କୋରାପୁଟ, (ସତ୍ୟପାଠବ୍ୟୁରୋ): କୋରାପୁଟ ଜିଲ୍ଲାରେ ରେକର୍ଡ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରେ ମୋଟ ୨୬୪୯.୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୪ଟି ବ୍ଲକ୍ ମଧ୍ୟରୁ ୧୧ଟି ବ୍ଲକ୍ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବୋରିଗୁମ୍ମାରେ ସର୍ବାଧିକ ୩୦୭ ମିଲିମିଟର, ଜୟପୁରରେ ୨୮୫, ସେମିଳିଗୁଡ଼ାରେ ୨୬୭, ବୈପାରିଗୁଡ଼ାରେ ୧୮୫, କୋଟପାଡ଼ରେ ୧୭୨, ଲକ୍ଷ୍ମୀପୁରରେ ୧୯୭, ନାରାୟଣପାଟଣାରେ ୧୯୫ ଓ ବନ୍ଧୁଗାଁରେ ୧୮୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ୯୧ଟି ଘର ଭାଙ୍ଗିଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି । ସେହିପରି ୨୬୨ ଜଣ ଗର୍ଭବତୀଙ୍କୁ ମା’ ଗୃହ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଓ ମୁରାନ ଡ୍ୟାମ୍ର ଗୋଟିଏ ଲେଖାଏଁ ଗେଟ୍ ଖୋଲାଯାଇଛି । ଫଳରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି ।
