ନୂଆପଡ଼ା (ସତ୍ୟପାଠ ବ୍ୟୁରୋ): ଖାଦ୍ୟ ଅନ୍ବେଷଣରେ ଆସି ଘରେ ପଶିଲା ବାଘ। କଲରାପତରିଆ ବାଘ ଆକ୍ରମଣରେ ୬ ଜଣ ଗୁରୁତର ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ବାଗବହାରା ରେଞ୍ଜ ଝିଟିକି ଗାଁରେ ବାଘକୁ ନେଇ କୋକୁଆ ଭୟ ଦେଖାଯାଇଛି। ବିଳମ୍ବିତ ରାତିରେ ନର୍‌ରା ନିକଟ ଝିଟିକି ଗାଁକୁ ସୁନାବେଡ଼ା ଅଭୟାରଣ୍ୟରୁ ଏକ କଲରାପତରିଆ ବାଘ ପଶି ଆସିଥିଲା । ଏହି ସମୟରେ ଏକ ଘରେ ଗୋଟିଏ ପରିବାରର ୬ ଜଣ ଶୋଇଥିଲେ। ବାଘ ଆକ୍ରମଣରେ ଗାଁର ୬ ଜଣ ଗୁରୁତର ହୋଇଛନ୍ତି । ସେମାନେ ହେଲେ ସରଜୁ ଯାଦବ, ତାଙ୍କ ପତ୍ନୀ ଉତ୍ତରୀବାଇ ଯାଦବ, ଜନକରାମ ଯାଦବ, ପତ୍ନୀ ସୁନୀତା ଯାଦବ, ମନୀଷ ଯାଦବ ଓ ତୁଷାର ଯାଦବ। ଖାଦ୍ୟ ଅନ୍ବେଷଣରେ ବାଘ ଘରେ ପଶି ଯାଇଥିବା କୁହାଯାଉଛି। ପରିବାର ଲୋକେ ଭୟଭୀତ ହୋଇ ଚିତ୍କାର କରିଥିଲେ । ବାଘ ସେମାନଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଥିଲା । ଗାଁ ଲୋକେ ଠେଙ୍ଗାବାଡ଼ି ଧରି ବହୁ କଷ୍ଟରେ ବାଘକୁ ଘଉଡ଼ାଇଥିଲେ । ରକ୍ତମୁଖା ବାଘ ଅନ୍ୟ ଏକ ଘରକୁ ପଶି ଯାଇଥିଲା। ଘର କବାଟ ବନ୍ଦ କରି ପରିବାର ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ । ଆହତ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ମହାସମୁନ୍ଦ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ରାୟପୁରରୁ ବାଘଧରାଳି ଦଳ ଗାଁରେ ପହଞ୍ଚିବା ପରେ କଲରାପତରିଆକୁ କାବୁ କରି ରାୟପୁର ନିଆଯାଇଛି । ଭୟଭୀତ ନ ହେବାକୁ ବନ ବିଭାଗ ପକ୍ଷରୁ ସଚେତନ କରାଯାଉଛି ।