ଭୁବନେଶ୍ୱର,୨୧/୪(ସତ୍ୟପାଠ ବ୍ୟୁରୋ): କୋର୍ଟ ଭିତରେ ଫୁଟିଲା ଗୁଳି । ପୋଲିସ ଉପସ୍ଥିତିରେ ମହିଳାଙ୍କୁ ଗୁଳିମାଡ କଲା ଦୁର୍ବୃତ୍ତ । ଆଜି ଦିଲ୍ଲୀର ସାକେତ କୋର୍ଟ ପରିସରରେ ଏହି ଗୁଳିକାଣ୍ଡ ଘଟିଛି ।ଜଣେ ଦୁର୍ବୃତ୍ତ ଓକିଲ ପୋଷାକ ପିନ୍ଧି କୋର୍ଟରେ ଜଣେ ମହିଳାଙ୍କୁ ଗୁଳି ମାଡ କରିଥିବା ସୂଚନା ମିଳିଛି । ଏଥିରେ ମହିଳା ଜଣକ ଗୁରୁତର ଆହତ ହୋଇଥିବାବେଳେ ସଙ୍ଗେ ସଙ୍ଗେ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଅଭିଯୁକ୍ତ ଜଣକ ଗୁଳିମାଡ ପରେ ଫେରାର୍ ହୋଇଯାଇଛି । ଏହି ଘଟଣା ପରେ କୋର୍ଟ ପରିସରରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁସାରେ, ଦୁର୍ବୃତ୍ତ ଜଣକ ଓକିଲ ପୋଷାକ ପିନ୍ଧି ଗୁଳିମାଡ କରିଥିଲା । କୋର୍ଟ ପରିସରରେ ପୋଲିସ ଉପସ୍ଥିତିରେ ସେ ମହିଳାଙ୍କୁ ଉପରୁ ପ୍ରାୟ ୪ ରାଉଣ୍ଡ ଗୁଳି ଫୁଟାଇଥିଲା । ଏଥିରେ ମହିଳାଙ୍କ ପେଟରେ ଗୁଳି ବାଜିଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି । ଦୁର୍ବୃତ୍ତ ଜଣକ ଫେରାର୍ ହୋଇଯାଇଥିବା ବେଳେ ପୋଲିସ ତାକୁ ଧରିବାକୁ ଖୋଜାଖୋଜି ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ, ଆହତ ମହିଳା ଜଣକ କୋର୍ଟରେ ସାକ୍ଷୀ ଦେବାକୁ ଆସିଥିଲେ । ତେବେ ଗୁଳି କରିଥିବା ବ୍ୟକ୍ତି ତାଙ୍କର ସ୍ବାମୀ ହୋଇଥିବା କୁହାଯାଉଛି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଚାଲିଥିଲା । ଏଥିପାଇଁ ସେ ଓକିଲ ବେଶରେ ଆସି ଗୁଳି କରିଥିବା କୁହାଯାଉଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।





