକ୍ତିଙ୍କ ଏକ Data Base ପ୍ରସ୍ତୁତ କରିବା ଦରକାର । ଯେତେ ଅଧିକ ସମ୍ଭବ ସେମାନଙ୍କର ସାମ୍ପଲ ଟେଷ୍ଟ କରି ଆକ୍ରାନ୍ତଙ୍କୁ ଅଲଗା କରିବା ଦରକାର । ହୋମ୍ କ୍ବାରେଣ୍ଟାଇନ ଅପେକ୍ଷା ସରକାରୀ କ୍ବାରେଣ୍ଟାଇନ ରେ ଏମାନଙ୍କୁ ରଖାଯିବା ଦରକାର । ସୂଚନା ଲୁଚାଉଥିବା ବ୍ୟକ୍ତି ପରବର୍ତ୍ତୀ ସମୟରେ ପ୍ରଶାସନ ଦୃଷ୍ଟିକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନର ଧମକ ଦିଆଯିବା ଦରକାର । ସରକାରୀ କ୍ବାରେଣ୍ଟାଇନ ଗୁଡିକର ନିୟମିତ ସ୍ଥିତି ମଧ୍ୟ ସମୀକ୍ଷା ହେବା ଦରକାର । ତେବେଯାଇ ଆମେ ଏ ବିପଦକୁ ଅତିକ୍ରମ କରିପାରିବା ନଚେତ୍ ସଙ୍କ୍ରମଣର ସଂଖ୍ୟା ଆଗକୁ ବଢିବ ବରଂ କମିବାର ନାଁ ଧରିବ ନାହିଁ ।

Related Posts