ଆଜି ଓଡିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଆଜିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ | ଅପରାହ୍ଣ ୨ଟା ୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱାଗତ କରିବେ | ୩ଟା ୦୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚିବେ । ହେଲିପ୍ୟାଡରୁ ୩ଟା ୧୫ରେ ବାହାରି ୩ଟା ୨୫ରେ ରାଜଭବନରେ ଅବସ୍ଥାନ କରିବେ । ୪ଟା ୫୦ରେ ରାଜଭବନରୁ ବାହାରି ଶ୍ରୀମନ୍ଦିରକୁ ଯିବେ । ସଂଧ୍ୟା ୫ଟାରୁ ୫ଟା ୪୫ ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ।

ଅପରାହ୍ନ ୫ଟାରେ ଶ୍ରୀମନ୍ଦର ଦର୍ଶନ କାର୍ଯ୍ୟକ୍ରମ ଥିବାରୁ ସିଂହଦ୍ୱାର ନିକଟରେ ଅସ୍ଥାୟୀ ବିଶ୍ରାମ ସ୍ଥଳ ନିର୍ମାଣ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୪୦ପ୍ଲାଟୁନ ଫୋର୍ସ ଓ ୨ଶହ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ହେଲିପ୍ୟାଡଠାରୁ ଆରମ୍ଭ କରି ବଡଦାଣ୍ଡ ଓ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡିଂ କରାଯାଇଛି । ବ୍ଲୁ-ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସଜେଇ ହୋଇଛି ପୁରୀ ରାଜଭବନ । ଦୁଇଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଆସି ରାଜଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ରାଜଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଷ୍ଟ୍ରପତିଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଏବଂ ତାଙ୍କ ଝିଅଜ୍ୱାଇଁ ଓ ରାଜ୍ୟପାଳ ଗଣେଶୀ ଲାଲ ରହିବେ । ସେପଟେ ରାଷ୍ଟ୍ରପତିଙ୍କ ସହ ଆସିଥିବା ୪୦ ଜଣ ଅତିଥି ଘରୋଇ ହୋଟେଲରେ ରହିବେ ।

ଅଫିସିଆଲ୍ କର୍ମକର୍ତା ସର୍କିଟ ହାଉସ୍ ଓ ପାନ୍ଥନିବାସରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ୨୦ ତାରିଖରେ ଗୌଡୀୟ ମଠ ପରିଦର୍ଶନ କରି ଆଳତୀ କର୍ଯ୍ୟକ୍ରମରେ ଯୋଗଦେବେ । ପୂର୍ବାହ୍ନ ୧୧ଟାରେ ଶରଧାବାଲିରେ ଆୟୋଜିତ ତ୍ରିବର୍ଷିୟ ଶ୍ରୀଚୈତନ୍ୟ ଗୌଡିୟ ମଠର ପ୍ରତିଷ୍ଠାତା ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ କାଯ୍ୟକ୍ରମକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ରାଷ୍ଟ୍ରପତିଙ୍କ ସ୍ୱାଗତ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ପୁରୀ ଗଜପତି ଯୋଗ ଦେଇ ପାରିବେ ନାହିଁ । ଗତକାଲି ଗଜପତିଙ୍କର ଆରଟିପିସିଆର୍ ଟେଷ୍ଟ କରାଯାଇଥିଲା । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କର କୌଣସି କରୋନା ଲକ୍ଷଣ ନାହିଁ । କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଅନୁଭବ କରୁନାହାନ୍ତି ।

ତେବେ ୭ ଦିନ ପର୍ଯ୍ୟନ୍ତ ଗୃହ ସଙ୍ଗରୋଧରେ ରହିବେ ବୋଲି ଗଜପତିଙ୍କ ବ୍ୟକ୍ତିଗତ ସଚିବ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି | ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ସ୍ୱାଗତ କରିବା ନେଇ କାର୍ଯ୍ୟକ୍ରମ ସ୍ଥିିର ହୋଇଥିଲା |

Related Posts