ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ଏସଆଇ ପରୀକ୍ଷା ସ୍କାମ୍ର ତଦନ୍ତ ସିବିଆଇ କରୁଛି। ଓଡ଼ିଶା ପୁଲିସ୍ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଏବେ ସିବିଆଇ ସ୍କାନରରେ ଜେଲ୍ ଡିଜି ତଥା ଆଇପିଏସ୍ ଅଧିକାରୀ ସୁଶାନ୍ତ ନାଥ ଥିବା ଜଣାପଡ଼ିଛି। ଏହି ମାମଲା ସମ୍ପର୍କରେ ସିବିଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଏକ ପତ୍ର ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ସୁଶାନ୍ତ ନାଥ ଓଡ଼ିଶା ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (OPRB)ର ଅଧ୍ୟକ୍ଷ ଥିବା ସମୟରେ ଏସଆଇ ପରୀକ୍ଷାରେ କେଳେଙ୍କାରୀ ହୋଇଥିବା ଅଭିଯୋଗ ରହିଛି। ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ମଧ୍ୟ OPRBର ତଦନ୍ତର ଅଂଶବିଶେଷ ହୋଇଥିବା ଜଣାପଡ଼ିଛି। ମାମଲାର ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ସିବିଆଇ ସୁଶାନ୍ତ ନାଥଙ୍କୁ ପଚରାଉଚରା କରିବାକୁ ରାଜ୍ୟ ସରକାରଙ୍କ ଅନୁମତି ମାଗିଛି। ଅନୁମତି ମିଳିଲେ ସିବିଆଇ ତାଙ୍କୁ ଜେରା କରିପାରେ । ଏଆଇ ପରୀକ୍ଷା କେଳେଙ୍କାରୀରେ କେଉଁମାନଙ୍କ ଭୂମିକା ଥିଲା ଏବଂ ପରୀକ୍ଷା ପରିଚାଳନାରେ କୌଣସି ଅନିୟମିତତା ହୋଇଥିଲା କି ନାହିଁ, ସେନେଇ ସିବିଆଇ ତଦନ୍ତ ଜାରି ରହିଛି । ସୁଶାନ୍ତ ନାଥଙ୍କୁ ପଚରାଉଚରା କରାଗଲେ ମାମଲାର ତଦନ୍ତରେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ ।
