କରୋନା ମୃତ୍ୟୁ କୁ ନେଇ ସତ୍ୟ ତଥ୍ୟ ପ୍ରକାଶ କରୁନାହାନ୍ତି ରାଜ୍ୟ: ସୁପ୍ରିମକୋର୍ଟ

କରୋନା ଜନିତ ମୃତ୍ୟୁ ସମ୍ପର୍କରେ ହୋଇଥିବା ଆବେଦନକୁ ନେଇ ଶୁଣାଣି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ | କରୋନା ମୃତକଙ୍କ ପରିବାର ଲୋକ କ୍ଷତିପୂରଣ ପାଇଁ ଦାବି କରୁଥିଲେ ମଧ୍ୟ ରାଜ୍ୟ ସରକାରମାନେ ଦେଉନାହାନ୍ତି। ଏପରି ଘଟଣା ବିଭିନ୍ନ ରାଜ୍ୟରେ ଘଟୁଥିବାରୁ ଶୁକ୍ରବାର ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ଭିଭି ନାଗରତ୍ନାଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ।

ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି, “ରାଜ୍ୟଗୁଡ଼ିକ କରୋନା ମୃତ୍ୟୁ ନେଇ ଜାରି କରୁଥିବା ତଥ୍ୟରେ ସଂପୂର୍ଣ୍ଣ ସତ୍ୟତା ନାହିଁ। ତେଣୁ ମୃତକଙ୍କ ପରିବାର ମିଛ କଥା କହି କ୍ଷତିପୂରଣ ଦାବି କରୁଛନ୍ତି ବୋଲି ରାଜ୍ୟଗୁଡ଼ିକ କହିପାରିବେ ନାହିଁ। ସେମାନଙ୍କୁ କେବେ ହେଲେ କ୍ଷତିପୂରଣ ପାଇଁ ମନା କରାଯିବନି।”

ମହାରାଷ୍ଟ୍ର ସରକାର ୬୦ ହଜାର ଲୋକଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ। ଏଥିସହ ଆହୁରି ଅନେକ ରାଜ୍ୟ ଠିକଣା ସମୟରେ କରୋନା ମୃତ୍ୟୁ ପାଇଁ ଘୋଷଣା ହୋଇଥିବା ୫୦ ହଜାର ଟଙ୍କା ସେମାନଙ୍କ ପରିବାର ଲୋକଙ୍କୁ ଦେଉ ନାହାନ୍ତି। ଏହାକୁ ନେଇ ଖଣ୍ଡପୀଠ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ବୈଷୟିକ ତ୍ରୁଟି ଦର୍ଶାଇ କରୋନା ଜନିତ ମୃତ୍ୟୁ ସମ୍ପର୍କିତ ଦାବିଗୁଡ଼ିକ ରାଜ୍ୟ ସରକାରମାନେ ଅଗ୍ରାହ୍ୟ କରିପାରିବେ ନାହିଁ। ତେଣୁ ନିଜର ପ୍ରିୟଜନଙ୍କୁ କରୋନାରେ ହରାଇଥିବା ନେଇ ଆବେଦନ କରୁଥିବା ଲୋକମାନଙ୍କୁ ୧୦ ଦିନ ମଧ୍ୟରେ ୫୦ ହଜାର ଟଙ୍କାର କ୍ଷତି ପୂରଣ ରାଜ୍ୟଗୁଡ଼ିକ ଦିଅନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି, “ଲୋକଙ୍କୁ ସହଯୋଗ କରିବା ସରକାରର କର୍ତ୍ତବ୍ୟ। ଆପଣମାନେ କୌଣସି ବଦାନ୍ୟ କାମ କରୁନାହାନ୍ତି। ଗୋଟିଏ ଜନକଲ୍ୟାଣକାରୀ ରାଜ୍ୟର ଏହା ହେଉଛି ଡ୍ୟୁଟି। କାହିଁକି ଆପଣ ଲୋକମାନଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପଠାଉଛନ୍ତି? ଲୋକଙ୍କୁ ସହଯୋଗ ହୃଦୟର ସହ କରନ୍ତୁ।”

ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱାର୍ଯ୍ୟା ଭାଟି ରାଜ୍ୟଗୁଡ଼ିକ ପକ୍ଷରୁ ମିଳିଥିବା ତଥ୍ୟକୁ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ। ଏହାକୁ ଦେଖିବା ପରେ ଖଣ୍ଡପୀଠ କହିଛି ଯେ କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କୁ ସହଯୋଗ କରିବା ପାଇଁ ସରକାର ସକ୍ରିୟ ଭାବେ କାର୍ଯ୍ୟ କରିବା ଦରକାର। ନୋଡାଲ ଅଫିସର ନିଯୁକ୍ତ କରି ଲୋକଙ୍କ ଦାବିର ତୁରନ୍ତ ସମାଧାନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଯଦି ସପ୍ତାହ ମଧ୍ୟରେ ଲୋକଙ୍କ ଆବେଦନର ସମାଧାନ ନ କରାଯାଏ, ତା’ହେଲେ ଏହାକୁ ଗୁରୁତ୍ୱର ତ୍ରୁଟି ଭାବେ ବିଚାର କରାଯିବ ବୋଲି ମଧ୍ୟ ଖଣ୍ଡପୀଠ ଚେତାବନୀ ଦେଇଛନ୍ତି।

Related Posts