ଆଜି BSKY ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ଯାଜପୁର-କେନ୍ଦ୍ରାପଡା ହେବ ସାମିଲ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜାରି ରହିଛି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ | ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବ ଏହି ଯୋଜନା | ଗତକାଲି ଜଗତସିଂହପୁର ଓ ନୟାଗଡ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିବାବେଳେ ଆଜି (ବୁଧବାର) ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ (Smart health card) ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ଏନେଇ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି ।

ଚଳିତ ବର୍ଷ ସେପ୍ଟେମ୍ବର ପହିଲାରୁ ରାଜ୍ୟରେ BSKY ସ୍ମାର୍ଟ ହେଲଥ କାର୍ଡ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ବ୍ୟବସ୍ଥାରେ ଓଡିଶାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଏହି କାର୍ଡ ଦ୍ବାରା ଗରିବଙ୍କ ଚିକିତ୍ସା ସମସ୍ୟା ଦୂର ହେବ । ଏଥିରେ ରାଜ୍ୟରେ ମୋଟ ୯୬ ଲକ୍ଷ ପରିବାରର ସାଢେ 3 କୋଟିରୁ ଅଧିକ ଲୋକ ଉପକୃତ ହେବେ । ଆଜି ଏହି ସ୍ମାର୍ଟ ସେବାରେ ଯୋଡି ହେବ ଯାଜପୁର ଓ କେନ୍ଦ୍ରାପଡା ।ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ବିଶେଷ କରି ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଦେବ ଏହି ସ୍ମାର୍ଟ ହେଲଥ କାର୍ଡ । ଏହା ପୂର୍ବରୁ ଜଗତସିଂହପୁର, ନୟାଗଡ, କଟକ, ଖୋର୍ଦ୍ଧା, ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ବୌଦ୍ଧ, ଝାରସୁଗୁଡା, ମୟୂରଭଞ୍ଜ, ଗଜପତି, ସୁନ୍ଦରଗଡ, ମାଲକାନଗିରି, କଳାହାଣ୍ଡି, ନୂଆପଡା, ଦେବଗଡ ଓ ବରଗଡ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବିତରଣ ସରିଛି ।

Related Posts