ଏକା ସାଙ୍ଗରେ ବାପା ଓ ପୁଅକୁ ନେଇଗଲା ଯମ, ଡାକ୍ତରଖାନାରୁ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା

ବୀରମହାରାଜପୁର-ସୋନପୁର ରାସ୍ତାର ମହଦା ନିକଟରେ ଘଟିଛି ଏକ ବଡ ଦୁଖଦ ଘଟଣା | ଦୁର୍ଘଟଣାରେ ଏକା ସାଙ୍ଗରେ ବାପା ଓ ପୁଅ ର ମୃତ୍ୟୁ ହୋଇଛି | ମୃତକ ଦ୍ୱୟ ହେଲେ ସୁବଳୟା ଥାନା ଟିକିରାପଡ଼ା ଗାଁର ଶେଷଦେବ ବେହେରା ଓ ତାଙ୍କ ପୁଅ ଉତ୍ତମ ବେହେରା |

ଶେଷଦେବ ଅସୁସ୍ଥ ଥିବାରୁ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ବାଇକରେ ତାଙ୍କୁ ସୋନପୁର ହସପିଟାଲକୁ ନେଇଥିଲେ ଉତ୍ତମ। ଡାକ୍ତରଙ୍କୁ ଦେଖାଇ ଫେରୁଥିବା ସମୟରେ ମହଦା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମାର୍ବଲ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ଶେଷଦେବ ବେହେରାଙ୍କ ମୃତ୍ୟୁ ହୋଇଥିଲା। ଉତ୍ତମଙ୍କୁ ସୋନପୁର ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ବାଇକରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇବା ପରେ ପିକ୍‌ଅପ୍‌ ଭ୍ୟାନ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବୀରମହାରାଜପୁର ପୁଲିସ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି |

Related Posts