ଓମିକ୍ରନ ଭୟ: ଉତ୍ତରପ୍ରଦେଶ ନିର୍ବାଚନ ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ଏବଂ ନିର୍ବାଚନ ଆୟୋଗଙ୍କୁ ନିବେଦନ କଲେ ଆହ୍ଲାବାଦ ହାଇକୋର୍ଟ

ଦେଶରେ ଏବେ ଓମିକ୍ରନକୁ ନେଇ ଭୟର ବାତାବରଣ ଦେଖା ଦେଇଥିବା ବେଳେ, ସେପଟେ ନିର୍ଵାଚନ ସମୟ ପାଖେଇଆସୁଛି | ବିଭିନ ଦଳ ବାଜିମାତ କରିବା ନେଇ ଅଂଟା ଭିଡିବା ଆରମ୍ଭ କରିସାରିଲେଣି | ଗୋଟିଏ ପଟେ ୟୁପିରେ ନିର୍ବାଚନୀ ଉଷ୍ଣତା ଲାଗି ରହିଥିବାବେଳେ ଅନ୍ୟପଟେ ହୁ ହୁ ହୋଇ ମାଡିଚାଲିଛି ଓମିକ୍ରନ । ଏପରିକି ଭାରତରେ କୋଭିଡ-୧୯ ତୃତୀୟ ଲହର ଆସିବାର ସମ୍ଭାବନା ଘନୀଭୂତ ହୋଇଛି । ଏପରି ସ୍ଥିତିରେ ରାଜ୍ୟରେ ନିର୍ବାଚନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଘୁଞ୍ଚାଇବାକୁ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କ ନିବେଦନ କରିଛନ୍ତି ଉଚ୍ଚ ନ୍ୟାୟାଳୟ ।

ହାଇକୋର୍ଟ କହିଛନ୍ତି, ବିଶ୍ବବ୍ୟାପୀ ଓମିକ୍ରନ ମାମଲା ବୃଦ୍ଧି ପାଉଛି । ବିଭିନ୍ନ ୟୁରୋପୀୟ ରାଷ୍ଟ୍ରରେ ସ୍ଥିତି ଉଦବେଗଜନକ ରହିଛି । ବଢୁଥିବା ସଂକ୍ରମଣକୁ ଦେଖି ତୃତୀୟ ଲହର ସମ୍ଭାବନା ମଧ୍ୟ ବଢିଛି । ସ୍ଥିତିରେ ସୁଧାର ପାଇଁ ଚୀନ, ନେଦରଲ୍ୟାଣ୍ଡ ଏବଂ ଜର୍ମାନୀ ଭଳି ବିଭିନ୍ନ ରାଷ୍ଟ୍ର ନିଜ ନିଜ ଦେଶରେ ପୂର୍ଣ୍ଣ ଓ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି । ପୂର୍ବରୁ ଦେଶରେ ପଞ୍ଚାୟତ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ବହୁସଂଖ୍ୟକ ଲୋକେ ସଂକ୍ରମିତ ଏବଂ ପ୍ରାଣ ହରାଇବାର ଦୃଷ୍ଟାନ୍ତ ରହିଛି । ଏପରି ସ୍ଥଳେ ୟୁପି ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ରାଲି ଏବଂ ସଭା ଜରିଆରେ ଏକଜୁଟ ହେଉଛନ୍ତି । ଯାହାଦ୍ବାରା ପୂର୍ବଭଳି ସ୍ଥିତି ଭୟଙ୍କର ହେବାର ସମ୍ଭାବନା ରହିଥିବା ଚେତାଇଛନ୍ତି କୋର୍ଟ | ଯଦି ସମ୍ଭବପର ଫେବୃୟାରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଆଉ ଗୋଟିଏ କିମ୍ବା ଦୁଇ ମାସ ଘୁଞ୍ଚାଇବାକୁ କହିଛନ୍ତି କୋର୍ଟ |

Related Posts