ଆଉ ୨ ଦିନ ଶୀତରେ ଥରିବ ଓଡିଶା, ଆସନ୍ତା ୭ ରୁ ୧୪ ତାରିଖ ଯାଏ କିଛି ସ୍ଥାନରେ ବର୍ଷା ସମ୍ଭାବନା

ରାଜ୍ୟରେ ଜାରି ରହିଛି ଶୀତ ର ଲହରୀ । ଗଜପତି, ସୋନପୁର, କନ୍ଧମାଳ ଓ କୋରାପୁଟ ଆଦି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ମଧ୍ଯ ପଡ଼ିଥିବା ଦେଖିବାକୁ ମିଳିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ। ଏହାପରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ଓ ରାଜ୍ୟରେ ଶୀତ ଧୀରେ ଧୀରେ କମିବ ଓ ୭ ତାରିଖରୁ ପାଗରେ ପରିବର୍ତ୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଏଥିସହ ଆସନ୍ତା ୨ ଦିନ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ଅନ୍ୟପ‌ଟେ ସୋଆର ପରିବେଶ ଓ ଜଳବାୟୁ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା ୭ ରୁ ୧୪ ତାରିଖ ଯାଏ ରାଜ୍ୟରେ ୱେଷ୍ଟର୍ଣ୍ଣ ଡିଷ୍ଟର୍‌ବାନ୍ସର ପ୍ରଭାବରେ କିଛି କିଛି ସ୍ଥାନରେ ହାଲୁକା ଓ କେତେକ ସ୍ଥାନରେ ଭାରି ବର୍ଷାର ସମ୍ଭାବନା ରହିଛି। ସୋଆର ପରିବେଶ ଓ ଜଳବାୟୁ କେନ୍ଦ୍ର କହିଛି, ୯ରୁ ୧୨ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶା ଓ ୧୦ରୁ ୧୪ ତାରିଖ ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

Related Posts