କ୍ରିକେଟ୍ ପଡ଼ିଆ ପରେ ଏବେ କ’ଣ ରାଜନୀତି ମୈଦାନରେ ନଜର ଆସିବେ ମହମ୍ମଦ ଶାମି? ଭାରତୀୟ ଟିମ୍ରେ ସୁଯୋଗ ମିଳୁନଥିବା ବେଳେ ବିଜେପି ମୁଖ୍ୟଙ୍କ ସହ ତାଙ୍କର ସାକ୍ଷାତକୁ ନେଇ ଜୋରଦାର ଚର୍ଚ୍ଚା।
ରବିବାର ନୂଆଦିଲ୍ଲୀରେ ବିଜେପିର ଜାତୀୟ ସଭାପତି ନୀତିନ ନବୀନଙ୍କୁ ଭେଟିଛନ୍ତି ଭାରତୀୟ କ୍ରିକେଟର ମହମ୍ମଦ ଶାମି। ଏହି ସାକ୍ଷାତ ସମୟରେ ବିଜେପି ମାଇନରିଟି ମୋର୍ଚ୍ଚାର ଅଧ୍ୟକ୍ଷ କୁଁୱର ବାସିତ ଅଲି ମଧ୍ୟ ଉପସ୍ଥିତ ଥିଲେ। ତେବେ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି, ସେନେଇ କିଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହି ଭେଟଘାଟ ପରେ ଶାମିଙ୍କ ରାଜନୈତିକ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ଏହାର କିଛି ଦିନ ପୂର୍ବରୁ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ବିଜେପିରେ ଯୋଗ ଦେଇଥିଲେ। ଏବେ ଶାମିଙ୍କ ସହ ବିଜେପି ନେତୃତ୍ୱର ସାକ୍ଷାତ ନୂଆ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ତେବେ ରାଜନେତାଙ୍କ ସହ ଶାମିଙ୍କ ଏହା ପ୍ରଥମ ସାକ୍ଷାତ ନୁହେଁ। ପୂର୍ବରୁ ସେ କେନ୍ଦ୍ରମନ୍ତ୍ରୀ ତଥା ଆର୍ଏଲ୍ଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ଭେଟିଥିଲେ। ଅମରୋହାରେ କ୍ରୀଡ଼ା ସୁବିଧା ପାଇଁ ପାଣ୍ଠି ଯୋଗାଇ ଦେଇଥିବାରୁ ଧନ୍ୟବାଦ ଜଣାଇବାକୁ ସେ ଭେଟିଥିବା ଆର୍ଏଲ୍ଡି ପକ୍ଷରୁ କୁହାଯାଇଥିଲା।
ସୂଚନାଯୋଗ୍ୟ, ନଭେମ୍ବର ୬ରେ ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ ୩୬ ବର୍ଷୀୟ ଶାମି। ୬୪ଟି ଟେଷ୍ଟ ମ୍ୟାଚ୍ରେ ସେ ୨୨୯ଟି ୱିକେଟ୍ ନେଇଛନ୍ତି। ତେବେ ଦିନିକିଆ ଓ ଟି-୨୦ କ୍ରିକେଟ୍ ଖେଳ ଜାରି ରଖିବେ ବୋଲି ସେ ସ୍ପଷ୍ଟ କରିଥିଲେ। ଏବେ ପ୍ରଶ୍ନ ଉଠୁଛି, କ୍ରିକେଟ୍ ପରେ କ’ଣ ଶାମିଙ୍କ ପରବର୍ତ୍ତୀ ଇନିଂସ୍ ହେବ ରାଜନୀତି? ନା ଏହା କେବଳ ଏକ ସୌଜନ୍ୟମୂଳକ ସାକ୍ଷାତ? ଏହା ଉପରେ ସମସ୍ତଙ୍କ ନଜର।
