ରାତିରେ ଖସୁଛି ତାପମାତ୍ରା: ତିନି ଦିନ ପ୍ରବଳ ଶୀତ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ

ରାଜ୍ୟରେ ଜାରି ରହିଛି ଶୀତର ଲହରୀ | ଶୀତରେ ଥରୁଛି ସାରା ଓଡିଶା | ୨ରୁ ୩ ଦିନ ହେଲା ଶୀତର ଲହରୀ ଜାରି ରହିଥିବା ବେଳେ, ଆସନ୍ତା ୩ ଦିନ ଯାଏଁ କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ତଳକୁ ଖସିପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିପରି ଦାରିଙ୍ଗବାଡିରେ ରାତି ତାପମାତ୍ରା ୮ ଡିଗ୍ରୀ ଥିବା ବେଳେ ସୋମବାର ଏହା ୭ ଡିଗ୍ରୀ ଖସିଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି ।

ସେହିପରି ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ଖସିଛି । ମଙ୍ଗଳବାର ଏହି ଶୀତର ଲହରୀ ଜାରି ରହିବ । ୫ କିମ୍ବା ୬ ତାରିଖରୁ ରାଜ୍ୟରେ ଶୀତ କମିବ । ତେବେ ଭୁବନେଶ୍ୱରରେ ସ୍ୱାଭାବିକ ଠାରୁ ୧୬ ଡିଗ୍ରୀ ପାରଦ କମ୍ ରହିବ । ମଙ୍ଗଳବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା, ଗଜପତି ଓ ଗଞ୍ଜାମରେ କୁହୁଡି ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସେପଟେ ଆସନ୍ତା ୫ ତାରିଖରୁ ରାଜ୍ୟରେ ଶୀତ କମିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଯ୍ୟାୟକ୍ରମେ ଶୀତ ହ୍ରାସ ହେବ । ଉତ୍ତର ଉପକୂଳରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ହେବ । ଦକ୍ଷିଣ ଉପକୂଳରେ ୨ରୁ ୩ ିଗ୍ରୀ ବଢିବ । ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ହେବା ନେଇ ସେ କହିଛନ୍ତି ।

ଏଥିସହ ସୋନପୁର, ଫୁଲବାଣୀ, ଟିଟିଲାଗଡ଼ ଓ ପାରଳାଖେମୁଣ୍ଡିରେ ସୋମବାର ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଆସନ୍ତା ୭ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗଜପତି, ଗଞ୍ଜାମ ଆଦି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଏଣୁ ଆସନ୍ତା ୬ ତାରିଖ ଯାଏ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିବ । ୭ ତାରିଖରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଧୀରେଧୀରେ ବଢ଼ିବାର ସମ୍ଭାବନା ରହିଛି । ରାତିରେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୧୨ ଡିଗ୍ରି ପାଖାପାଖି ରହିବ ।

Related Posts