ଭୁବନେଶ୍ୱର,୧୮/୨(ସତ୍ୟପାଠ ବ୍ୟୁରୋ): ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ରଖିବା ପରେ ଏହାର ଜବାବ୍ ରଖିଛି ବିଜେଡି । ଶାସକ ଦଳର ବିଧାୟକ ଶଶୀଭୂଷଣ ବେହେରା ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ସହିତ ରାଜନୀତିରେ ଶାଳୀନତା ରହିବା ଦରକାର ବୋଲି କହିଛନ୍ତି । ତେବେ ବିଧାନସଭାରେ ବିରୋଧୀ ଯାହା ପ୍ରସଙ୍ଗ ଉଠେଇବେ ସେଥିରେ ଆଲୋଚନା ପାଇଁ ଶାସକ ଦଳ ପ୍ରସ୍ତୁତ ଅଛି ।ଓଡିଶା ବିଧାନସଭା ଅତୀତରେ ଯେଉଁ ଯେଉଁ ଘଟଣା ଘଟିଛି ସେ ସବୁ ପ୍ରସଙ୍ଗକୁ ବିଜୁ ଜନତାର ସରକାର ସାମ୍ନା କରିଛି । ଏବେ ବି ବିଧାନସଭାରେ ବିରୋଧୀ ଦଳକୁ ସାମ୍ନା କରିବା ସହ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ରଖିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ।
ସୂଚନାଯୋଗ୍ୟ ଯେ, ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡର ଏକ୍ସପୋଜ ହେବ ବୋଲି କହିଥିଲେ ବିରୋଧୀ ଦଳ ନେତା । ଘଟଣା ପଛରେ ଅନେକ ରହସ୍ୟ ରହିଛି । ମୁଦାଲାକୁ ଖଲାସ କରିଦେବା ପାଇଁ ପୋଲିସ ଚେଷ୍ଟା କରୁଛି । ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀମାନେ ତାଙ୍କ ବିରୁଦ୍ଧରେ ପ୍ରାୟୋଜିତ କାର୍ୟ୍ୟକ୍ରମ କରୁଛନ୍ତି ବୋଲି ଜୟନାରାୟଣ ପ୍ରତିକ୍ରିୟା ରଖିଥିଲେ । ଖାଲି ସେତିକି ନୁହେଁ, ତାଙ୍କୁ ମ୍ୟାନେଜ ନ କରି ପାରିବାରୁ ତାଙ୍କ ବିରୁଦ୍ଧରେ ଏହି ଷଡ଼ଯନ୍ତ୍ର କରାଯାଇଛି । ସେ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲୁଥିବାରୁ ଶାସକ ଦଳ ଭୟଭୀତ ହୋଇଯାଇଛି ବୋଲି ସେ କହିଥିଲେ । ଜୟନାରାୟଣଙ୍କ ବିରୁଦ୍ଧରେ ଥିବା ଅଭିଯୋଗକୁ ନେଇ ଯଦି ସେମାନେ ଆଲୋଚନା କରିବାକୁ ଚାହୁଁଛନ୍ତି ତେବେ ସେ ଖୋଲା ଡ଼ିବେଟ ପାଇଁ ପ୍ରସ୍ତୁତ ଥିବା କହିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
