ଆରପାରିରେ ଶତାୟୁ ଭାଇସ ଆଡମିରାଲ ଏସ୍.ଏଚ୍ ଶର୍ମା, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଶୋକ ପ୍ରକାଶ

୧୯୭୧ ଭାରତ-ପାକ୍ ଯୁଦ୍ଧର ନାୟକ ଭାଇସ ଆଡମିରାଲ ଏସ.ଏଚ ଶର୍ମାଙ୍କ ପରଲୋକ । ପାକିସ୍ତାନ ବିରୋଧରେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧରେ ଅସୀମ ବୀରତ୍ବ ପ୍ରଦର୍ଶନ କରିଥିବା ଶର୍ମାଙ୍କୁ ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇଥିଲା । ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଶର୍ମା ଗତ ୧୦ଦିନ ହେବ ଅସୁସ୍ଥ ଥିଲେ । ତେବେ ତାଙ୍କ ଦେହାନ୍ତ ପରେ ପାର୍ଥିବ ଶରୀର ଶେଷ ଦର୍ଶନ ଲାଗି ଭୁବନେଶ୍ବର ନୀଳକଣ୍ଠ ନଗରସ୍ଥିତ ବାସଭବନରେ ରଖାଯିବ ଓ ୫ ତାରିଖ ଦିନ ସ୍ବର୍ଗଦ୍ବାରରେ ଶେଷକୃତ୍ୟ କରାଯିବ ।

ସ୍ୱର୍ଗତ ଶର୍ମାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଭାଇସ୍‌ ଆଡମିରାଲ୍‌ ଶର୍ମାଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟୁଇଟ୍‌ କରିଛନ୍ତି ଯେ, ଓଡ଼ିଶାର ସୁପୁତ୍ର ଶତାୟୁ ସାମରିକ ଅଧିକାରୀ ଭାଇସ୍‌ ଆଡମିରାଲ୍‌ ଏସ୍‌.ଏଚ୍‌. ଶର୍ମାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ।

୧୯୩୬ ମସିହାରେ ମାତ୍ର ୧୪ ବର୍ଷ ବୟସରେ ଓଡ଼ିଶାରେ ଜନ୍ମିତ ଭାଇସ୍ ଆଡମିରାଲ୍ ଶର୍ମା ‘ଆଇଏମ୍‌ଏମ୍‌ଟିଏସ୍‌ (ଇଣ୍ଡିଆନ୍‌ ମର୍ଚ୍ଚାଣ୍ଟାଇଲ୍‌ ମେରାଇନ୍‌ ଟ୍ରେନିଂ ସିପ୍‌) ତଫରିନ୍‌ରେ ଯୋଗ ଦେଇଥିଲେ । ୩ ବର୍ଷର ଟ୍ରେନିଂ ପରେ ବେଷ୍ଟ ଅଲ୍‌ରାଉଣ୍ଡ୍‌ କ୍ୟାଡେଟ୍‌ ଭାବେ ଭାଇସ୍‌ରାୟଙ୍କ ସ୍ବର୍ଣ୍ଣ ପଦକ ପାଇଥିଲେ । ୧୯୪୨ରେ ରୟାଲ ଇଣ୍ଡିଆନ୍‌ ରିଜର୍ଭରେ ଓ ପରେ କମିସନ୍‌ ପାଇ ଏଚ୍‌ଏମ୍‌ଆଇଏସ୍‌ ରୁକ୍ମବତୀରେ ଯୋଗ ଦେଇଥିଲେ ସେ ।

ଦ୍ବିତୀୟ ବିଶ୍ବଯୁଦ୍ଧର ଶେଷ ୩ ବର୍ଷ, ବର୍ମା ଓ ମାଲେସିଆରେ ଯୁଦ୍ଧକୁ ଖୁବ୍‌ ନିକଟରୁ ଦେଖିଥିଲେ ସେ । ତାଙ୍କ ଠାରୁ ୫୬ ଜଣ ସିନିୟର ଅଫିସରଙ୍କୁ ପଛରେ ପକାଇ ସେ ପ୍ରଥମେ କମାଣ୍ଡର୍‌ ଓ ୧୨ ଜଣଙ୍କୁ ପଛରେ ପକାଇ କ୍ୟାପ୍‌ଟେନ୍‌ ପଦବିକୁ ପଦୋନ୍ନତି ପାଇଥିଲେ ।

୧୯୭୧ ପାକ-ଭାରତ ଯୁଦ୍ଧରେ ସେ ନୌସେନାର ନେତୃତ୍ବ ନେଇ ପାକ ବୁଡ଼ାଜାହାଜ ପିଏନଏସ୍ ଘାଜିକୁ ଧ୍ବଂସ କରିଥିଲେ । ଏଥିସହ ତତ୍କାଳୀନ ପୂର୍ବ ପାକିସ୍ତାନ ଅନ୍ତର୍ଗତ ଚିଟ୍ଟାଗଙ୍ଗ ବନ୍ଦରକୁ ନିଜ ଅକ୍ତିଆରକୁ ନେଇ ସେଠାକାର ପାକିସ୍ତାନ ‘ନାଭାଲ୍‌ ଅଫିସର୍‌-ଇନ୍‌-ଚାର୍ଜ‌’ଙ୍କୁ ହଟାଇ ମାସଟିଏ ସେଠାକାର ଦାୟିତ୍ବ ରହିଥିଲେ । ଯୁଦ୍ଧରେ ଭାରତୀୟ ନୌସେନା ପାକିସ୍ତାନର ୧୫ଟି ଜାହାଜ ଅକ୍ତିଆର କରିଥିଲା, ଯାହାକୁ ଯୁଦ୍ଧର କିଛିଦିନ ପରେ ଫେରାଇ ଦିଆଯାଇଥିଲା। ଭାରତ କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ସମ୍ମାନିତ ହେବା ଲାଗି ନିକଟରେ ସେ ଦିଲ୍ଲୀ ଗସ୍ତ କରିଥିଲେ ।

Related Posts