ନାକଚ ହୋଇଯିବ କି ଘାସିରାମଙ୍କ ପ୍ରାର୍ଥୀ ପତ୍ର?; ବଡ଼ ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନୂଆପଡା କଂଗ୍ରେସ ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀଙ୍କ ନାଁରେ ବଡ଼ ଅଭିଯୋଗ ଆଣିଲା ବିଜେପି। ଘାସିରାମ ନିର୍ବାଚନୀ ସତ୍ୟପାଠରେ ନିଜ ଅପରାଧିକ ମାମଲା ସମ୍ପର୍କିତ ତଥ୍ୟ ଲୁଚାଇଥିବା ବିଜେପି ଅଭିଯୋଗ କରିଛି । ଦଳ ପକ୍ଷରୁ କୁହାଯାଇଛି ଯେ, ନୂଆପଡା ଥାନାରେ ରୁଜୁ ହୋଇଥିବା ଦୁଇଟି ଅଭିଯୋଗର ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ହୋଇନାହିଁ । ଗତ ୨୦୨୪ ସାଧାରଣ ନିର୍ବାଚନରେ ଦୁଇଟି ଅଭିଯୋଗ ୧୪୬/୨୦୨୨ ଏବଂ ୧୦/୨୦୧୮ ସଂପର୍କରେ ଶ୍ରୀ ମାଝୀ ନିର୍ବାଚନ ଆୟୋଗଙ୍କ ନିକଟରେ ଉଲ୍ଲେଖ କରିଥିଲେ, ଯାହାକି ବର୍ତମାନ ସୁଦ୍ଧା ମାନ୍ୟବର ଏସ୍‌ଡିଜେଏମ୍ କୋର୍ଟରେ ବିଚାରଧିନ ଅଛି । ମାତ୍ର ଚଳିତ ଉପନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀ ଉକ୍ତ ଦୁଇଟି ମାମଲା ସଂପର୍କରେ ଜାଣିଶୁଣି ଉଲ୍ଲେଖ କରିନାହାନ୍ତି । ଏହା “ଜନପ୍ରତିନିଧି ଆଇନ-୧୯୫୧ ର ଧାରା ୧୨୫-‘କ’ ଅନୁଯାୟୀ ଧର୍ତବ୍ୟ ଅପରାଧ । ତେଣୁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ସହ ତାଙ୍କ ନାମାଙ୍କନ ପତ୍ର ନାକଚ ହେବା ଉଚିତ୍ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେପି ତରଫରୁ ଦାବି କରାଯାଇଛି ।

ଏ ସଂପର୍କରେ ସୁଚନା ଦେଇ ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି କହିଛନ୍ତି ଯେ, ଯେଉଁ କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ, ସେ ଦଳର ନେତାମାନେ ସମ୍ବିଧାନର ମୂଲ୍ୟ ବୁଝିବେ କେମିତି ? ନିଜ ମୂଳ ବିଚାରଧାରାରୁ ସଂପୂର୍ଣ୍ଣ ଓହରି ଯାଇଛି ଆଜିର କଂଗ୍ରେସ ଦଳ । କଂଗ୍ରେସ ଦଳର ବିଚାର ଓ କାର୍ଯ୍ୟଶୈଳୀକୁ ସାଧାରଣ ଜନତା ଆଉ ଗ୍ରହଣ କରୁନାହାନ୍ତି । ଅପରାଧୀ ଏବଂ ଅସାମାଜିକ ତତ୍ୱର ଆଡ୍ଡାସ୍ଥଳ ପାଲଟିଛି କଂଗ୍ରେସ ଦଳ । ନିଜ ସାଧାରଣ ଜୀବନରେ କରିଥିବା ଅସାମାଜିକ କାର୍ଯ୍ୟଗୁଡିକୁ କଂଗ୍ରେସ ଦଳର ନେତାମାନେ ଲୁଚାଇବାକୁ ପଛାଉନାହାନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ପୁଣି ଥରେ ନୂଆପଡା ଉପନିର୍ବାଚନରେ ଦେଖିବାକୁ ମିଳିଛି । ଚଳିତ ନୂଆପଡା ଉପନିର୍ବାଚନରେ କଂଗ୍ରେସର ଦଳୀୟ ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ନିଜ ଅପରାଧିକ କାର୍ଯ୍ୟକଳାପକୁ ଲୁଚାଇଛନ୍ତି । ଏହା ଏକ ଜଘନ୍ୟ ଅପରାଧ ଓ ଅକ୍ଷମଣୀୟ ବୋଲି ଡ.ମହାନ୍ତି କହିଛନ୍ତି ।

ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ ଦାସ, ରାଜ୍ୟ ଲିଗାଲ ସେଲ ସଂଯୋଜକ ଶ୍ରୀ ଜୟନ୍ତ ଜେନା ଏବଂ ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts