କରୋନାର ଦ୍ଵିତୀୟ ଲହରରେ ରୁଷ ବେହାଲ

୨୪ ଘଣ୍ଟାରେ ରେକର୍ଡ ୧୧୦୬ ଜଣଙ୍କ ମୃତ୍ୟୁ, ରାଷ୍ଟ୍ରପତିଙ୍କ ବଡ ଘୋଷଣା

ମସ୍କୋ : ଦୁନିଆରେ ସର୍ବ ପ୍ରଥମେ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଦେଶ ରୁଷରେ ସଂପ୍ରତି କରୋନାର ଦ୍ଵିତୀୟ ଲହରର ପ୍ରକୋପ ଦେଖିବାକୁ ମିଳିଛି। ପ୍ରତିଦିନ କରୋନାର ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି।  ଏହି କ୍ରମରେ ମଙ୍ଗଳବାର ୩୬,୪୪୬ ନୂତନ କେସ୍ ଚିହ୍ନଟ ହୋଇଛନ୍ତି। ଏଥିସହ ମୃତ୍ୟୁ ମାମଲାରେ ଦେଶରେ ନୂତନ ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ୧୧୦୬ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୨ ହଜାର ୭୭୫କୁ ବୃଦ୍ଧି ଘଟିଛି। ମଙ୍ଗଳବାର ରୁଷ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଏହା ପୂର୍ବରୁ ସୋମବାର ଦେଶରେ ୧୦୬୯ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଥିବା ବେଳେ ୩୭,୯୩୦ ନୂତନ ରୋଗୀ ଚିହ୍ନଟ ହୋଇଥିଲେ।

କରୋନାର ରେକର୍ଡ ସଂଖ୍ୟକ କେସ୍ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବଡ ଘୋଷଣା କରିଛନ୍ତି। ଯେତେ ସମ୍ଭବ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ରାଷ୍ଟ୍ରପତି ଆଗାମୀ ସପ୍ତାହକୁ ‘ନନ ଓ୍ଵାର୍କିଂ ଓ୍ଵିକ୍’ ଘୋଷଣା କରିଛନ୍ତି। ଅର୍ଥାତ ଅକ୍ଟୋବର ୩୦ ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଲୋକଙ୍କୁ କାମରେ ନଯିବାକୁ ଆଦେଶ ଦିଆଯାଇଛି। ଉଲ୍ଲେଖନୀୟ ରୁଷର ୮୫ ଅଞ୍ଚଳରେ କରୋନା ସ୍ଥିତି ଅଧିକ ଉଦବେଗଜନକ ରହିଛି। ଏହି ସବୁ ଅଞ୍ଚଳରେ ନଭେମ୍ବର ୭ରୁ ମଧ୍ୟ କଟକଣା ଅବଧି ଆହୁରି ବଢାଯାଇପାରେ।

ରୁଷରେ ନନ୍ ଓ୍ଵାର୍କିଂ ଓ୍ଵିକ୍ ସମୟରେ କିଣ୍ଡର ଗାର୍ଟନ ଓ ସ୍କୁଲ ସହିତ ଜିମ୍, ଅଧିକାଂଶ ମନୋରଞ୍ଜନ ସ୍ଥଳ ଏବଂ ଷ୍ଟୋର ୧୧ ଦିନ ପାଇଁ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି। ଏହି ଅବଧି ସମୟରେ ରେସ୍ତୋରାଁ ଓ କାଫେ କେବଳ ଅର୍ଡର ନେବା ପାଇଁ ଖୋଲା ରହିବ। ଏହା ବ୍ୟତୀତ ଔଷଧ ଦୋକାନ, କିରାନା ଓ ପନିପରିବା ଦୋକାନ ଖୋଲା ରହିବ।

ଏହି ସମୟରେ ମ୍ୟୁଜିୟମ, ଥିଏଟର ଏବଂ କନସର୍ଟ ହଲ୍‌ରେ ଭ୍ୟାକ୍ସିନ ନେଇ ସାରିଥିବା ଲୋକଙ୍କୁ ଅନୁମତି ମିଳିବ। ସ୍କାନ କୋଡ୍ ଜରିଆରେ ଲୋକଙ୍କୁ ପ୍ରବେଶ ଅନୁମତି ରହିଛି ଏବଂ ଫୋନରେ ନିଜର ଭ୍ୟାକ୍ସିନ ସାର୍ଟିଫିକେଟ୍ ରଖିବାକୁ ହେବ।

ଜାତୀୟ କରୋନା ଭାଇରସ୍ ସୂଚାନ କେନ୍ଦ୍ର ଅନୁଯାୟୀ, ରୁଷରେ ସାର୍ବଜନୀନ ସ୍ଥଳରେ ମାକ୍ସ ବାଧ୍ୟତାମୂଳକ କରାଯାଇଛି। ରୁଷରେ ଆଜି ପର୍ଯ୍ୟନ୍ତ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୩ ଲକ୍ଷ ୧୬ ହଜାର ୦୧୯ରେ ପହଞ୍ଚିଛି। ମହାମାରୀଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୨ ହଜାର ୭୭୫କୁ ବୃଦ୍ଧି ଘଟିଛି।  ଏହା ୟୁରୋପରେ ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ମୃତ୍ୟୁ। ଏହି ମାମଲାରେ ଆମେରିକା, ବ୍ରାଜିଲ, ଭାରତ ଓ ମେକ୍ସିକୋ ପରେ ରୁଷ ପଞ୍ଚମରେ ରହିଛି।  

Related Posts