ଡାକ୍ତରୀ ବିଦ୍ୟାର ଆଉ ଏକ ଚମତ୍କାର । ବିଶ୍ବାସ ନ ହେଲେ ବି ସତ । 30 କିଲୋମିଟର ଦୂରରେ ଥାଇ ଡାକ୍ତର କଲେ ଜଟିଳ ଅପରେସନ୍ । ଗୁଜୁରାଟରେ ହୋଇଛି ବିଶ୍ବର ପ୍ରଥମ ରୋବୋଟିକ୍ ହାର୍ଟ ସର୍ଜରୀ ।
ଏହାକୁ ଡାକ୍ତରଙ୍କ ହାତର ଯାଦୁ କୁହନ୍ତୁ ବା ବିଜ୍ଞାନର କରିସ୍ମା । କିନ୍ତୁ ବିଶ୍ବ ଚିକିତ୍ସା ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ଏମିତି ପ୍ରଥମ ଥର ହୋଇଛି, ଜଣେ ଡାକ୍ତର 30 କିଲୋମିଟର ଦୂରରେ ବସି ରୋବୋଟିକ୍ ସର୍ଜରୀ କରିଛନ୍ତି । ତାହା ପୁଣି ଜଟିଳ ହୃଦ୍ରୋଗର ।ଏହି ଚମତ୍କାର କରିଛନ୍ତି ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ତେଜସ୍ ପଟେଲ୍ ।
ଯେଉଁ ରୋଗୀଙ୍କର ଅପରେସନ୍ ହେଉଥିଲା ସେ ଥିଲେ ଅହମ୍ମଦାବାଦର ଏପେକ୍ସ ହସ୍ପିଟାଲ୍ର କ୍ୟାଥଲ୍ୟାବ୍ରେ । ଆଉ ସର୍ଜରୀ କରୁଥିବା ଡାକ୍ତର ତେଜସ୍ ପଟେଲ୍ ଗାନ୍ଧିନଗରର ଅକ୍ଷରଧାମ ମନ୍ଦିରରେ ବସି ଦେଉଥିଲେ କମାଣ୍ଡ । ରୋବୋଟିକ୍ ଟେକ୍ନୋଲୋଜି ମାଧ୍ୟମରେ କରାଗଲା କୋରୋନରୀ ଏନ୍ଜିଓପ୍ଲାଷ୍ଟି । ଏହି ସର୍ଜରୀକୁ ଦେଖିବାକୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ବି ଅକ୍ଷରଧାମ ମନ୍ଦିରରେ ପହଞ୍ଚିଥିଲେ । ଆଉ ସଫଳତାର ସହ ଏହି ଅପରେସନ୍ ସଫଳ ବି ହେଲା ।
ଏମିତି ଅପରେସନ୍ ପାଇଁ 9.5 କୋଟି ବ୍ୟୟରେ ନିର୍ମିତ ହୋଇଛି କ୍ୟାଥଲ୍ୟାବ୍ । ସର୍ଜରୀ ପାଇଁ ମୋବାଇଲ୍ ଇଣ୍ଚରନେଟ୍ ସେବା ପ୍ରଦାନକାରୀ କମ୍ପାନୀ ଜିଓ 100 ଏମ୍ବିପିଏସ୍ର ସ୍ପିଡ୍ ଯୋଗାଇଲା, ଯାହା ସାହାଯ୍ୟରେ ଅକ୍ଷରଧାମ ମନ୍ଦିରରେ ବସି ଡାକ୍ତର କମାଣ୍ଡ ଦେଉଥିଲେ ।
ଡାକ୍ତର ତେଜସ୍ ପଟେଲ୍ ଏ ଯାଏଁ ଗୋଟିଏ ମାସ ଭିତରେ ଏମିତି 57ଟି ରୋବୋଟିକ୍ ସର୍ଜରୀ କରିଛନ୍ତି । 57ଟି ସର୍ଜରୀରୁ 6ଟି ସର୍ଜରୀରେ ସିଧାସଳଖ ଡାକ୍ତରଙ୍କ ସିଧାସଳଖ ସଂପୃକ୍ତିର ଆବଶ୍ୟକତା ପଡ଼ିଥିଲା । କିନ୍ତୁ ଏଥର ପ୍ରଥମ ଥର ପାଇଁ 30 କିଲୋମିଟର ଦୂରରେ ବସି ଡାକ୍ତର ସର୍ଜରୀ କରିଛନ୍ତି ।
ପୂର୍ବରୁ ଅନେକ ଗୁରୁତର ରୋଗୀଙ୍କୁ ଜୀବନ ଦାନ ଦେଇଥିବା ଡାକ୍ତର ତେଜସ୍ ପଟେଲ୍ଙ୍କୁ 2015ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାଛଡ଼ା ସେ ଡାକ୍ତର ବି ସି ରାୟ ସମ୍ମାନ ଏବଂ ଡା କେ ଏମ୍ ଶରଣ କାର୍ଡିଓଲୋଜି ଏକ୍ସଲେନ୍ସ ଆୱାର୍ଡ ମଧ୍ୟ ହାସଲ କରିଛନ୍ତି ।
ଏବେ ଶେଷ ହୋଇଛି ପ୍ରଥମ ଅପରେସନ୍ । ଆହୁରି ଏମିତି 5ଟି ଅପରେସନ୍ କରାଯିବାକୁ ବାକି ଅଛି । ସଫଳ ଅପରେସନ୍ ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଡା. ତେଜସ ପଟେଲ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।