ବିଧାନସଭାରେ ୧୯୯୦ର ପୁନଃରାବୃତ୍ତି, ସେବେ ବିଜୁ ଏବେ ନବୀନ

ସତ୍ୟପାଠ ବ୍ୟୁରୋ: ବିରୋଧୀ ଦଳ ନେତାଙ୍କ ବିନା ଚାଲିପାରେ ବିଧାନସଭା ଅଧିବେଶନ । ବିଧାୟକ ପଦରୁ ନବ ଦାସ ଓ ଯୋଗେଶ ସିଂଙ୍କ ଇସ୍ତଫା ପରେ ବିରୋଧୀ ଦଳ ମାନ୍ୟତା ହରାଇଛି କଂଗ୍ରେସ । ତେବେ ଯେହେତୁ ନରସିଂହ ମିଶ୍ରଙ୍କୁ ବିରୋଧୀ ଦଳ ନେତା ପଦ ମିଳିଛି, ତାହା ରହିବ କି ନାହିଁ ସେନେଇ ଅନୁଧ୍ୟାନ କରାଯାଉଥିବା ବାଚସ୍ପତି କହିଛନ୍ତି ।

୨୦୧୪ ନିର୍ବାଚନରେ କଂଗ୍ରେସ ପାଇଥିଲା ୧୬ଟି ସିଟ୍ । ସେଥିମଧ୍ୟରୁ ସୁବଳ ସାହୁଙ୍କ ମୃତ୍ୟୁ ପରେ ସେହି ସିଟ କଂଗ୍ରେସ ହାତରୁ ଚାଲିଗଲା । ଫଳରେ କଂଗ୍ରେସ ପାଖରେ ଆଉ ୧୫ଟି ସିଟ ରହିଥିଲା । ତେବେ ସମତା କ୍ରାନ୍ତି ଦଳ ବିଧାୟକ ଜର୍ଜ ତିର୍କୀ କଂଗ୍ରେସରେ ଯୋଗଦେବା ପରେ ଏହା ପୁଣି ୧୬କୁ ଆସିଥିଲା । ହେଲେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଓ ଝାରସୁଗୁଡା ବିଧାୟକ ନବ ଦାସ ବିଧାୟକ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ଫଳରେ କଂଗ୍ରେସ ପାଖରେ ମୋଟ ୧୩ଜଣ ସଦସ୍ୟ ବର୍ତ୍ତମାନ ଅଛନ୍ତି ।

ଓଡିଶା ବିଧାନସଭାର ସଭ୍ୟ ସଂଖ୍ୟା ୧୪୭ । ବିରୋଧୀ ଦଳ ମାନ୍ୟତା ପାଇଁ ମୋଟ ସଭ୍ୟ ସଂଖ୍ୟାର ଏକ ଦଶମାଂଶ ସଭ୍ୟ ଆବଶ୍ୟକ । ଅର୍ଥାତ ୧୫ଜଣ ସଭ୍ୟ ରହିଲେ ହିଁ ବିରୋଧୀ ଦଳ ମାନ୍ୟତା ମିଳିବ । ହେଲେ ଏବେ କଂଗ୍ରେସର ସଦସ୍ୟ ସଂଖ୍ୟା ୧୩କୁ ଖସି ଆସିଛି । କିନ୍ତୁ କମ୍ ସଦସ୍ୟ ଥିଲେ ବି ବିରୋଧୀ ଦଳ ମାନ୍ୟତା ଦିଆଯିବ କି ନାହିଁ ତାହା ନିର୍ଭର କରୁଛି ଗୃହର ନେତା ମୁଖ୍ୟମନ୍ତ୍ରୀଙ୍କ ଉପରେ । ମୁଖ୍ୟମନ୍ତ୍ରୀ ଚାହିଁଲେ ସଂଖ୍ୟା କମ୍ ଥିଲେ ବି କଂଗ୍ରେସକୁ ବିରୋଧୀ ଦଳ ମାନ୍ୟତା ଦେଇ ପାରନ୍ତି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କାହା ରାସ୍ତାରେ ଯିବେ ନବୀନ । ମୋଦିଙ୍କ ରାସ୍ତାରେ ନା ବିଜୁଙ୍କ ରାସ୍ତାରେ । ଲୋକସଭାରେ ଆବଶ୍ୟକୀୟ ସଦସ୍ୟ ନଥିବା କାରଣରୁ କଂଗ୍ରେସକୁ ବିରୋଧୀ ଦଳ ମାନ୍ୟତା ଦେଲେ ନାହିଁ ଗୃହର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରାସ୍ତାରେ ଯଦି ମୁଖ୍ୟମନ୍ତ୍ରୀ ଯାଆନ୍ତି ତେବେ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ହରାଇବ । କିନ୍ତୁ ଯଦି ସ୍ୱର୍ଗୀୟ ପିତା ବିଜୁ ପଟ୍ଟନାୟକଙ୍କ ପଦାଙ୍କ ଅନୁସରଣ କରନ୍ତି ତେବେ ଉଦାରମନା ବୋଲି ବିବେଚିତ ହୋଇପାରନ୍ତି ।

କାରଣ ୧୯୯୦ ମସିହାରେ ୧୨୩ ଆସନରେ ବିଜୟୀ ହୋଇ ଜନତା ଦଳ ସରକାର ଗଢ଼ିଥାଏ । ଗୃହର ନେତା ଥାଆନ୍ତି ନିଜେ ବିଜୁ ବାବୁ । ସେତେବେଳେ ମଧ୍ୟ କଂଗ୍ରେସ ପାଖରେ ବିରୋଧୀ ଦଳ ମାନ୍ୟତା ପାଇଁ ଆବଶ୍ୟକୀୟ ସିଟ୍ ନଥାଏ । ତଥାପି ଗଣତନ୍ତ୍ରରେ ବିରୋଧୀ ଦଳର ଭୁମିକାକୁ ସମ୍ମାନ ଦେଇ ବିଜୁ ବାବୁ କଂଗ୍ରେସକୁ ବିରୋଧୀ ଦଳର ମାନ୍ୟତା ଦେଇଥିଲେ । ସେତେବେଳେ ରାମଚନ୍ଦ୍ର ଉଲ୍ଲାକା ବସିଥିଲେ ବିରୋଧୀ ଦଳ ନେତା ଆସନରେ । ଯଦିଓ ସମୟ ବଦଳିଛି, ବିରୋଧୀ ଓ ଶାସକ ଉଭୟଙ୍କ ଆଭିମୁଖ୍ୟ ବଦଳିଛି ତଥାପି ଗଣତନ୍ତ୍ରରେ ବିରୋଧୀ ଦଳର ଆବଶ୍ୟକତା ଥିବାରୁ ଗୃହର ନେତା ନବୀନ କି ନିଷ୍ପତି ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Related Posts