ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ):ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ବିଶ୍ବ କନିଷ୍ଠ ଚାମ୍ପିଅନ୍ସିପ୍ ରୌପ୍ୟ ବିଜୟିନୀ ତନ୍ବୀ ଶର୍ମା ଓ ଥାଇଲାଣ୍ଡ ମାଷ୍ଟର ବିଜେତା ଦେବୀକା ସିହାଗ। ଗୁରୁବାର ଖେଳାଯାଇଥିବା ମହିଳା ଏକକ ପ୍ରଥମ ରାଉଣ୍ଡ ମୁକାବିଲାରେ ତନ୍ବୀ ୨୩-୨୧, ୨୧-୧୬ରେ ଜର୍ମାନୀର ୟିଭୋନେ ଲିଙ୍କୁ ଏବଂ ଦେବୀକା ୨୧-୧୪, ୨୧-୧୪ରେ ପେରୁର ଏଲ୍ନେସ୍ ଲୁସିଆ କାଷ୍ଟିଲୋଙ୍କୁ ପରାସ୍ତ କରିଛନ୍ତି। ସେହଭିଳି ରକ୍ଷିତା ଶ୍ରୀ ୨୧-୧୫ ଓ ୨୧-୮ରେ ଚେକ୍ ଗଣରାଜ୍ୟର ତେରେଜା ସ୍ବବିକୋଭାଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ପୁରୁଷ ଏକକରେ ଦୁଇ ମ୍ୟାଚ୍ରେ ଭାରତୀୟଙ୍କ ମଧ୍ୟରେ ଲଢ଼େଇ ହୋଇଥଲୋ। ପଞ୍ଚମ ମାନ୍ୟତାପ୍ରାପ୍ତ କିଦାମ୍ବି ଶ୍ରୀକାନ୍ତ ୨୧-୧୪, ୨୧-୧୨ରେ ଡି ସନୀତଙ୍କୁ ଏବଂ ରୌନକ ଚୌହାନ ୨୩-୨୧, ୨୧-୧୬ରେ ପୂର୍ବତନ ବିଶ୍ବ କନିଷ୍ଠ ରୌପ୍ୟ ବିଜେତା ଏସ୍ ଶଙ୍କର ମୁଥୁସ୍ବାମୀଙ୍କୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି। ମିଶ୍ରିତ ଯୁଗଳରେ ଭାରତୀୟ ଯୋଡ଼ି ଧ୍ରୁବ ରାୱତ ଓ କେ ମନୀଷା ୨୧-୧୫, ୨୧-୧୬ରେ ଇଣ୍ଡୋନେସିଆର ୱିରାୱନ ଇସାନ ଆଦମ ଓ ସେରେନା କାନିଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ନିଶ୍ଚିତ କରିଛନ୍ତି।
